ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

 ଡ଼ିଆ ଡ଼ିଶା (୧୮ )

ଆତ୍ମାର କାମ ହେଲା ଜନ୍ତୁକୁ ଚଳାଇବା। ଯିଏ ଜନ୍ମ ନେଲା, ତା’କୁ ଜନ୍ତୁ କୁହାଗଲା। ଏ’ ଜନ୍ତୁ ଭିତରେ ଆତ୍ମା ପ୍ରବେଶ କଲା ଫଳରେ ତା’ର ଜନ୍ମ ହେଲା। ଆତ୍ମା ପ୍ରବେଶ କରି କଣ କରିବ? ଆତ୍ମା ଜନ୍ତୁକୁ ଚଳାଇବ। ଜନ୍ତୁକୁ ଚଳାଇବାକୁ ବୁଦ୍ଧି ଦରକାର, ଆତ୍ମା ବୁଦ୍ଧି ଦେବ। ବୁଦ୍ଧି ଫଳରେ ଜନ୍ତୁ ନିଜ କାମ କରିବ, ଶରୀର ଗଠନ କରିବ, ନିଶ୍ଵାସ ନେବ, ଖାଦ୍ୟ ଖୋଜିବ, ପାଣି ପିଇବ, ଆଉ ଅସୁବିଧା ସମୟରେ ବାଟ ଖୋଜିବ।  ଆତ୍ମାକୁ ବୁଦ୍ଧି ସହ ଯୋଖି ଦିଆଗଲା। ବୁଦ୍ଧି ପ୍ରଖର ହୋଇପାରେ, ବା ଶିଥିଳ ହୋଇପାରେ। ବୁଦ୍ଧିର ପ୍ରଖରତା ବା ଶିଥିଳତା ଆତ୍ମା ଉପରେ ନିର୍ଭର କରେ। ସଂସାରରେ ଗତି କରି ଆତ୍ମା ସଂସାରରୁ କଳୁଷତା ଗ୍ରହଣ କରି ମଳିନ ମଧ୍ୟ ହୋଇଯାଇପାରେ।

ଏ’ ପ୍ରକାରର ତତ୍ତ୍ଵ ଅଦ୍ଭୁତ ହେଲ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଵରେ ଅନ୍ୟ କିଛି ସମାନ୍ତରାଳ ତତ୍ତ୍ଵ ଉପୁଜିନାହିଁ। ସବୁ ଆତ୍ମାକୁ ସମାନ କହିବାର ଅନ୍ୟ ତତ୍ତ୍ଵ ଉଠିଛି, କିନ୍ତୁ ସଂସାର କାର୍ଯ୍ୟ ବିଶ୍ଳେଷଣରେ ସେ’ ତତ୍ତ୍ଵ ସବୁ ସଫଳ ହୋଇନାହାନ୍ତି। ତେଣୁ ଏ ପୁରୁଣା କଥା ଯେ’ ଆତ୍ମା ମୃତ୍ୟୁ ପରେ ଘୂରି ବୁଲୁଛି ଏବଂ ଯୋଗ ଦେଖି କୌଣସି ଶରୀରରେ ପ୍ରବେଶ କରୁଛି – ତା’ ଏ ପର୍ଯ୍ୟନ୍ତ ଚାଲୁ ରହିଛି। ଆତ୍ମାର ଗତି ମଣିଷ ହାତରେ ନାହିଁ , “କାଳ” ହାତରେ !

