ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଅମୀୟବାଳା ପରିଡ଼ା ତାଙ୍କ ପୁଅ ଗିରିଜାକୁ ହରାଇଛନ୍ତି। ସେହି ଦୁଃଖଦ ମୁହୂର୍ତ୍ତକୁ ମନେପକାଇଛନ୍ତି ଅମୀୟବାଳା।

“ସେ ନିଶ୍ଚୟ ଆସିବ। ମତେ ସେ କେମିତି ଛାଡ଼ି ଯାଇପାରିବ? ସେ ଆତ୍ମା ହେଲେ ମୁଁ ତା’ ଶରୀର। ସେ ମତେ କହିକି ଯାଇଛି ମାନେ ନିଶ୍ଚୟ ଫେରିବ’’, ପୁଅ ଗିରିଜାକୁ ମନେପକାଇ ଲୁହ ଛଳ ଛଳ ଆଖିରେ ଏହା କହିଛନ୍ତି ମା’ ଅମୀୟବାଳା ପରିଡ଼ା।

ଗିରିଜା ଶଙ୍କର ବାଗ୍‌ ହେଉଛନ୍ତି ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର। ଗତ ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗିରିଜାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଦିନ ସେହି ଦୁଃଖଦ ମୁହୂର୍ତ୍ତକୁ ଓଡ଼ିଶାଲାଇଭ୍ କ୍ୟାମେରା ଆଗରେ ବର୍ଣ୍ଣନା କରିଛନ୍ତି ମା’ ଅମୀୟବାଳା ପରିଡ଼ା।

ଗିରିଜାଙ୍କୁ ତାଙ୍କ ମା’ ସବୁଦିନ ଝୁରୁଛନ୍ତି। ଆଖିରୁ ଲୁହ ଗଡ଼ାଇ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ତାଙ୍କ ପୁଅ ଚାଲି ଯାଇଛି ବୋଲି ସେ ଆଜିବି ବିଶ୍ୱାସ କରିପାରୁ ନାହାନ୍ତି।

‘‘ସେ ମୋ’ ଅସରନ୍ତି କାହାଣୀ’’

ଗିରିଜା ଶଙ୍କର ବାଗ୍‌ର ଡାକ ନାଁ ହେଉଛି ଗୁରୁନ୍। ତାଙ୍କ ମା’ ଏହି ନାଁରେ ଏହି ଡାକୁଥିଲେ। ସେ ଗୁରୁବାର ଜନ୍ମ ହୋଇଥିବାରୁ ତାଙ୍କ ବାପା ନାଁ ଦେଇଥିଲେ ଗୁରୁନ୍। ହେଲେ ଗୁରୁନ୍ ୩ ମାସ ହେଲା ମା’କୁ ଛାଡ଼ି ଆରପାରିକୁ ଚାଲି ଯାଇଛି।

“ଗୁରୁନ୍ ବିଷୟରେ ଆଉ କ’ଣ କହିବି। ତା’ ବିଷୟରେ କେଉଁଠୁ ଆରମ୍ଭ କରିବି ଏବଂ କେଉଁଠି ଶେଷ କରିବି ତାହା ଜାଣିପାରୁନି। ସେ ହେଲା ମୋର ଅସରନ୍ତି କାହାଣୀ। ଯେତେ ଚେଷ୍ଟା କଲେ ବି ତାକୁ ଭୁଲି ପାରୁନି କି ପାରିବିନି ମଧ୍ୟ.. ।’’

ଗୋଟିଏ ମାଆ ନିଜ ଛୁଆକୁ କେବେ ଭୁଲିପାରବି ନାହିଁ। ଆଖି ଆଗରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ହରାଇଥିବା ପୁଅକୁ କେମିତି ଭୁଲିବେ ଅମୀୟବାଳା?

