ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ନ୍ୟୁଜ ଆଙ୍କରଙ୍କୁ ସୋରୁ ହଟାଇବା ନେଇ ସୋସିଆଲ ମିଡିଆରେ ଦର୍ଶକମାନେ ଉତକ୍ଷିପ୍ତ ହୋଇଛନ୍ତି। ଘଟଣାଟି ଘଟିଛି ଟାଇମ୍ସ ଗ୍ରୁପର ଲୋକପ୍ରିୟ ନ୍ୟୁଜ ଚାନେଲ ‘ମିରର ନାଓ’ର ମୁଖ୍ୟ  ଆଙ୍କର ଫଏ ଡିସୌଜାଙ୍କୁ ନେଇ। ସେ ମିରର ନାଓର କାର୍ଯ୍ୟବାହୀ ସମ୍ପାଦକ ବି ଥିଲେ। ଖୁବ୍ କମ ଦିନ ମଧ୍ୟରେ ଫଏ ଜଣେ ଆଗ ଧାଡ଼ିର ସାମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ।

ତାଛଡ଼ା ଏହି ଚାନେଲର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦ ଅର୍ବାନ ଡିବେଟ’ରେ ସେ ଆଙ୍କରିଙ୍ଗ କରୁଥିଲେ। ଦେଶର ଓ ସାଧାରଣ ଲୋକଙ୍କ ସମସ୍ୟାକୁ ସେ ଏତେ ସୁନ୍ଦର ଭାବରେ ଉପସ୍ଥାପନ କରୁଥିଲେ ଯେ ହଜାର ହଜାର ଦର୍ଶକ ତାଙ୍କର ଫ୍ୟାନ ହୋଇଯାଇଥିଲେ। ଅତି ପ୍ରାଞ୍ଜଳ ଭାବରେ ସମସ୍ୟାକୁ ଆଲୋଚନା ଭିତରକୁ ଆଣିବା ବ୍ୟତୀତ ସାଧାରଣ ବର୍ଗଙ୍କ ଭାଷାରେ ସେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ।

ସୋମବାର ଦିନ ତାଙ୍କର ଇସ୍ତଫା କଥା ଯେତେବେଳେ ଜଣାପଡ଼ିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ତାପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ମିରର ନାଓର ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ସମାଲୋଚନା ଓ ବିଷୋଦ୍‌ଗାର। ଫଏଙ୍କ କର୍କଶ ଉପସ୍ଥାପନାରେ ସରକାର ବିବ୍ରତ ହୋଇ ମ୍ୟାନେଜମେଣ୍ଟ ଉପରେ ଚାପ ପକାଇଥିଲେ ବୋଲି ମତ ଦେବାଠାରୁ ଯଦି ଚାନେଲର ସାହସ ଅଛି ତାଙ୍କୁ ସୋ’କୁ ଫେରାଇ ଆଣନ୍ତୁ ଏଭଳି ହଜାର ହଜାର ମନ୍ତବ୍ୟ ଫେସବୁକରେ ପୋଷ୍ଟ ହୋଇଥିଲା।

ଏହି ଅସନ୍ତୋଷକୁ ଦୃଷ୍ଟିରେ ରଖି ମିରର ନାଓ ପକ୍ଷରୁ ଏକ ସ୍ପଷ୍ଟୀକରଣ ବି ଦିଆଯାଇଥିଲା। ଫଏ ନିଜେ ବି ଟୁଇଟ କରି କହିଥିଲେ ଯେ ସେ ଦୈନନ୍ଦିନ ଖବର ପରିଚାଳନାରୁ ଅବ୍ୟାହତି ନେଇଛନ୍ତି ସତ, ହେଲେ ସେ ଟାଇମସ୍ ଗ୍ରୁପ ସହତ ବରାବର  ରହିଛନ୍ତି ଓ ଆଗକୁ ଅଧିକ ଭଲ ଭଲ କାର୍ଯ୍ୟକ୍ରମ ତିଆରି କରିବା ପାଇଁ ସମୟ ନିୟୋଜିତ କରିବେ।

ଫଏଙ୍କ ଫ୍ୟାନମାନେ କିନ୍ତୁ ଏହିସବୁ ସଫେଇକୁ ମାନିବା ପାଇଁ ନାରାଜ। ଜଣେ ଫେସବୁକରେ ଲେଖିଲେ, ‘କାହାକୁ ବୋକା ବନାଇବା ପାଇଁ ଚେଷ୍ଟା କରୁଛ? ତୁମେ ଗଲ ତ ଚ୍ୟାନେଲ ବି ଯିବ।’ ଏପରିକି ହଜାର ହଜାର ହଜାର ଦର୍ଶକ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରି ତାଙ୍କୁ ସୋ’କୁ ଫେରାଇ ଆଣିବାକୁ ମ୍ୟାନେଜମେଣ୍ଟକୁ ଅନୁରୋଧ କରିଥିଲେ।

Comment