ଓଡ଼ିଶାଲାଇଭ୍ ବ୍ୟୁରୋ

୭୦ତମ ଜାତୀୟ ଦିବସ ପାଳନ ଅବସରରେ ଚୀନ ସାରା ବିଶ୍ୱକୁ ତାର ସାମରିକ ଶକ୍ତି ଦେଖାଇଛି। ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଡିଏଫ୍-୪୧କୁ ଜାତୀୟ ଦିବସ ପରେଡ୍‌ରେ ସାମିଲ କରି ଚୀନ ନିଜର ସାମରିକ ଶକ୍ତିକୁ ସୁଦୃଢ଼ କରୁଥିବା ସ୍ପଷ୍ଟ କରିଛି।

ଚୀନ ପାଖରେ ବିଶ୍ୱର ସବୁଠୁ ବୃହତ୍ତ ସ୍ଥଳସେନା ରହିଥିବା ବେଳେ ତୃତୀୟ ବୃହତ୍ତ ବାୟୁସେନା ରହିଛି। ଏହି ଡିଏଫ୍-୪୧ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍କୁ ପରେଡ୍‌ରେ ସୋ’ କରି ଚୀନ ନିଜର ସ୍ଥିତି ଜାହିର କରିଛି।

ଡିଏଫ୍-୪୧ରେ କ’ଣ ରହିଛି ବିଶେଷତ୍ୱ?

-ଏହି କ୍ଷେପଣାସ୍ତ୍ର ୧୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବାର ସାମର୍ଥ୍ୟ ରହିଛି।

– ଏହି ମିସାଇଲ୍‌ ଏକା ସାଙ୍ଗରେ ୧୦ଟି ପରମାଣୁ ବୋମା ଧାରଣ କରିପାରିବ।

– ବହୁତ କମ୍ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସକ୍ଷମ ହେବ।

ଏହି ସମସ୍ତ ବିଶେଷତ୍ୱ ଯୋଗୁଁ ଡିଏଫ୍-୪୧ ବିଶ୍ୱର ଶକ୍ତିଶାଳୀ ଏବଂ ସବୁଠାରୁ ଅଧିକ ଦୂରତ୍ୱ ଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ମାନ୍ୟତା ଲାଭ କରିଛି। ନିକଟରେ ଆମେରିକା ସହିତ ଚୀନର ବାଣିଜ୍ୟିକ ବିବାଦ ଲାଗି ରହିଥିବା ସମସ୍ତେ ଜାଣନ୍ତି। ଏହା ବ୍ୟତୀତ କମ୍ୟୁନିଷ୍ଟ ଶାସନକୁ ବିରୋଧ କରି ହଙ୍ଗକଙ୍ଗ ସହରରେ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଚୀନ ନିଜ ସେନାବାହିନୀରେ ଡିଏଫ୍‌-୪୧ ମିସାଇଲ ସାମିଲ କରିବାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ ଡିଏଫ୍-୪୧ ଅଳ୍ପ ସମୟ ମଧ୍ୟରେ ୧୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହାସହ ଚୀନ ଆମେରିକାର କୌଣସି ବି ସ୍ଥାନକୁ ମାତ୍ର ୩୦ ମିନିଟ୍ ମଧ୍ୟରେ ଧ୍ୱଂସ କରିବାରେ ସକ୍ଷମ ହେବ ବୋଲି ମଧ୍ୟ କୁହାଯାଇଛି।

Comment