ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ। ଆଜି ଭୁବନେଶ୍ଵରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏବର୍ଷ ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଛନ୍ତି। ଚଳିତ ବର୍ଷ ଯୁକ୍ତ କଳାରେ ମୋଟ୍ ପାସ୍ ହାର ୯୮.୫୮ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ www.orissaresults.nic.in ଓ୍ଵେବସାଇଟ୍‌ରୁ ନିଜ ନିଜର ପରୀକ୍ଷା ଫଳ ଜାଣିବା ସହ ମାର୍କ ସିଟ୍ ଡାଉନଲୋଡ୍ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ଯୁକ୍ତ ଦୁଇ କଳା ରେଗୁଲାରରେ ମୋଟ୍ ୧ ଲକ୍ଷ ୮୯ ହଜାର ୩୬୩ ଜଣ ଛାତ୍ରାଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପାସ୍ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୦,୫୧୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୪୬,୧୦୧ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୦,୦୭୪ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଏଥିସହ କଳାରେ ୯୦ ପ୍ରତିଶତ ଉପରେ ମାର୍କ ରଖିଥିବା ଛାତ୍ରାଛାତ୍ରୀଙ୍କ ସଂଖ୍ୟା ହେଉଛି ୯୫ ଜଣ, ଯାହାକି ଗତ ବର୍ଷ ଥିଲା ଜଣେ। ଏଥରର ମୋଟ୍ ପାସ୍ ହାର ରହିଛି ୯୮.୫୮ ପ୍ରତିଶତ।ସେହିପରି ଚଳିତ ବର୍ଷ କଳା ଏକ୍ସ ରେଗୁଲାରରେ ମୋଟ୍ ୨୭ ହଜାର ୫୯୫ ଜଣ ଛାତ୍ତଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ ହୋଇଛନ୍ତି ୭,୧୬୧ ଜଣ। ମୋଟ୍ ପାସ୍ ହାର ହେଉଛି ୨୬ ପ୍ରତିଶତ। ଏକ୍ସ ରେଗୁଲାରରେ ପ୍ରଥମ ଶ୍ରେଣୀରେ ୨,୧୨୬ ଜଣ, ଦ୍ଵିତୀୟରେ ୧୯୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୬,୭୨୬ ଜଣ ପାସ୍ କରିଛନ୍ତି। ଏଥିସହିତ କମ୍ପାଟମେଣ୍ଟାଲରେ ୨୦୬ ଜଣ ପାସ୍ କରିଛନ୍ତି।

ସେହିପରି ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାର ରେଗୁଲାର ବର୍ଗରେ ମୋଟ୍ ୪,୯୨୦ ଜଣ ପରୀକ୍ଷା ଦେଇଥିବା ବେଳେ ୪,୮୭୯ ଜଣ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ହେଉଛି ୯୯.୧୬ ପ୍ରତିଶତ। ଏକ୍ସ ରେଗୁଲାର ବର୍ଗରେ ମୋଟ୍ ୧୨୭୭ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ ହୋଇଛନ୍ତି ୪୫୨ ଜଣ।

ଅନ୍ୟପଟେ ଓଡ଼ିଶା ରାଜ୍ୟ ମାଦ୍ରାସା ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ‘ମାହେ’ ପରୀକ୍ଷାରେ ମୋଟ୍ ୪୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୯୨ ଜଣ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ହେଉଛି ୯୬.୭ ପ୍ରତିଶତ। ଭଦ୍ରକ ଜିଲ୍ଲାର ସେକ୍ ସର୍ଫରାଜ୍ ଆଲାମ ୮୨.୫ ପ୍ରତିଶତ ମାର୍କ ରଖି ମାଦ୍ରାସାରେ ପ୍ରଥମ ସ୍ଥାନରେ ରହିଛନ୍ତି।କୋଭିଡ ପାଇଁ ଏବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ତେଣୁ ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥିବେ ସେମାନେ ଆସନ୍ତା ୨୩ ତାରିଖ ସୁଦ୍ଧା ନିଜ କଲେଜର ପ୍ରିନ୍ସପାଲଙ୍କୁ ଉପଯୁକ୍ତ ପ୍ରମାଣ ଦେବେ। ତାହା ଆଧାରରେ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ନେବେ। ସେହିପରି ଯେଉଁମାନେ ଆଉଥରେ ପରୀକ୍ଷା ହେବାକୁ ଚାହିଁବେ ସେମାନେ ଅଫଲାଇନ୍ ଜରିଆରେ ପରୀକ୍ଷା ଦେଇପାରିବେ। ଏଥିଲାଗି ଆସନ୍ତା ୨୧ ତାରିଖରେ ବୋର୍ଡ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

Comment