ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ନତମାନର ଚାଷ କରି ଖୁସିରେ ପରିବାର ଚଳାଉଛନ୍ତି କେଲିଆବାସୀ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିବାଚନମଣ୍ଡଳୀର କେଲିଆ ଗାଁ ବିକାଶର ଏକ ନୂଆ ଉଦାହରଣ ସୃଷ୍ଟି କରିଛି।  ଉନ୍ନତ ପ୍ରଣାଳୀର ଚାଷ ଗ୍ରାମବାସୀଙ୍କ ଜୀବନଧାରାକୁ ବଦଳାଇଛି। ଅତ୍ୟାଧୁନିକ କୃଷି ପ୍ରଣାଳୀକୁ ଆପଣାଇ ଗ୍ରାମବାସୀମାନେ ପରିବା ଚାଷ, ମାଛ ଚାଷ ଦୁଗ୍ଧ ଉତ୍ପାଦନ କରି ଗୁଜୁରାଣ ମେଣ୍ଟାଉଛନ୍ତି।

କେଲିଆ ଗାଁର ବିକାଶ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, “ସାଧାରଣ ଚାଷରୁ ଚାଷୀ ଯାହା ରୋଜଗାର କରିଥାଏ ତାହା ଚଳିବାପାଇଁ ଯଥେଷ୍ଟ ହୋଇ ନଥାଏ। ସେଥିପାଇଁ  ବିଭିନ୍ନ ଆଧୁନିକ ତଥା ଉନ୍ନତମାନର କୃଷି ପ୍ରଣାଳୀର ବ୍ୟବହାର କରି ଏଠାରେ ଚାଷ କରାଗଲା ଗ୍ରାମବାସୀମାନେ ବିଭିନ୍ନ ପ୍ରକାରର ଚାଷ କରି ହସଖୁସିରେ ଦିନ କାଟୁଛନ୍ତି।”

ଦିନଥିଲା ଟେଣା ମାଧ୍ୟମରେ ବିଲକୁ ଜଳ ସେଚନ କରୁଥିଲେ ଚାଷୀ। ଯାହା ଫଳରେ  ଅଧିକ ଜମିରେ ଚାଷ କାମ ହୋଇ ପାରୁ ନଥିଲା। ଚାଷୀ ଚିନ୍ତାରେ ପଡ଼ିଥିଲେ। ଶେଷରେ ଚାଷୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କ ପ୍ରୟାସ ଯୋଗୁ ଏ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା କରାଗଲା ଏବେ ପାରମ୍ପରିକ ଚାଷ ବଦଳରେ ଚାଷୀ ବିଭିନ୍ନ ଲାଭଜନକ ଚାଷ କରୁଛନ୍ତି।

ଚାଷୀ ନିରଞ୍ଜନ ରଣା କହିଛନ୍ତି, “ପୂର୍ବରୁ ଜମିକୁ ପାଣି ମିଳୁନଥିଲା। ଟେଣା ସାହାଯ୍ୟରେ ଚାଷ ହେଉଥିଲା। କିନ୍ତୁ ଏବେ ସଠିକ୍ ଜଳସେଚନ ଯୋଗୁ ଜମିରେ ସୁନା ଫଳୁଛି।”

ସେହିପରି କେଲିଆର ଅନ୍ୟଜଣେ ଚାଷୀ ପ୍ରଫୁଲ କୁମାର ମେହର କୁହନ୍ତି, “ମରୁଡ଼ିପ୍ରବଣ ଅଞ୍ଚଳ ଭାବେ ଆମ ଗାଁ ଜଣାଶୁଣା। ସେଥିପାଇଁ ନାହିଁ ନଥିବା ଅସୁବିଧା ଦେଇ ଚାଷୀମାନେ ଗତି କରୁଥିଲେ। କିନ୍ତୁ ଏବେ ଚାଷଜମିକୁ ସଠିକ୍ ଜଳସେଚନର ସୁବିଧା ହୋଇଥିବାରୁ ଆଉ ମରୁଡ଼ିର ଭୟ ନାହିଁ।”

ଜଳସେଚନର ସୁବିଧା ନଥିବାରୁ ଅଧିକାଂଶ ଜମି ପଡ଼ିଆ ପଡୁଥିଲା। ହେଲେ ଆଜି ସବୁକିଛି ବଦଳି ଯାଇଛି। ଜଳସେଚନର ସୁବିଧା ହେବାରୁ ଏକର ଏକର ଜମିରେ ଚାଷ ହେଉଛି। ଫଳରେ କୃଷକମାନଙ୍କର ଆୟ ମଧ୍ୟ ଦୁଇଗୁଣିତ ହୋଇ ପାରିଛି।

Comment