ଓଡ଼ିଶାଲାଇଭ ବ୍ୟୁରୋ

ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ମୁଖ୍ୟ ଖଳନାୟକ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଗିରଫ କରିଛି ପୋଲିସ। ପୀଡ଼ିତାଙ୍କ ସାନି ବୟାନ ଆଧାରରେ ଲଳିନ୍ଦ୍ରକୁ ଗିରଫ କରାଯାଇଛି। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ଶୁକ୍ରବାର ପୀଡ଼ିତା ଜଣକ ମୁହଁ ଖୋଲି ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକର ମୁଖା ଖୋଲିଥିଲେ। ବସ୍‌ ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଥିଲେ। ଏହାସହ ଲଳିନ୍ଦ୍ରକୁ ଫାଶି ଦାବି କରିଛନ୍ତି ପୀଡ଼ିତା।

ଏନେଇ ପୀଡ଼ିତା ଜଣକ ମୁହଁ ଖୋଲି କହିଥିଲେ, “ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ହେଉଛି ଲଲିନ୍ଦ୍ର ଶବର। ସେ ହିଁ ପ୍ରଥମେ ଦୁଷ୍କର୍ମ କରିଥିଲା। ଅନ୍ୟମାନଙ୍କୁ ଡାକିବାରେ ଲଳିନ୍ଦ୍ରର ହିଁ ହାତ ରହିଛି। ଯଦି ଲଳିନ୍ଦ୍ରକୁ ପୋଲିସ ଛାଡ଼ିଦିଏ ତାହାଲେ ମୁଁ ଆତ୍ମହତ୍ୟା କରିବି। ସବୁ ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିବା ଦରକାର।’’

ପରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ଓ ମହିଳା ପୋଲିସଙ୍କ ଉପସ୍ଥିତିରେ ଧାରା ୧୬୧ ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଗତ ୧୪ ତାରିଖରେ ଯୁବତୀଜଣକ ଜୁନାଗଡ଼ରୁ ନିଜ ଗାଁକୁ ଫେରୁଥିଲେ। ବସ୍‌ ଫେଲ୍‌ ହୋଇଯିବାରୁ ବସ୍‌ ଡ୍ରାଇଭର ଲଳିନ୍ଦ୍ରର ବାଇକ୍‌ରେ ଲିଫ୍ଟ୍‌ ମାଗି ନିଜ ଗାଁକୁ ଫେରିଥିଲେ। ତେବେ ଲଳିନ୍ଦ୍ର ଜଙ୍ଗଲ ପାଖରେ ଗଡ଼ି ରଖି ଥିଲା ପରେ ୭ ଜଣ ଯୁବକ ଆସି ଯୁବତୀଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ଗଣଦୁଷ୍କର୍ମ କରିଥିଲେ।

Comment