“ସମସ୍ତେ କହୁଛନ୍ତି ଗୋଟିଏ ଗିରିଜା ଚାଲିଯାଇଛି। କିନ୍ତୁ ଶହ ଶହ ପିଲାଙ୍କ ଆଖିରେ ତମେ ଗିରିଜାକୁ ଦେଖ। ତମେ ସମସ୍ତଙ୍କ ମାଆ ହୋଇ କାମ କର। ସବୁ କରୁଛି ଆଉ ସମସ୍ତଙ୍କ ପାଇଁ କାମ କରିବି ବୋଲି ମଧ୍ୟ ଦୃଢ଼ ପ୍ରତିଜ୍ଞା କରିଛି। କିନ୍ତୁ ତାରି ଭିତରେ ବି କୋଉଠି ନା କୋଉଠି ମନ ଭିତରକୁ ଆସିଯାଉଛି ସେ’’ ଗୁରୁନକୁ ଝୁରି ଝୁରି କହିଛନ୍ତି ଅମୀୟବାଳା।

ତା’ସ୍ୱପ୍ନକୁ ପୂରା କରିବି

‘‘ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ଥିଲା ଗିରିଜାଙ୍କର। ଏଣୁ ଗୋଟିଏ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଆରମ୍ଭ କରିବା ପାଇଁ ମୋ’ ଆଗରେ ସେ ଅଳି କରିଥିଲା। ଗୋଟିଏ ବୋଲି ପୁଅର ଖୁସି ଆଉ ଇଚ୍ଛାକୁ ସମ୍ମାନ ଦେବା ପାଇଁ ‘ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍ ଟ୍ରଷ୍ଟ୍’ ନାମରେ ଆରମ୍ଭ କରାଗଲା ଏକ ସମାଜସେବା ସଂସ୍ଥା। କାମ ବି ଚାଲିଥିଲା। କିନ୍ତୁ ହଠାତ୍ ଏମିତି ମଝି ଦରିଆରେ ସେ ଏକା କରି ଛାଡ଼ି ଚାଲିଯିବ ବୋଲି କେବେ ଭାବି ନଥିଲି’’, କହିଛନ୍ତି ଅମୀୟବାଳା।

“ତା’ରି ହସକୁ ସମସ୍ତଙ୍କ ମୁହଁରେ ଦେଖିବାକୁ ମୁଁ ଏବେ କାମ କରିବି। ମୋ ଜୀବନର ଏଇ ଗୋଟିଏ ହିଁ ଲକ୍ଷ୍ୟ।’’

ମାମା ମତେ ବଞ୍ଚାଅ…

“ମୁଁ ସବୁବେଳେ ଅନୁଭବ କରୁଛି ତା’ର ଗୋଟିଏ ଡାକ ‘ମାମା ମତେ ବଞ୍ଚାଅ’।’’

ରାସ୍ତା ଉପରେ ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ପଡ଼ି ମୃତ୍ୟୁ ସହିତ ସଂଘର୍ଷ କରିବା ସମୟରେ ନିଶ୍ଚିନ୍ତ ଭାବେ ସେ ମତେ ଖୋଜିଥିବ ବୋଲି କହିଛନ୍ତି ମାଆ ଅମୀୟବାଳା।

ପୁଅର ରକ୍ତ ବୋହିବାକୁ ତ ସେ ରୋକି ପାରିଲେ ନାହିଁ, କିନ୍ତୁ ଅନ୍ୟ କାହା ପୁଅର ରକ୍ତ ଏଭଳି ରାସ୍ତାରେ ନଯାଉ। ରକ୍ତ କାହାର ଜୀବନ ବଞ୍ଚାଇବାରେ ଲାଗୁ ବୋଲି ଅମୀୟବାଳାଙ୍କର ଗୋଟିଏ ଇଚ୍ଛା। ଏହି ଉଦ୍ଦେଶ୍ୟରେ ଅଗଷ୍ଟ ୨୫ ତାରିଖରେ ଆମ ଓଡ଼ିଶା ସଙ୍ଗଠନ ସହାୟତାରେ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଅମୀୟବାଳା।

 କେବେ ମିଛ କୁହନି

ଗିରିଜା ଚାଲିଯିବା ପରେ ଅମୀୟବାଳା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅ ଚାଲିଯିବାର ଦୁଃଖକୁ ସେ ଭୁଲିପାରି ନାହାନ୍ତି।

