ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା(୧୪)
ଶକ୍ତି ଶବ୍ଦ ପଛରେ କେତେ ତତ୍ତ୍ଵ ଅଛି, ତାକୁ ତଦନ୍ତ କରିବା ଆବଶ୍ୟକ। ଚାଲିବା ଗୋଟିଏ ଶକ୍ତି, ଦଉଡିବା ଆଉ ଗୋଟିଏ ଶକ୍ତି, ପହଁରିବା ପୁଣି ଆଉ ଏକ ଶକ୍ତି। ଗଛ ଚଢିବା ଗୋଟିଏ ଶକ୍ତି, କଥା କହିବା ଗୋଟିଏ ଶକ୍ତି, ପୁଣି ଲେଖିପାରିବା ଆଉ ଗୋଟିଏ ଶକ୍ତି। ଏ’ପରି ଶକ୍ତି ଅଜସ୍ର ! ଏ ସମସ୍ତ ଶକ୍ତି ଗୋଟିଏ ଶକ୍ତିର ବିଭିନ୍ନ ରୂପ, ନା ପ୍ରତ୍ୟେକ ଶକ୍ତିର ପ୍ରକ୍ରିୟା ଅଲଗା? ମଣିଷ ମିରିଗ ପରି ଦଉଡି ପାରିବ ନାହିଁ, କି ମାଛ ପରି ପହଁରି ପାରିବ ନାହିଁ ! ତା’ ଅର୍ଥ କୌଣସି କୌଣସି ଶକ୍ତି ପ୍ରାଣୀ ପକ୍ଷରେ ନିଜସ୍ଵ | ସେପରି ମଣିଷମାନଙ୍କ ଭିତରେ ଅଲଗା ଅଲଗା ଶକ୍ତି ଅଛି କି?
ଶକ୍ତି ବିଷୟରେ ଆଲୋଚନା କଲାବେଳେ ଆମକୁ ମଣିଷର ଗଠନ ଓ ଜୀବନପ୍ରଣାଳୀ ସୁସଂଗତ ବୋଲି ଧରିବାକୁ ହେବ। ସେ ସମସ୍ତ ମୋଟାମୋତି ଭାବରେ ଜୀବନଧାରଣ ଶକ୍ତି ବୋଲି କୁହାଯାଇପାରେ – ଯାହାର ଆଲୋଚନା ଅନ୍ୟ ସମୟରେ କରାଯିବ।ବର୍ତ୍ତମାନ ଆମକୁ ଭାବିବାକୁ ହେବ ଯେ – ଯଦି ଦୁଇଟି ମଣିଷ ସମାନ ଭାବରେ ସବଳ ଓ ସୁଗଠିତ ଥାନ୍ତି, ତା’ହେଲେ ସେମାନଙ୍କର କାର୍ଯ୍ୟ କରିବାର ଶକ୍ତି ସମାନ କି?
ତା’ର ଉତ୍ତରରେ ଆମେ କହିବା ଯେ ସମାନ ଦକ୍ଷତା ଥିଲେ ମଧ୍ୟ ଅନ୍ୟ ବସ୍ତୁ ସହ ବ୍ୟବହାର ଦୁଇଟି ମଣିଷର ଅଲଗା – ଜଣେ ଘର ଭିତରେ ରହି ବହି ପଢିବାକୁ ଇଚ୍ଛା କରିପାରେ ତ ଆଉ ଜଣେ ଘର ବାହାରେ ପଡିଆରେ ଖେଳିବାକୁ ଭଲ ପାଇପାରେ। ଏ ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମସ୍ୟା ନ ଥିବା ସମୟରେ କିଛି ବ୍ୟକ୍ତିଗତ ସମସ୍ୟା ଅଛି ବୋଲି ଆମେ କହିପାରୁ। ଜୀବନଧାରଣ ଶକ୍ତି ଗୋଟିଏ ଜାଗାରେ ପାଠପଢାରେ ମନୋନିବେଶ କଲାବେଳେ ଅନ୍ୟଜାଗାରେ ଖେଳ କସରତରେ ମନ ଦେଇଥାଏ। ତେଣୁ ବ୍ୟକ୍ତିର ମନସାଙ୍ଗରେ ସଂପର୍କ ଅଛି ବୋଲି କୁହାଯାଇପାରେ।
ତେବେ ମନ ଆଗନାଶକ୍ତି ଆଗ – ମନ ଶକ୍ତିକୁ ଚଳାଉଛି ନା ଶକ୍ତି ମନକୁ ଚଳାଉଛି–ଏ ବିଷୟରେ ତର୍କ ହୋଇପାରେ। ଭାରତବର୍ଷର ଦାର୍ଶନିକମାନେ ନିରୀକ୍ଷା କରି ନିର୍ଦ୍ଧାରଣ କଲେ ଯେ, ମନର ଉତ୍ପତ୍ତି ସ୍ଵତଃ ଏବଂ ଶକ୍ତିର ଉତ୍ପତ୍ତି ଶରୀର ସହ। ତା’ ଅର୍ଥ ଶରୀର କ୍ଷୟ ହେଲେ ଶକ୍ତିର କ୍ଷୟ, କିନ୍ତୁ ଶରୀର କ୍ଷୟରେ ମନର କ୍ଷୟ ନାହିଁ । ତା’ ହେଲେ ମନ ସହ ଶକ୍ତିର କ’ଣ ସଂପର୍କ? ଶରୀରରେ ଶକ୍ତି ଥିଲେ ମଧ୍ୟ ମନ ଜରିଆରେ ଶକ୍ତିର ଜାଗରଣ ହୋଇଥାଏ। ଅର୍ଥାତ୍ ସବୁ ଶକ୍ତି ଐଶ୍ଵରିକ ଏବଂ ମନୋନିବେଶ ଫଳରେ ଅାମେ କୌଣସି ଶକ୍ତିକୁ ଆମ ଭିତରେ ଠୁଳ କରିପାରୁ। ଶକ୍ତି ଜାଗରଣ ଲାଗି ଅଭ୍ୟାସ ଲୋଡା-ଏଥିରୁ ଯୋଗ ଦର୍ଶନ ସୃଷ୍ଟି। ସବୁଦିନ ସକାଳୁ ସୂର୍ଯ୍ୟକୁ ଚାହିଁଲେ ଦୃଷ୍ଟିଶକ୍ତି ବଢିପାରେ, ସେପରି ନିରୋଳାରେ ଶବ୍ଦ ଶୁଣିବାକୁ ପ୍ରୟାସ କଲେ ଶ୍ରବଣଶକ୍ତି ବଢିପାରେ।
ଏପରି ଆମେ ହାତରେ ବା ଗୋଡରେ ଶକ୍ତି ଆଣିପାରୁ,ବିଭିନ୍ନ କାର୍ଯ୍ୟରେ ଦକ୍ଷତା ହାସଲ କରିପାରୁ। ଏସବୁ ଭିତରେ ମନରଏକାଗ୍ରତା ଲୋଡା ବୋଲି ମତ ହେଲା। ଶକ୍ତି ଜାଗରଣ ହେଲା ପରେ ଶକ୍ତିର ପ୍ରୟୋଗରେ ବିଭିନ୍ନତା ଦେଖାଯାଏ। ସାଧନା କରି ମଣିଷବଳବାନ୍ ଓ ଶକ୍ତିମାନ୍ ହୋଇପାରେ ଏବଂ ତାପରେ ହଣାକଟା କରି ବିଶ୍ଵବିଜୟର ଉଦ୍ୟମ କରିପାରେ। ଆଉ କେଉଁ ଲୋକ ସବଳ ହୋଇ ସମାଜର ହିତରେ ନିଜକୁ ନିୟୋଜିତ କରିପାରେ। ଅନ୍ୟର ଦୁଃଖ ଦେଖିଲେ କାହା ମନରେ ଦୁଃଖ ଆସିପାରେ, ଆଉ ଅନ୍ୟ କେହି ଅନ୍ୟକୁ ଦୁଃଖଦେଇ ଆପଣାକୁ ସୁଖୀ ମନେକରିପାରେ। ଏ ସବୁର କାରଣ ଖୋଜି ଏହା ପଛରେ ମଣିଷର “ପ୍ରକୃତି” ଅଛି ବୋଲି ନିଧାର୍ଯ୍ୟ କରାଯାଏ।
“ପ୍ରକୃତି” ପୁଣି କୁଆଡୁ ଆସେ? ଆମର ଦର୍ଶନ ଅନୁସାରେ ଏହା ଆମ ସାଂଗରେ ଜନ୍ମ ହୋଇଥାଏ। କପିଳ ନାମରେ ଜଣେ ଋଷି ଏହି “ପ୍ରକୃତି”କୁ ସାଂଖ୍ୟ ନାମକ ଦର୍ଶନ ମାଧ୍ୟମରେ ଅନୁମାନ କରିଥିଲେ ବୋଲି ଶାସ୍ତ୍ର କହୁଛି। ଏ କପିଳ ଋଷି ଭାରତବର୍ଷରେ କେଉଁଠି ବାସ କରୁଥିଲେ, ତା’ର ଟିପ୍ପଣୀ ହୋଇନାହିଁ। କପିଳ ଶବ୍ଦର ପ୍ରଚଳନ ଓଡିଆରେ ଅଛି। “କପିଳବାସ” ରୁ “କପିଳାସ” ଶବ୍ଦ ତିଆରି ବୋଲି କୁହାଯାଏ। ଭାରତୀୟ ଶାସ୍ତ୍ର ମଧ୍ୟରେ ଭଗବାନ ବିଷ୍ଣୁଙ୍କର ମନୁଷ୍ୟ ଅବତାରରେ କପିଳ ଋଷି ପ୍ରଥମ ବୋଲି ଭାଗବତ ଶାସ୍ତ୍ରର ମତ।
ପ୍ରକୃତିର କ୍ରିୟା ଗୁଣରେ ପ୍ରକାଶିତ ହୁଏ। ଗୁଣ ତିନି ପ୍ରକାରର – ସତ୍ତ୍ଵ, ରଜ ଓ ତମ। ସଂସାରର ରକ୍ଷଣାବେକ୍ଷଣରେ ମନୋନିବେଶ କରିବା ସତ୍ତ୍ଵ ଗୁଣର ଲକ୍ଷଣ। ସଂସାରକୁ ଆପଣା ପାଇଁ ବ୍ୟବହାର କରି ଆପଣାର ସ୍ଵାର୍ଥ ହାସଲ କରିବା ରଜ ଗୁଣର ଲକ୍ଷଣ। ସଂସାରକୁ ବେଖାତିର୍ କରି ନଷ୍ଟ କରିବା ତମ ଗୁଣର ଲକ୍ଷଣ। ଏ ତିନୋଟି ଗୁଣର ମିଶ୍ରଣରେ ପ୍ରତ୍ୟେକ ମଣିଷର ଚରିତ୍ର ନିର୍ଣ୍ଣିତ ହୁଏ। ଆମରବ୍ୟବହାର, କାର୍ଯ୍ୟପ୍ରଣାଳୀ, ଜୀବନକାହାଣୀ – ସବୁ ପ୍ରକୃତି ଦ୍ଵାରା ନିୟନ୍ତ୍ରିତ ହୁଏ।
ଏ ହେଲା ସାଙ୍ଖ୍ୟ ଦର୍ଶନର ମୂଳଭିତ୍ତି।