ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେପ୍ଟେମ୍ବର ୫ରୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ
  • ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପାଇବେ ରାଜ ଗୋପାଳ ମିଶ୍ର
  • ପ୍ରଭାତ କୁମାର ସ୍ୱାଇଁ ଓ ହିମାଂଶୁ ଶେଖର ସ୍ୱାଇଁଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ

ଓଡ଼ିଆ ସିନେମା ଜଗତର ଭେଟେରାନ୍ ସିନେମାଟୋଗ୍ରାଫର୍ ରାଜ ଗୋପାଳ ମିଶ୍ରଙ୍କୁ ମିଳିବ ଚଳିତ ବର୍ଷର ସମ୍ମାନଜନକ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର। ଏଥିସହିତ ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ କୁମାର ସ୍ୱାଇଁ ଏବଂ ଓଡ଼ିଶୀ ସଙ୍ଗୀତ ପାଇଁ ହିମାଂଶୁ ଶେଖର ସ୍ୱାଇଁଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ। ଶ୍ରୀଜନ ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୬ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରେ ଏହି ସମ୍ମାନ ମିଳିବ ବୋଲି କୁହାଯାଇଛି।ଗତ ୨୫ ବର୍ଷ ଧରି ଶ୍ରୀଜନ ପକ୍ଷରୁ ଏହି ଉତ୍ସବ ଆୟୋଜିତ ହୋଇଆସୁଅଛି। ଚଳିତବର୍ଷ ମଧ୍ୟ କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ସମସ୍ତ ଗାଇଡଲାଇନକୁ ପାଳନ କରାଯିବା ସହିତ ଏହି ଉତ୍ସବ ପାଳନ ହେବ। ସେପ୍ଟେମ୍ବର ୫ ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଚଳିତବର୍ଷର ଏହି ଉତ୍ସବକୁ ଉଦଘାଟନ କରିବେ। ଏହାପରେ ୫ଦିନ ଧରି ଏହି ନୃତ୍ୟ ଓ ସଙ୍ଗୀତର ଏହି ଉତ୍ସବ ଜାରି ରହିବ। ଯାହାକୁ ଦର୍ଶକମାନେ ଫେସବୁକ ଓ ୟୁଟ୍ୟୁବ୍ ଜରିଆରେ ଦେଖିପାରିବେ।

ସ୍ୱର୍ଗତ ସଙ୍ଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତବର୍ଷର ଏହି ଉତ୍ସବକୁ ଉତ୍ସର୍ଗ କରାଯାଇଛି। ୫ ଦିନର ଏହି ଉତ୍ସବରେ ନୃତ୍ୟାଙ୍ଗନା ମଧୁସ୍ମିତା ମହାନ୍ତି ଓଡ଼ିଶୀ ନୃତ୍ୟ, ପ୍ରବୀଣ କୁମାର ଭାରତନାଟ୍ୟମ, ଗୌରୀ ଦିବାକର କଥକ ଏବଂ ପୂର୍ବାଧନଶ୍ରୀ ବିଳାଶିନୀ ନାଟ୍ୟମ ନୃତ୍ୟ ପରିବେଷଣ କରିବେ। ସେହିପରି ଉଦଘାଟନୀ ସନ୍ଧ୍ୟାରେ ବିଶ୍ୱମୋହନ ଭଟ୍ଟ ହିନ୍ଦୁସ୍ଥାନୀ ସଙ୍ଗୀତ ପରିବେଷଣ କରିବେ ବୋଲି ଜଣାପଡ଼ିଛି। ଏଥିସହିତ ପ୍ରସିଦ୍ଧ ମାର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ତୃତୀୟ ଦିନର ସନ୍ଧ୍ୟା ଏବଂ କର୍ଣ୍ଣାଟକ କଣ୍ଠଶିଳ୍ପୀ ଅଭିଶେକ ରଘୁରାମ ଚତୁର୍ଥ ଦିନର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

Odissi Dance

ଉତ୍ସବର ଶେଷ ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଓ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ସେହିଦିନ ସନ୍ଧ୍ୟାରେ ଶ୍ରୀଜନ ପକ୍ଷରୁ ଅନେଷ୍ୱଣ ନାମକ ଏକ ନୂତନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ। ଏହି ନୃତ୍ୟକୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ଶିଳ୍ପୀମାନେ ପରିବେଷଣ କରିବେ।BGUଗତ ୨୫ ବର୍ଷ ଧରି ନୃତ୍ୟ, ସଙ୍ଗୀତ, ସିନେମା ଓ ଥିଏଟର ଜଗତରେ ସଫଳ ଓ ଉଲ୍ଲେଖନୀୟ ଅବଦାନ ରଖିଥିବା ମୋଟ ଜଣ ୬୦ ବ୍ୟକ୍ତିବିଶେଷମାନଙ୍କୁ ଗୁରୁକେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଏବାବଦରେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥାଏ। ସେହିପରି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଜଗତରେ ସଫଳ ହୋଇଥିବା ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିବିଶେଷମାନଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥାଏ। ଚଳିତବର୍ଷର ଏହି ଉତ୍ସବକୁ ଓଏମସି, ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରାଳୟ ଓ ଓଡ଼ିଶା ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here