ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀର ପାଇଁ ମିନେରାଲ୍ସ ବା ଖଣିଜ ଲବଣ ଖୁବ୍ ଜରୁରୀ। ଏହା ଶରୀରକୁ ସଠିକ୍ ଭାବେ ସଞ୍ଚାଳନ କରିବାରେ ସାହାଯ୍ୟ କରେ। ଶରୀରରେ ମିନେରାଲ୍ ଅଭାବ ଦେଖା ଦେଲେ ହାଲିଆ ଲାଗିବା, ହାଡ଼ ଦୁର୍ବଳ ହେବା ଏବଂ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର କାରଣ ହୋଇଥାଏ।

ସାଧାରଣତଃ ଶରୀର ପାଇଁ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଓ ଜିଙ୍କ୍ ଜରୁରୀ ହୋଇଥାଏ। ଏହା ଶରୀର ପାଇଁ  ପଞ୍ଚତତ୍ୱ ବା ୫ ଗୋଟି ଉପାଦନ। ଯାହା ଶରୀରକୁ ଆବଶ୍ୟକୀୟ ଖଣିଜ ଲବଣ ଯୋଗାଇଥାଏ।

କିନ୍ତୁ ଆଜିର ଜୀବନଶୈଳୀ, ଶରୀର ପାଇଁ ସବୁଜ ପନିପରିବା ତଥା ଫଳର ଅଭାବ ଏବଂ ଅତ୍ୟଧିକ ଜଙ୍କ୍ ଫୁଡର ସେବନ ଶରୀରରେ ମିନେରାଲ୍ସକୁ କମ୍ କରିଦିଏ। ଆସନ୍ତୁ ଜାଣିବା ଶରୀରରେ ଏହି ପାଞ୍ଚଗୋଟି ମିନେରାଲ୍ସ୍ର ଅଭାବ ଥିଲେ କ’ଣ ହୁଏ।

କ୍ୟାଲସିୟମ

ମଜବୁତ ହାଡ଼ ଓ ଦାନ୍ତ ପାଇଁ କ୍ୟାଲସିୟମ୍ ଅତ୍ୟନ୍ତ ଜରୁରୀ। ଏହା ରକ୍ତବାହିକା, ମାଂସପେଶୀ, ତନ୍ତ୍ରିକା ଓ ହର୍ମୋନଗୁଡ଼ିକୁ ଉଚିତ ଭାବେ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।

କ୍ୟାଲସିୟମର ଅଭାବ ଯୋଗୁଁ ମାଂସପେଶୀ ଟାଣ ହୋଇଯିବା, ବଧିରା ହେବା, ଆଙ୍ଗୁଠି ଝିମା ଧରିବା, ହାଲିଆ ଲାଗିବା, କମ୍ ଭୋକ ହେବା, ହୃଦ୍‌ସ୍ପନ୍ଦନ ଠିକ୍ ଭାବେ ନ ହେବା ଭଳି  ସମସ୍ୟା ଦେଖାଦିଏ।

ଶରୀରରେ ବହୁ ଦିନ ଧରି କ୍ୟାଲସିୟମର ଅଭାବ ‘ଅଷ୍ଟିୟୋପେନିଆ’ ନାମକ ରୋଗର କାରଣ ହୋଇପାରେ। ଏହା ଧୀରେ ଧୀରେ ‘ଅଷ୍ଟିଓପୋରୋସିସ୍’ ରୋଗରେ ପରିବତ୍ତର୍ନ ହୋଇପାରେ। ଏହା ହାଡ଼ ଭାଙ୍ଗିବା ସମସ୍ୟାର କାରଣ ହୋଇପାରେ।

ଦହି, କ୍ଷୀର, ଛେନା, ପନିର, ମାଛ, ବ୍ରୋକୋଲି, କୋବି ଭଳି ସବୁଜ ପନିପରିବା, ରାଜମା, ହଳଦିଆ ମଟର, ସୁଲିଚଣା, ଡାଲିଜାତୀୟ ପଦାର୍ଥ ଏବଂ ମଟରରେ କ୍ୟାଲସିୟମ୍ ସ୍ରୋତ ଅତ୍ୟଧିକ ପରିମାଣରେ ରହିଛି।

ଆଇରନ୍

ଆଇରନଯୁକ୍ତ ଖାଦ୍ୟ ହିମୋଗ୍ଲୋବିନ ତିଆରି କରିବାରେ ସାହାଯ୍ୟ କରିଥାଏ। ଶରୀରରେ ଅଧାରୁ ଅଧିକ ଆଇରନ୍ ରକ୍ତ କୋଷିକାରେ ରହିଥାଏ। ଏହାବ୍ୟତୀତ ଅନ୍ୟ ପ୍ରୋଟିନ୍ ଓ ଏଞ୍ଜାଇମ୍‌ରେ ବି ଆଇରନ୍ ରହିଛି।

