ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଆସୁଛନ୍ତି ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଦୁଇବର୍ଷ ଧରି ଚିକିତ୍ସିତ ହେବାପରେ ଓଡ଼ିଶା ଫେରୁଛନ୍ତି ଦୁଇ ଭାଇ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଦିଲ୍ଲୀ ଏମ୍ସରୁ ଫେରିବା ପରେ ଜଗା କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲରେ ରଖାଯିବ।

ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଜଗା କାଳିଆଙ୍କ ଚିକିତ୍ସାରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଏକ ରିପୋର୍ଟ ଆସିଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ରିପୋର୍ଟ ଦିଲ୍ଲୀ ଏମ୍ସକୁ ମାଗିଥିଲେ। ଏହାପରେ ଜଗା କାଳିଆଙ୍କ ଏହି ଦୁଇବର୍ଷର ଖର୍ଚ୍ଚ ରିପୋର୍ଟ ଦେଇଛି ଏମ୍ସ।

ଏହି ରିପୋର୍ଟରେ କୁହାଯାଇଛି, “ବର୍ତ୍ତମାନ ଏହି ଦୁଇଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ସେମାନଙ୍କୁ ଆଉ ଆଇସିୟୁରେ ରଖିବାର ଆବଶ୍ୟକ ନାହିଁ। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଜିଲ୍ଲା କିମ୍ବା ରାଜ୍ୟ ହସ୍ପିଟାଲରେ ହୋଇପାରିବ।”

ଜଗା କାଳିଆଙ୍କୁ ଆଣିବା ପାଇଁ ଆସନ୍ତା ୪ ତାରିଖରେ ଓଡ଼ିଶାରୁ ୨ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଯିବେ।

ଏସ୍‌ସିବି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶିବଶଙ୍କର ବରିହା ଏବଂ ବିଭୁ ପ୍ରସାଦ ନାୟକ ଦିଲ୍ଲୀ ଯିବାକୁ ସ୍ଥିର ହୋଇଛି। ସେଠାରେ ସେ ଜଗା କାଳିଆଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରିବେ। ଏହାପରେ ଦିଲ୍ଲୀ ଏମ୍ସର ୪ଜଣିଆ ଡାକ୍ତରୀ ଟିମ ସହ ଜଗା କାଳିଆଙ୍କୁ ଓଡ଼ିଶା ଅଣାଯିବ। ଏନେଇ ଏସ୍‌ସିବି ମେଡିକାଲରେ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here