ଓଡ଼ିଶାଲାଇଭ୍ ବ୍ୟୁରୋ 
ଭାରତୀୟ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। ଦିନିକିଆ ଓ ଟି-୨୦ ସିରିଜ୍ ପରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ୩୧୮ ରନ୍ର ବଡ଼ ବ୍ୟବଧାନରେ ଜିତିନେଇଛି ବିରାଟ ବାହିନୀ। ଏହି ବିଜୟ ସହ କୋହଲି ବିଦେଶୀମାଟିରେ ଭାରତର ସବୁଠାରୁ ଶ୍ରେଷ୍ଠ ଅଧିନାୟକ ହୋଇଯାଇଛନ୍ତି।
ଅଧିନାୟକ ଭାବରେ ବିରାଟ କୋହଲି ବିଦେଶୀ ମାଟିରେ ସର୍ବାଧିକ ୧୨ଟି ଟେଷ୍ଟ ମ୍ୟାଚ୍ ଜିତିସାରିଲେଣି। ଏହା ପୂର୍ବରୁ ଭାରତୀୟ ଦଳର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ବିଦେଶ ମାଟିରେ ୧୧ଟି ଟେଷ୍ଟ ବିଜୟୀ ହୋଇଥିଲେ। ବର୍ତ୍ତମାନ ବିରାଟ କୋହଲି ଗାଙ୍ଗୁଲିଙ୍କ ଏହି ରେକର୍ଡ ଭାଙ୍ଗି ବିଦେଶ ମାଟିରେ ଶ୍ରେଷ୍ଠ ଅଧିନାୟକ ହୋଇପାରିଛନ୍ତି। ବିରାଟ ମାତ୍ର ୨୬ଟି ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି।

ସେହିପରି ଅଧିନାୟକ ଭାବରେ ରାହୁଲ ଦ୍ରାବିଡ ଭାରତକୁ ବିଦେଶୀମାଟିରେ ୫ଟି ମ୍ୟାଚରେ ବିଜୟୀ କରାଇଛନ୍ତି। ଅଧିନାୟକ ଭାବରେ ମହେନ୍ଦ୍ର ସିଂହ ଧୋନି ୬ଟି ଓ ସୌରଭ ଗାଙ୍ଗୁଲି ୧୧ଟି ମ୍ୟାଚରେ ଭାରତକୁ ବିଜୟୀ କରାଇପାରିଛନ୍ତି। ବର୍ତ୍ତମାନ ବିରାଟ ୧୨ଟି ବିଜୟ ସହ ଏହି ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି।
ଅଧିନାୟକ ଭାବରେ ପୂରଣକଲେ ୧୦୦ତମ ବିଜୟ
ଏହାସହ ଅଧିନାୟକ ଭାବରେ ବିରାଟ ୧୦୦ତମ ମ୍ୟାଚ୍ ଜିତିଛନ୍ତି। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିନାୟକ ଭାବେ ଦିନିକିଆରେ ୫୮, ଟେଷ୍ଟରେ ୨୭ ଓ ଟି-୨୦ରେ ୧୫ଟି ମ୍ୟାଚ୍ ଜିତିସାରିଲେଣି। ଭାରତୀୟ ଅଧିନାୟକ ଭାବରେ ସର୍ବାଧିକ ଜିତିଥିବା ଅଧିନାୟକଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

ଧୋନି ଅଧିନାୟକ ଭାବେ ସର୍ବମୋଟ ୧୮୧ଟି ମ୍ୟାଚ୍ ଜିତିଛନ୍ତି। ତାଙ୍କ ପରେ ମହମ୍ମଦ ଅଜହାରୁଦ୍ଦିନ୍ ୧୦୪ଟି ମ୍ୟାଚ୍ ଜିତିଛନ୍ତି। ଏହାପରେ ଅଧିନାୟକ ବିରାଟ କୋହଲି ୧୦୦ଟି ବିଜୟ ସହ ଲିଷ୍ଟର ତୃତୀୟ ସ୍ଥାନରେ ଅଛି।
୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରେ ଧୋନି ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱରୁ ଓହରି ଯାଇଥିଲେ। ଏହାପରେ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ବିରାଟ କୋହଲି।

















