ଓଡ଼ିଶାଲାଇଭ୍ ବ୍ୟୁରୋ

ଆକ୍ସନମୋଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ଏଜୁକେସନ ଅଫିସର ପରିଦର୍ଶନରେ ଆସି ଦୁଇ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲିଅନ୍ତା ବିଇଓ ଅଫିସ୍‌ରେ କାମ କେମିତି ଚାଲିଛି? ଏହାର ତଦାରଖ କରିବା ପାଇଁ ଆଜି ମନ୍ତ୍ରୀ ବିଇଓ ଅଫିସ୍‌କୁ ଅଚାନକ ଆସିଥିଲେ। ମନ୍ତ୍ରୀ ସାଢ଼େ ୧୦ଟାରେ ଏହି ଅଫିସ୍‌ରେ ପହଞ୍ଚିଥିଲେ।

୧୦ଟା ୪୦ ଯାଏଁ ମନ୍ତ୍ରୀ ଅଫିସ୍‌ ପରିଦର୍ଶନ କରିଥିଲେ। କର୍ମଚାରୀଙ୍କ ଆଟେଣ୍ଡାଣ୍ଟ ରେଜିଷ୍ଟର ଦେଖିଥିଲେ ମନ୍ତ୍ରୀ। ଦୁଇ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ। ୧୦ଟା୪୦ ସୁଦ୍ଧା ଦୁଇ ଜଣ କର୍ମଚାରୀ କାହିଁକି ଅଫିସ୍‌ ଆସି ନାହାନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ହେଲେ ନିର୍ଦ୍ଦିଷ୍ଟ ଉତ୍ତର ନମିଳିବାରୁ ମନ୍ତ୍ରୀ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏହାସହ ଦିନକର ଦରମା କାଟିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ମନ୍ତ୍ରୀ ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରତାପ ଶାସନ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ଖାତା ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

Comment