‘‘ମୋ’ ପୁଅ ଆଜି ମୋ’ ପାଖରେ ନାହିଁ। ହେଲେ ଗିରିଜାର ସାଙ୍ଗ ସାଥୀ ଏବଂ ତା’ ସମସାମୟିକ ପିଲାଙ୍କୁ ଏତିକି କହିବି ଯେ ବାପା, ମା’ଙ୍କୁ କେବେ ମିଛ କୁହନି। ଗୋଟିଏ କଥା ଲୁଚାଇବାକୁ ଯାଇ ସେ ବଡ଼ ଭୁଲ୍‌ କରିଥିଲା। ମିଛ ପାଇଁ ଦୁଇ ଦୁଇଟି ଜୀବନ ଚାଲିଗଲା।’’

‘‘ମୁଁ ଜାଣିଛି ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ମୁଁ ଜାଣିଛି ସେ ଆଉ ଫେରି ଆସିବନି। ମୁଁ କେବଳ ମିଛ ଆଶ୍ୱାସନାକୁ ନେଇ ବଞ୍ଚୁଛି। ଏଣୁ ସମସ୍ତଙ୍କୁ ଅନୁରୋଧ କେହି କେବେ ଏମିତି ଭୁଲ୍ କରନାହିଁ।

ପିଲାମାନଙ୍କ ସହ ବାପା, ମା’ ବନ୍ଧୁ ଭଳି ସମ୍ପର୍କ ରଖନ୍ତୁ

ଗିରିଜା ତା’ ସାଙ୍ଗକୁ ରକ୍ଷା କରିବାକୁ ଯାଇ ଜୀବନ ଦେଇଥିବା ଶୁଣିବାକୁ ପାଇଲି। ପିଲାମାନେ ଏହି ବୟସରେ ହିଁ ଭୁଲ କରିଥାନ୍ତି। ହେଲେ ପିଲାମାନେ କ’ଣ କରୁଛନ୍ତି ଏବଂ କୁଆଡ଼େ ଯାଉଛନ୍ତି ସେ ବିଷୟରେ ବାପା, ମା’ମାନେ ନିହାତି ଜାଣିବା ଦରକାର। ଏଣୁ ସବୁ ମା’ ବାପାମାନେ ତାଙ୍କ ପିଲାମାନଙ୍କ ସହ ବନ୍ଧୁ ଭଳି ମିଶିବା ଦରକାର ବୋଲି କହିଛନ୍ତି ଅମୀୟବାଳା।

‘‘ଆଜି ମୁଁ ମୋ ପୁଅକୁ ହରାଇଛି। ପୁଅକୁ ହରାଇ ମୁଁ ଯେମିତି କାନ୍ଦୁଛି ସେମିତି ଆଉ କୋଉ ମା’ ଏମିତି ନକାନ୍ଦୁ। କୋଉ ବାପା ବି ନକାନ୍ଦୁ’’, କୋହଭରା କଣ୍ଠରେ ଏହା କହିଛନ୍ତି ଅମୀୟବାଳା।

ଗତ ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତିନି ଜଣ ସାଙ୍ଗ ଥିଲେ। ତିନି ଜଣଙ୍କ ଭିତରୁ ଚନ୍ଦ୍ରାଂଶୁ ଶେଖର ପତିମିଶ୍ର ଏବଂ ଗିରିଜା ଶଙ୍କର ବାଗ୍‌ଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ।

ଚନ୍ଦ୍ରାଂଶୁଙ୍କ ମା’ ନମିତା ପତିମିଶ୍ର ବି ପୁଅକୁ ପ୍ରତି ମୁହୂର୍ତ୍ତରେ ଝରୁଛନ୍ତି। ପୁଅକୁ ଝୁରି ଝୁରି ନମିତା କ’ଣ କହିଛନ୍ତି ପଢ଼ନ୍ତୁ :-

‘‘ମୋ’ ପୁଅ ଚାଲିଗଲା, ମୋ’ ସ୍ୱପ୍ନ ଚୁନା ହୋଇଗଲା’’

Comment