ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ମଠ ଉଚ୍ଛେଦକୁ ନେଇ ରାଜ୍ୟ ସରକାର ନାକେଦମ୍‌ ହୋଇଗଲେଣି। ପ୍ୟାକେଜ ପରେ ପ୍ୟାକେଜ ଘୋଷଣା କରୁଥିଲେ ମଧ୍ୟ କିଛି ଲାଭ ମିଳୁନି। ଦିନ ପରେ ଦିନ ଗଡୁଛି, ହେଲେ ମଠ ଉଚ୍ଛେଦ ଯେଉଁଠି ଥିଲା ସେଇଠି ଅଟକି ରହିଛି। ଏବେ ଏହି ମଠ ପାଇଁ ସବ୍‌ କମିଟି ଗଠନ କରାଯାଇଛି।

ମଠ ସଂସ୍କୃତି କେମିତି ଆଗକୁ ଯିବ ଏବଂ ଏହାର ପୁନରୁଦ୍ଧାର କିପରି ହୋଇପାରିବ ସେନେଇ ଆଲୋଚନା କରିବା ପାଇଁ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ଏହି ମଠ ପାଇଁ ସବ୍‌ କମିଟି ଗଠନ ଉପରେ ଆଲୋଚନା ହୋଇଥିଲା।

ବୈଠକରେ କ’ଣ ହେଲା ଆଲୋଚନା?

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ। ଏହି ବୈଠକରେ ଯୋଗ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ଅନ୍ୟ ସଦସ୍ୟ।

ନୂଆ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଗଜପତି ମହାରାଜା ଏହି ବୈଠକରେ ସ୍ୱାଗତ କରିଥିଲେ। ଏହାପରେ ମଠ ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହାସହ ବୈଠକରେ ଶ୍ରୀମନ୍ଦିରର ବିକାଶ ସମ୍ପର୍କରେ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି।

‘‘ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭରେ ପ୍ରମୋଦ ଉଦ୍ୟାନ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି’’, କହିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଅଟକିଛି ମଠ ଉଚ୍ଛେଦ

ତିନି ଦିନ ବିତିଗଲା ପଛେ ମଠ ଉଚ୍ଛେଦ ପାଦେ ଆଗେଇ ପାରିଲାନି। ସାଧୁସନ୍ଥ ଏବଂ ମଠ ମହନ୍ତଙ୍କ ବିରୋଧ ଯୋଗୁଁ ପ୍ରଶାସନ ମଠରେ ହାତ ମାରିପାରୁନି। ଗୋଟିଏପଟେ ବିରୋଧ ବଢୁଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରି ଚାଲିଛନ୍ତି। ପୁରୀର ନବକଳେବର କରିବାକୁ ସରକାର ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି। ହେଲେ ମଠ ମହନ୍ତ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ମହନ୍ତ ନିଜ ଜିଦଷର ଅଟଳ ରହିଥିବା ବେଳେ ସରକାର ମଠ ଭାଙ୍ଗିବା ଜିଦ୍‌ରେ ଅଟଳ ରହିଛନ୍ତି। ଏପରିସ୍ଥଳେ ସବ୍‌ କମିଟି କ’ଣ ରିପୋର୍ଟ ଦେବ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଶାସନ ଗତ ତିନି ଦିନ ତଳେ ବଡ଼ ଆଖଡ଼ା ମଠ ଉଚ୍ଛେଦ ପାଇଁ ନୋଟିସ୍‌ ଦେଇଥିଲା। ହେଲେ ମହନ୍ତଙ୍କ ଅସହଯୋଗ ଯୋଗୁଁ ପ୍ରଶାସନ ଏଥିରେ ସଫଳ ହୋଇ ନଥିଲା। ମଠ ଉଚ୍ଛେଦ ସେବେଠାରୁ ହିଁ ଅଟକି ରହିଛି।

ସବ୍‌ କମିଟି କ’ଣ କରିବ?

ମଠ ଉଚ୍ଛେଦକୁ ବିରୋଧ କରି ଗଠନ ହୋଇଛି ପୁରୀ ସୁରକ୍ଷା ମଞ୍ଚ। ମଞ୍ଚର ୧୫ ଜଣିଆ ସଦସ୍ୟ ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲେ। ହେଲେ କୌଣସି ରାସ୍ତା ବାହାରିପାରି ନଥିଲା। ମଠ ମହନ୍ତ ବି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଫଳ ଶୂନ ହୋଇଥିଲା। ଏବେ ମଠ ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ ସବ୍‌ କମିଟି ଗଠନ ହୋଇଛିା ଏହି ସବ୍‌ କମିଟି ମଠ ସଂରକ୍ଷଣ ଉପରେ ସରକାରଙ୍କୁ କ’ଣ ସୁପାରିଶ କରୁଛି ତା’ ଉପରେ ସମସ୍ତଙ୍କ ନଜର।

Comment