ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଚେତନତା ପାଇଁ ଗାନ୍ଧୀ ବେଶ ଧାରଣ କଲେ ୧୦ ବର୍ଷର ବାଳକ।

କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରି ରଖିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛି। କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ବେଳେ କରୋନାକୁ ନଡରିବା ପାଇଁ ଏକ ୧୦ ବର୍ଷର ବାଳକ ଅଭିନବ ପ୍ରୟାସ କରିଛନ୍ତି। କରୋନା ସଚେତନତା ପାଇଁ ନିଜକୁ ଅବିକଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭଳି ସଜେଇ କୋଭିଡ ଟେଷ୍ଟ୍‌ କରିଛନ୍ତି ଏହି ବାଳକ। ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ପୂର୍ବରୁ ଗୁଜୁରାଟର ରାଜକୋଟ ଅଞ୍ଚଳର ଏହି ଛୋଟ ପିଲାର ଏଭଳି ପ୍ରୟାସକୁ ଦେଖି ଦେଶବ୍ୟାପୀ ଏବେ ଚର୍ଚ୍ଚା ହେଉଛି।

ବାପୁଜୀଙ୍କ ଭଳି ଧୋତି ପିନ୍ଧି, ଚଷମା ଲଗାଇ ହାତରେ ବାଡ଼ି ଧରି ଏହି ବାଳକ ଜଣକ ନିଜର କୋଭିଡ ଟେଷ୍ଟ କରାଇବାକୁ ପହଞ୍ଚିଥିଲେ। କୋଭିଡ ଟେଷ୍ଟ କରାଉଥିବା ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।  କିନ୍ତୁ ପିଲାଟିର କହିବା କଥା, ‘‘ମୁଁ ଗାନ୍ଧୀଜୀଙ୍କ ଭଳି ବେଶରେ କରୋନା ପରୀକ୍ଷାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛି। କୋଭିଡ ଟେଷ୍ଟ କରିବା ସମୟରେ ଭୟଭୀତ ହେବାରେ କିଛି ନାହିଁ। ଆମ ଦେଶ ସେତେବେଳେ ଏହି ମହାମାରୀରୁ ରକ୍ଷା ପାଇ ପାରିବା ଯେତେବେଳେ ଆମେ ସହଯୋଗ କରିବା’’।

ଅନ୍ୟପଟେ ଗୁଜୁରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟା ମଧ୍ୟରେ ୧, ୩୯୦ ନୂଆ ମାମଲା ଆସିଛି। ଏଥିସହିତ ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା୧,୩୭,୩୯୪କୁ ବୃଦ୍ଧି ପାଇଛି। ଆଜି ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ୩, ୪୫୩ରେ ପହଞ୍ଚିଛି।

ସେହିପରି ସାରାଦେଶରେ ପ୍ରାୟ ୬୬ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି। ସଂକ୍ରମଣରେ ବ୍ରେକ ଲଗାଇବାକୁ ସରକାର ବହୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।

Comment