ଆଇରନର ଅଭାବରେ ଏନିମିଆ ରୋଗର ଶିକାର ହେବାର ଆଶଙ୍କା ରହିଛି।

ମାଛ, ମାଂସ, ଛେଳି ମାଂସ, ଅଣ୍ଡା, ରାଜମା, ଡାଲିଜାତୀୟ ଖାଦ୍ୟ ପଦାର୍ଥ, ବିନ୍ସ ଆଦି ମାଟି ତଥା ଶସ୍ୟଜାତୀୟ ଖାଦ୍ୟରେ ଆଇରନ ଭରପୂର ମାତ୍ରାରେ ଥାଏ।

ମ୍ୟାଗ୍ନେସିୟମ୍

ଶରୀରର ବିଭିନ୍ନ ରାସାୟନିକ ପ୍ରତିକ୍ରିୟା ପାଇଁ ମ୍ୟାଗ୍ନେସିୟମ୍ ଆବଶ୍ୟକ।

ମ୍ୟାଗ୍ନେସିୟମ୍‌ର ଅଭାବରୁ ହାଲିଆ ଲାଗିବା, ଦୁର୍ବଳତା, ବାନ୍ତି ଲାଗିବା, ଭୋକ ନ ହେବା, ମନ ଭଲ ନ ରହିବା ଭଳି ସମସ୍ୟା ଦେଖାଦିଏ।

ଶରୀରର ପ୍ରାୟ ୬୦ ଭାଗ ମ୍ୟାଗ୍ନେସିୟମ୍ ହାଡ଼ରେ ଏବଂ ୪୦ ଭାଗ ମାଂସପେଶୀରେ ତଥା ସୁକ୍ଷ୍ମ ଟିସ୍ୟୁ କୋଷିକାଗୁଡ଼ିକରେ ରହିଛି।

ମ୍ୟାଗ୍ନେସିୟମଯୁକ୍ତ ଖାଦ୍ୟ ପଦାର୍ଥଗୁଡ଼ିକ ହେଲା ଡାଲିଜାତୀୟ ଶସ୍ୟ, ରାଜମା, ବିଭିନ୍ନ ପ୍ରକାର ବାଦାମ, ଶସ୍ୟଜାତୀୟ ଖାଦ୍ୟ, ସବୁଜ ପନିପରିବା ମୁଖ୍ୟକରି ପାଳଙ୍ଗ ଶାଗ।

 ପୋଟାସିୟମ୍

ପୋଟାସିୟମ୍ ଏପରି ଏକ ଖଣିଜ ଯାହା ଶରୀରରେ ଇଲେକ୍‌ଟ୍ରୋଲାଇଟ୍ ଭଳି କାମ କରେ। ମାଂସପେଶୀର ସଙ୍କୁଚନ, ସଠିକ୍ ଭାବେ ହୃତ୍‌ପିଣ୍ଡ ସଞ୍ଚାଳନ ପାଇଁ ପୋଟାସିୟମ୍ ବହୁତ ଦରକାର।

ପୋଟାସିୟମ୍ ଅଭାବରେ ଦୁର୍ବଳତା, ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଏହାବ୍ୟତୀତ ପେଟବ୍ୟଥା, ପାଚନକ୍ରିୟା ଠିକ୍ ଭାବେ ନ ହେବା, ଆଦି ସମସ୍ୟା ହୁଏ।

କଦଳୀ, ପତ୍ରଜାତୀୟ ପରିବା ଯେପରିକି ବିଭିନ୍ନ ପ୍ରକାର ଶାଗ, ବିଟ୍, ଆଳୁ ଖାଆନ୍ତୁ। କମଳା ରସ ଏବଂ ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ଥାଏ।

ଜିଙ୍କ୍

ଅନ୍ୟ ସବୁ ମିନେରାଲ୍ ଭଳି ଶରୀର ପାଇଁ ଜିଙ୍କ୍‌ ବି ଅତନ୍ତ୍ୟ ଉପଯୋଗୀ। ଇମ୍ୟୁନ୍‌ ସିଷ୍ଟମ୍‌ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ଜିଙ୍କ୍‌ ଆବଶ୍ୟକ।

ଜିଙ୍କ୍ ଅଭାବରେ କେଶ ଝଡ଼ିବା, ଅତ୍ୟଧିକ ଝାଡ଼ା ହେବା ଭଳି ସମସ୍ୟା ଦେଖାଦିଏ।

ମାଂସ, ରେଡ୍ ମିଟ୍, ଅଣ୍ଡା ଆଦି ବ୍ୟତୀତ ବାଦାମ, ପିସ୍ତା ବାଦାମ, ଆଲମଣ୍ଡ, ଶସ୍ୟଜାତୀୟ ଖାଦ୍ୟ ଏବଂ ଦୁଗ୍ଧଜାତୀୟ ଖାଦ୍ୟ ପଦାର୍ଥରେ ଜିଙ୍କ୍ ପ୍ରଚୁର ପରିମାଣରେ ଥାଏ।

Comment