ଓଡ଼ିଶାଲାଇଭ୍ ବ୍ୟୁରୋ

କଶ୍ମୀର ମାମଲାରେ ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ରାଗ ପଞ୍ଚମକୁ ଉଠି ଆସିଛି। ଯୁଆଡ଼େ ଯାଉଛନ୍ତି ଭାରତ ବିରୋଧରେ ସେ ଗର୍‌ଗର୍‌ ହେଉଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ଆଜି ଇମ୍ରାନ ଭାରତ ବିରୋଧରେ ତତେଇକି ଭାଷଣ ଦେଇଛନ୍ତି।

ପିଓକେ ରାଜଧାନୀ ମୁଜାଫରବାଦ୍‌ରେ ଅନୁଷ୍ଠିତ ‘ଜଲ୍‌ସା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଇମ୍ରାନ୍‌। ଏହି କାର୍ଯ୍ୟକ୍ରମରେ ପିଓକେବାସୀଙ୍କୁ ତତେଇକି ଭାଷଣ ଦେଇଥିଲେ ଇମ୍ରାନ୍‌।

ଇମ୍ରାନ୍‌ କହିଥିଲେ, ‘‘ମୁଁ ଜାଣିଛି ଆପଣମାନଙ୍କ ଭିତରୁ କିଛି ଲୋକ ଏଲ୍‌ଓସି ପାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏବେ ସେ ସମୟ ଆସିନି। ଅପେକ୍ଷା କରନ୍ତୁ। ମୁଁ ଯେତେବେଳେ କହିବି ସେତେବେଳେ ହିଁ ଆପଣମାନେ ଏଲ୍‌ଓସି ପାର୍‌ କରିବେ।’’

‘‘କଶ୍ମୀର ମାମଲାକୁ ପୁଣି ଜାତିସଂଘର ସାଧାରଣ ପରିଷଦରେ ଉଠାଯିବ। ଭାରତର ଅସଲ ଗୁମର ଖୋଲାଯିବ। ମୁସଲିମ୍‌ ବହୁଳ ରାଷ୍ଟ୍ର କଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ କରୁ ନାହାନ୍ତି। କାରଣ ଭାରତ ସହିତ ସେମାନଙ୍କର ଆର୍ଥିକ କାରବାର ଥିବାରୁ ସେମାନେ ଚୁପ୍‌ ରହୁଛନ୍ତି’’, କହିଛନ୍ତି ଇମ୍ରାନ୍ ଖାନ୍‌।

କଶ୍ମୀର ମାମଲାକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ଏବଂ ମନାଧିକାର ପରିଷଦରେ ଉଠାଇଥିଲା। ସବୁଠି ନିରାଶ ହୋଇଥିଲା ପାକ୍‌। ଭାରତକୁ ସବୁଠି ସମର୍ଥନ ମିଳୁଥିବାରୁ ଇମ୍ରାନ୍ ବିଳିବିଳି ହେଉଛନ୍ତି।

Comment