ମୋଟାମୋଟି କଥା ହେଲା, ଆତ୍ମା ହିଁ ଆମର ବୁଦ୍ଧି। ବୁଦ୍ଧି ଜରିଆରେ ଆତ୍ମା ଆମକୁ ବାଟ କଢାଉଛି , ଶକ୍ତି ଦେଉଛି, ଖାଦ୍ୟ ଦେଉଛି, ବିଦ୍ୟା ଦେଉଛି ଓ ସମାଜ ଦେଉଛି। ଏ’ କଥା ନେଇ ଦାର୍ଶନିକମାନେ ଆତ୍ମାକୁ ବୁଝିବାକୁ ଚେଷ୍ଟା କଲେ।  କୌଣସି କଥା ବୁଝିବା ପାଇଁ ଗୋଟିଏ ରୂପ ଦରକାର। ବୁଦ୍ଧିର କଣ ରୂପ ହୋଇପାରେ ? କେହି ପଣ୍ଡିତ ଭାବିଲା ଯେ, ବୁଦ୍ଧି ଆଲୁଅ ପରି ହୋଇପାରେ।  ଆଲୁଅ ଯେମିତି ଆମକୁ ଅନ୍ଧାରରେ ବାଟ ଦେଖାଉଛି, ସେପରି ବୁଦ୍ଧି ଆମକୁ ଜୀବନରେ ବାଟ ଦେଖାଉଛି ! ତେଣୁ ଆତ୍ମାର ରୂପ ଜ୍ୟୋତି ପରି ହୋଇପାରେ।  ଏ’ କଥା ଲୋକଙ୍କ ମନକୁ ଧରିଲା। ଆଲୁଅ ହୋଇ ଆତ୍ମା ଗର୍ଭରେ ପ୍ରବେଶ କରିବା ବା ଶରୀରରୁ ବାହାରିଯିବା  ଏବେ ଲୋକଙ୍କର କଳ୍ପନାରେ ଘନୀଭୂତ ଅଛି।

ତେବେ ଆତ୍ମାର ଏ’ ଆଲୁଅ ସଂପର୍କ ନିହାତି ଅବୈଜ୍ଞାନିକ ନ ହୋଇପାରେ। ଆଗର ମଣିଷ ଆକାଶର ନକ୍ଷତ୍ର ମଣ୍ଡଳ ଦେଖି ସେମାନଙ୍କର ମନୁଷ୍ୟ ସହ କଣ ସଂପର୍କ ତା’ ଅନୁମାନ କରିବାର ଚିନ୍ତାଧାରା ବହୁତ ପୁରୁଣା। ଏହା ବଡ ଆବିଷ୍କାର ଯେ’ ଭୂମିରୁ ଦେଖିଲା ବେଳକୁ ଆକାଶର ନକ୍ଷତ୍ର ମଣ୍ଡଳର ଅବସ୍ଥାନ ବଦଳୁଛି। ନକ୍ଷତ୍ର ମାନଙ୍କ ଭିତରେ ବିଭିନ୍ନ ନକ୍​ସା ଦେଖାଯାଉଛି। ତେବେ ସେ’ ନକ୍​ସା ସହ ମଣିଷର ଜୀବନକୁ ଯୋଡିବା ପୁରୁଣା ମଣିଷର କାଳ୍ପନିକ ଚିନ୍ତାଧାରା। ଅନ୍ଧାର ରାତିରେ ପର୍ଯ୍ୟବେକ୍ଷଣ କରି ନକ୍ଷତ୍ର ମଣ୍ଡଳର ନକ୍​ସା ତିଆରି କରିବା ଭାରତୀୟ ପୁରୁଣା ବୈଜ୍ଞାନିକ ମାନଙ୍କର ଅନବଦ୍ୟ ଅବଦାନ।

