ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭଦ୍ରକ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ବାପୁଙ୍କ ପ୍ରିୟ ଗୁଜୁରାଟି ଭଜନ ‘ବୈଷ୍ଣବ ଜନ ତୋ’ ଗାଇ ବିଜେଡି ବିଧାୟକ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ବିଧାୟକ ବିଷ୍ଣୁବ୍ରତ ଭଜନ ଗାଇବା ସହ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ଏହି ଭିଡିଓକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ବିଷ୍ଣୁବ୍ରତ ଏହି ସଙ୍ଗୀତ ଗାଇବା ସହ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ଜଣେ ଗାୟକ ଭାବେ ଗାଇଥିବା ଏହା ହେଉଛି ତାଙ୍କର ପ୍ରଥମ ଗୀତ।
‘‘ଏହି ଗୀତ ମୋ ଜେଜେବାପାଙ୍କର ଅତି ପ୍ରିୟ ଗୀତ ଥିଲା। ଏହା ଗାନ୍ଧୀଜୀଙ୍କର ମଧ୍ୟ ପ୍ରିୟ ଭଜନ। ପିଲାବେଳୁ ଜେଜେବାପାଙ୍କ ସାମ୍ନାରେ ଏହି ଭଜନ ଗାଉଥିଲି। ଗାନ୍ଧୀଜୀଙ୍କ ଜନ୍ମଦିନରେ ତାଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନିଜକୁ ଜଣେ ଗାୟକ ଭାବେ ଉପସ୍ଥାପନ କରିବାକୁ ଆଜି ଗୋଟିଏ ସୁଯୋଗ ମିଳିଲା,’’, ଏକଥା କହିଛନ୍ତି ବିଷ୍ଣୁବ୍ରତ।
ଏହି ଭିଡିଓ ସଙ୍ଗ୍ରେ ବିଷ୍ଣୁବ୍ରତ ଗୀତ ଗାଇବା ସହ ଏଥିରେ ଓଡ଼ିଶୀ ନୃତ୍ୟ ଓଡ଼ିଶାର କଳା ସଂସ୍କୃତିଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି। ଭୁବନେଶ୍ୱର ଗାନ୍ଧୀ ପାର୍କ, ଧଉଳି, ପୁରୀ ବେଳାଭୂମି ଆଦି ବିଭନ୍ନ ସ୍ଥାନରେ ଗୀତଟି ସୁଟିଂ ହୋଇଛି।
ଗୁଜୁରାଟି ଭକ୍ତିସାହିତ୍ୟର ଶ୍ରେଷ୍ଠ କବି ନରସୀ ମେହତା ଏହାକୁ ଗୁଜୁରାଟି ଭାଷାରେ ଲେଖିଥିଲେ। ବାପୁଜୀ ପ୍ରତିଦିନ ଠାକୁର ପୂଜା କରିବା ସମୟରେ ଏହି ଗୀତ ଗାଉଥିଲେ। ଫଳରେ ଏହା ବାପୁଜୀଙ୍କ ପ୍ରିୟ ଗୀତ ହୋଇଯାଇଥିଲା।


















