ଓଡ଼ିଶାଲାଇଭ ବ୍ୟୁରୋ

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା ଆୟୋଜିତ ହୋଇଛି। ଏହି ସନ୍ଧ୍ୟାରେ କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ହୋଇଥିଲା।

ସୃଜନ ଅନୁଷ୍ଠାନ ଦ୍ୱାରା ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା ଆୟୋଜିତ ହୋଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ଗୀତ ସଙ୍ଗୀତରେ ଚମ୍ପୁ, ଜଣାଣ, ପ୍ରବନ୍ଧ ସହିତ ଓଡ଼ିଶୀ ଦଳଗତ ନୃତ୍ୟ ଓ ଅଭିନୟ ଦେଖିବାକୁ ମିଳିଥିଲା।

ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ବିଜୟ କୁମାର ଜେନାଙ୍କ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣରୁ। ତାଙ୍କ ପ୍ରସ୍ତୁତିରେ ଥିଲା ‘ପ୍ରାଣଧନ ପ୍ରାଣ ରଖ ଧରୁଛି ତୋ ପାଣିକି’। ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିରାମ ପରମହଂସଙ୍କ ଜଣାଣ ‘ହେ ନାରାୟଣ ଯାହା ରାଗ ବଜ୍ରକାନ୍ତି ଓ ତାଳ ରୂପକ’। ତାଙ୍କର ଶେଷ କଣ୍ଠ ସଙ୍ଗୀତଟି ଥିଲା ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ନକରରେ ମାନ ଯାହା ରାଗ ଭୈରବୀ’।

ତାଙ୍କୁ ମର୍ଦ୍ଦଳରେ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଶ୍ରୀନୀବାସ ଶତପଥୀ, ହାରମୋନିୟମରେ ବାଳକୃଷ୍ଣ ଜେନା, ମଞ୍ଜିରାରେ ସୀତାକାନ୍ତ ଜେନା ଓ ତାନପୁରାରେ ସନ୍ଧ୍ୟାରାଣୀ ରାଉତ ସହଯୋଗ କରିଥିଲେ। ଓଡ଼ିଶୀ ସଙ୍ଗୀତର ସବୁ ପର୍ଯ୍ୟାୟକୁ ଗୁରୁ ବିଜୟ କୁମାର ଜେନା ଅତି ଚମତ୍କାର ଭାବରେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ।

ପରବର୍ତ୍ତୀ ପରିବେଷଣଟି ଥିଲା ଗୁରୁ ଅଶୋକ କୁମାର ଘୋଷାଲଙ୍କ ନୃତ୍ୟଶାଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ ନୃତ୍ୟ। ‘ମୁଁ ନୃତ୍ୟନାଟିକା’ଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତି ଚମତ୍କାର ଭାବରେ ପରିବେଷଣ କରିଥିଲେ ନୃତ୍ୟଶାଳାର ଶିଳ୍ପୀମାନେ। ଏହାକୁ ରଚନା କରିଥିଲେ ଗୁରୁ ନବମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ହିମାଂଶୁ ଶେଖର ସ୍ୱାଇଁ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଅଜୟ ଚୌଧୁରୀ।

ଷଷ୍ଠ ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ‘ଜଗନ୍ନାଥ ଗୋପୀନାଥ’, ‘ବୈଷ୍ଣବଙ୍କ ଅନୁସାରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ’। ଗୁରୁ ଏହାକୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟାୟନ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଉତ୍ସବର ଅତିଥି ଥିଲେ ଲେଖିକା ପ୍ରତିଭା ରାଏ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଡକ୍ଟର ଶ୍ରୀନୀବାସ ଘଟୁଆରୀ।

Comment