ତେଣୁ ଆତ୍ମାର ଗତି, ବୁଦ୍ଧି, ଓ ବିବେକକୁ ନକ୍ଷତ୍ର ମାନଙ୍କର ଗତିବିଧି ସହ ଯୋଖା ହେଲା। ଯେହେତୁ ଆମେ କାଳକୁ ବୁଝିନାହୁଁ, ଏ ନକ୍ଷତ୍ର ବିଧିରୁ କିଛି ଦୂରଦୃଷ୍ଟି ନିରୂପଣ କରାଯାଇପାରେ ବୋଲି ଗଣନା କରା ହେଲା। ପରେ ପୃଥିବୀ ନିଜେ ଘୂରୁଛି ବୋଲି ଆବିଷ୍କାର ହେଲା ପରେ ନକ୍ଷତ୍ର ମଣ୍ଡଳୀ ତତ୍ତ୍ଵ କିଛି ପରିମାଣରେ ପରିବର୍ତ୍ତିତ ହେଲା ସିନା, କିନ୍ତୁ ବନ୍ଦ ହେଲା ନାହିଁ। ଅମାବାସ୍ୟା, ଗ୍ରହଣ, ପରାଗ, ଧୂମକେତୁ, ଚନ୍ଦ୍ରର ପକ୍ଷ, ପୂର୍ଣିମା, ଗ୍ରହଚଳନ – ଏ ସବୁକୁ ନେଇ ତିଥି ଓ ମୁହୂର୍ତ୍ତ ସୃଷ୍ଟି କରା ହେଲା। ଆତ୍ମାର ଶକ୍ତି ଏ’ ସବୁ ବାହାରର ପ୍ରଭାବ ଫଳରେ ପ୍ରଭାବିତ ବୋଲି ଦୃଢ ମତ ସୃଷ୍ଟି ହେଲା। ସଂସାରର ଜରା ମୃତ୍ୟୁ, ରୋଗ ବୈରାଗ, ଅଭାବ ମହାମାରି ଭିତରେ ଏ’ ମତକୁ ତ୍ୟାଗ କରି ମଣିଷର ନିଜ ଶକ୍ତିକୁ ଉତ୍ତୋଳନ କରିବା ଏ’ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ

ଏହା ଭିତରେ ଆଉ ଗୋଟିଏ କଥା ଅଛି। ଆତ୍ମାକୁ ଆଲୁଅ ସାଙ୍ଗରେ ତୁଳନା କରି ନକ୍ଷତ୍ର ବୋଲି ମନେ କରିବା ନିହାତି ଅଯୌକ୍ତିକ ନ ହୋଇପାରେ। ଏହା କୁହାଯାଇପାରେ ଯେ’ ଶୁଦ୍ଧ ଆତ୍ମା ନକ୍ଷତ୍ର ପରି, ତାର ଅବସ୍ଥାନ ଆକାଶରେ। ଆପଣା ଇଚ୍ଛାରେ ସେ’ ପୃଥିବୀରେ ପ୍ରବେଶ କରେ ଏବଂ ଶରୀର ଗ୍ରହଣ କରେ। ଅନେକ ଶରୀର ଗ୍ରହଣ କଲାପରେ ସେ’ ପୁଣି ଶୁଦ୍ଧ ହୋଇ ନକ୍ଷତ୍ର ସ୍ଥାନକୁ ଫେରିଯାଏ !  ଏହା ଗୋଟିଏ ଚକ୍ର ପରି ବୁଝାଯାଇପାରେ।  ଏ’ ପ୍ରକାର ଚକ୍ର ସମୟର ସୀମା ନିରୂପଣରେ ସାହାଯ୍ୟ କରିପାରେ। ଏ’ ତତ୍ତ୍ଵରୁ ସମୟ ମାପିବାର ଅନେକ ପ୍ରଣାଳୀ ବ୍ୟବହାରରେ ଲାଗିଲା।

ଏ’ ପ୍ରକାର ଚିନ୍ତାଧାରା ଫଳରେ ଆକାଶ ଓ ପୃଥିବୀ ଜଗତର ଦୁଇ ଅଙ୍ଗ ବୋଲି ସ୍ଵୀକାର କରାଗଲା। ଆକାଶର ନକ୍ଷତ୍ର ପୃଥିବୀ ପରିଚାଳନା କରୁଛନ୍ତି ଓ ଜନ୍ତୁ ଭାବରେ ଜନ୍ମ ଗ୍ରହଣ କରୁଛନ୍ତି। ଆକାଶ ଓ ପୃଥିବୀ ଉଭୟ କିନ୍ତୁ “କାଳ” ର ଅଧୀନ। ତେଣୁ “ଜଗନ୍ନାଥ” ନାଁ ସୃଷ୍ଟି ହେଲା। ବିଭିନ୍ନ ଦେବ ଦେବୀ ବା ଠାକୁର ନକ୍ଷତ୍ର ମାନଙ୍କର ପ୍ରତୀକ ବୋଲି ଶାସ୍ତ୍ର ରେ ଲେଖା ହେଲା।

Comment