ଓଡ଼ିଶାଲାଇଭ ବ୍ୟୁରୋ

ଦିନେ ବିଲରେ ଦିନ ମଜୁରିଆ ଭାବେ କାମ କରି ନିଜ ପେଟ ପୋଷୁଥିଲେ, ଏବେ ଜେଏନୟୁର ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚନ ଲଢୁଛନ୍ତି।

ବିଲରେ ଦିନ ମଜୁରିଆ ଭାବେ କାମ କରି ନିଜ ପେଟ ପୋଷୁଥିଲେ। ହେଲେ ଏବେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)ରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି ଜଣେ ଓଡ଼ିଶା ପୁଅ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ପୌରକେଲାର ଜିତେନ୍ଦ୍ର ସୁନା। ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସେ ବିର୍ସା ଆମ୍ଵେଦକର ଫୁଲେ ଷ୍ଟୁଡେଣ୍ଟ ଆସୋସିଏସନ(ବିଏପିଏସଏ) ତରଫରୁ ନିର୍ବାଚନ ଲଢୁଛନ୍ତି।

ଜିତେନ୍ଦ୍ରଙ୍କ ମା’ ଜଣେ ପରିବା ବ୍ୟବସାୟୀ ଥିଲେ ଓ ବାପା ବିଲରେ ଦିନ ମଜୁରିଆ ଭାବେ କାମ କରନ୍ତି। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମା’ଙ୍କ ମୃତ୍ୟୁ ହୋଇ ଯାଇଥିଲା। ବାପାଙ୍କ ଉପରୁ ଆର୍ଥିକ ଭାର କମାଇବା ପାଇଁ ଜିତେନ୍ଦ୍ର ମଧ୍ୟ ବିଲରେ ଦିନ ମଜୁରିଆ ଭାବେ କାମ କଲେ। ଯେଉଁଥିପାଇଁ ତାଙ୍କୁ କାମ ବାବଦରେ ଦିନକୁ ୩୦ରୁ ୪୦ ଟଙ୍କା ମିଳେ।

ଏହାପରେ ସେ ମନେରେଗା ଅଧିନରେ ରାସ୍ତା ଖୋଳା ଓ ପୋଖରୀ ଖୋଳାରେ କାମ କରିଥିଲେ। ଏଥିପାଇଁ ତାଙ୍କୁ ୧୦୦ରୁ ୧୫୦ ଟଙ୍କା ମଜୁରୀ ମିଳୁଥିଲା। ଏତେ ସବୁ ପରେ ମଧ୍ୟ ସେ ହାର ମାନି ନଥିଲେ। ଉଚ୍ଚଶିକ୍ଷା ଶେଷ କରିବା ପରେ ସେ ତାଙ୍କ ଭାଇଙ୍କ ସହ ଦିଲ୍ଲୀର ଆଇଜିଏଲ୍‌ରେ କାମ କରିଥିଲେ। ଏହାପରେ ସେ ନାଗପୁର ପଳାଇଥିଲେ।

ଏହାପରେ ସେ ଅଧିକ ଶିକ୍ଷା ପାଇଁ ଦିଲ୍ଲୀସ୍ଥିତ ଜେଏନୟୁରେ ଇତିହାସ ବିଷୟରେ ଏମ୍‌ଏ ପାଇଁ ନାମ ଲେଖାଇଥିଲେ। ପରେ ସେ ଏମ୍‌ଫିଲ ଶେଷ କରି ବର୍ତ୍ତମାନ ପିଏଚଡି କରୁଛନ୍ତି। ଏହାସହ ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନରେ ଲଢ଼େଇ କରୁଛନ୍ତି। ବିଏପିଏସଏ ତରଫରୁ ୧୩ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା କରୁଛନ୍ତି।

Comment