ଓଡ଼ିଶାଲାଇଭ୍ ବ୍ୟୁରୋ

କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଚାରିଆଡୁ ନିରାଶ ହେବା ପରେ ଏବେ ଭାରତ ସହ ଯୁଦ୍ଧ କରିବାକୁ ସଜବାଜ ହେଉଛି। କରାଚି କ୍ଷେପଣାସ୍ତ୍ର ଘାଟିରେ ପାକିସ୍ତାନ ମିସାଇଲ୍‌ ପରୀକ୍ଷା କରିବାକୁ ପ୍ରସ୍ତୁତି ଚଳାଇଛି।

ମିସାଇଲ୍‌ ପରୀକ୍ଷା ପାଇଁ ଆଗାମୀ ତିନି ଦିନ କରାଚି କ୍ଷେପଣାସ୍ତ୍ର ଘାଟିକୁ ବନ୍ଦ କରିଛନ୍ତି ଇମ୍ରାନ ସରକାର।

ଏପଟେ ପାକିସ୍ତାନ ରେଳ ମନ୍ତ୍ରୀ ସେଖ୍ ରସିଦ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ତାରିଖ ଘୋଷଣା କରିଛନ୍ତି। ବୁଧବାର ଏକ ସେମିନାରରେ ଯୋଗ ଦେଇ ସେ କହିଥିଲେ ଯେ ଭାରତ-ପାକିସ୍ତାନ ଭିତରେ ଆଉ ଏକ ଯୁଦ୍ଧ ହେବାକୁ ଯାଉଛି। ଅକ୍ଟୋବର-ନଭେମ୍ବର ଭିତରେ ଯୁଦ୍ଧ ହେବା ଭଳି ସମ୍ଭାବନା ଦେଖାଯାଉଛି।

ସେଖ୍‌ ରସିଦ ଆହୁରି କହିଥିଲେ ଯେ ଯୁଦ୍ଧ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି। ପାକିସ୍ତାନ ପାଖରେ ଯେଉଁ ଅସ୍ତ୍ର ଅଛି ତାହା ଦେଖାଇବା ପାଇଁ ନୁହେଁ, ଯୁଦ୍ଧ ବେଳେ ତାହା ଠିକଣା ସ୍ଥାନରେ ବ୍ୟବହାର କରାଯିବ।

କଶ୍ମୀର ପ୍ରସଙ୍ଗକୁ ବାରମ୍ବାର ପାକିସ୍ତାନ ଜାତିସଂଘରେ ଉଠାଇବ। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କଶ୍ମୀରକୁ ନେଇ ପାକିସ୍ତାନ ଲଢ଼େଇ ଜାରି ରଖିବ ବୋଲି ପାକ୍‌ ରେଳ ମନ୍ତ୍ରୀ କହିଥିଲେ।

ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି। ଭାରତ ସହିତ ପାକିସ୍ତାନ ପ୍ରଥମେ ନିଜ ଆଡୁ ସବୁ ସମ୍ପର୍କ ତୁଟାଇଥିଲା। ଏହାପରେ ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇଥିଲା। ସେଠାରେ ପାକିସ୍ତାନ ହଟହଟା ହୋଇଥିଲା।

ଶେଷରେ ପାକିସ୍ତାନର ଶେଷ ଆଶା ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ। କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏଣୁ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଠିକ୍‌ ନୁହେଁ କହିବା ପରେ ଟ୍ରମ୍ପ ପାକିସ୍ତାନକୁ ନାସ୍ତିବାଣୀ ଶୁଣାଇଥିଲେ।

ସବୁଠୁ ନିରାଶ ହେବା ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି। ଏବେ ଯୁଦ୍ଧ ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି।

Comment