ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୌଜନ୍ୟ: ଭର୍ଚୁଆଲ ଭାରତ

‘‘ପଶ୍ଚିମ ଓଡ଼ିଶାରେ ଜନ୍ମିତ ସେ ଜଣେ ଆଦିବାସୀ କବି। ଯିଏ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି କବି ଯେତେବେଳେ ନିଜ ଗାଁ ରାସ୍ତାରେ ଚାଲନ୍ତି ଏମିତି ଲାଗେ ସେ ପୂରା ବିଶ୍ୱ ଉପରେ ଚାଲୁଛନ୍ତି। ଆଉ ସେହି କବି ନିଜ ଗାଁରେ ରହି ପୃଥିବୀର କଥା କହନ୍ତି’’, ଓଡ଼ିଶାର ଗଣକବି ହଳଧର ନାଗଙ୍କ ପାଇଁ ଏ କଥା କହିଛନ୍ତି ପ୍ରସିଦ୍ଧ କବି, ଗୀତିକାର, ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଗୁଲଜାର।

ସାହିତ୍ୟ ଏକାଡେମି ପୁରସ୍କାର ସହ ଦାଦାସାହେବ ଫାଲକେ ପୁରସ୍କାର, ୨୦ଟି ଫିଲ୍ମ ଫେୟାର ପୁରସ୍କାର, ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା ଗୁଲଜାର ହଳଧର ନାଗଙ୍କ ଲେଖାକୁ ଆବୃତ୍ତି କରିଥିବା ମଧ୍ୟ ଦେଖିବାକୁ ମିଳିଛି।

‘‘ସାତ ସମୁଦ୍ରରୁ, ସ୍ୱର୍ଗର ଜହ୍ନରୁ, ମା’ର ସ୍ତନରୁ ଅମୃତର ବୁନ୍ଦା କବିର କଲମରେ ଝରେ’’, ଏହା ହେଉଛି ହଳଧର ଖୋଦ୍ ନିଜକୁ ଲେଖିଥିବା ଏକ ଚିଠିର ପଂକ୍ତି। ଏହି ପଂକ୍ତିକୁ ଗୁଲଜାର ଆବୃତ୍ତି କରିଥିବା ଦେଖିବାକୁ ମିଳିଛି।

ଏ ଚିଠି ନାଁ ହେଉଛି ‘‘ଚିଠି ଦେଉଛେରେ ହଳଧର’’। ବିଷ ଖାଇ ଅମୃତ ବାଣ୍ଟିବାକୁ ଏହି ଲେଖା ମାଧ୍ୟମରେ ହଳଧର ନିଜକୁ ଆହ୍ୱାନ ଦେଇଥିଲେ। ସେ ଲେଖିଥିଲେ, ‘‘ପାରୁ ପର୍ଯ୍ୟନ୍ତେ କଲମର ଗାରେ ସମାଜ ସଳଖ କର୍‌, ଚିଠି ଦେଉଛେରେ ହଳଧର, ଚିଠି ଦେଉଛେରେ ହଳଧର।

ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ। ସେ କୋଶଲି ଭାଷାରେ କବିତା ଲେଖି ପ୍ରାୟ ୩୩୦ରୁ ଅଧିକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଗଣକବି, ମାଟିର କବି, ପ୍ରକୃତିର କବି ଭାବେ ସେ ଲୋକଙ୍କ ନିକଟରେ ପରିଚିତ ହୋଇଛନ୍ତି।

ହଳଧର ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖରେ ଜନ୍ମ ହୋଇଥିଲେ। ହଳଧରଙ୍କ ପିଲାଦିନର ନାମ “କାଲିଆ”। ଅର୍ଥ ଅଭାବ ଯୋଗୁଁ ତାଙ୍କ ବାପା ତାଙ୍କୁ ମାତ୍ର ୩ୟ ଶ୍ରେଣୀ ଯାଏଁ ପାଠ ପଢେଇ ପାରିଥିଲେ। ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ଜଣେ ପାଣି ଭାରୁଆ ଭାବେ କାମ କରୁ ଥିଲେ। ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରେଇଥିଲେ। ନିଜ ଗୁଜୁରାଣ ମେଣ୍ଟାଇବା ପାଇ ସେ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକନ କରି ଗୁଜୁରାଣ ମେଣ୍ଟାଉ ଥିଲେ। ସେଇଠି ଶିକ୍ଷକ ମାନେ ପିଲା ମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ।

Comment