ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ପ୍ରଦାନ କରାଯିବ। ଏନେଇ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟରୁ କଟକ ଜିଲ୍ଲାପାଳଙ୍କୁ ଚିଠି ଆସିଛି। ଖୁବ୍ ଶୀଘ୍ର ଏଦିଗରେ ଡିପିଆର୍(ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରିବାକୁ ଆଠଗଡର ହସ୍ତତନ୍ତ ଓ ବୟନଶିଳ୍ପର ସହକାରୀ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ବଡମ୍ବା ବ୍ଲକ୍ ଅଧିନସ୍ଥ ମାଣିଆବନ୍ଧ ଗାଁ କଟକ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଶାଢ଼ି ଏବଂ ଅନ୍ୟାନ୍ୟ ହସ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ଏହି ଗାଁ ନାଁ କରିଛି। ବିଶେଷକରି ଖଣ୍ଡୁଆ ପାଟ ଶାଢ଼ି ପ୍ରସ୍ତୁତି ଦିଗରେ ବୁଣାକାରମାନେ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଏଠାରେ ଶତାଧିକ ବୁଣାକାର ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ୧୯ଜଣ ମାଷ୍ଟର୍ ବୁଣାକାର ମଧ୍ୟ ରହିଛନ୍ତି।

ମାଣିଆବନ୍ଧ ତନ୍ତୁବାୟ ସହଯୋଗୀ ସମିତି ଏବଂ ଦଲାଇଲାମା ୱେଭର୍ସ କୋପରେଟିଭ୍ ସୋସାଇଟି ନାମରେ ଦୁଇଟି ସଂଗଠନ ଏଠାରେ କାର୍ଯ୍ୟ କରୁଛି। ତେବେ ସଂଗଠନର ସହାୟତା ଏବଂ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏବେ ମାଣିଆବନ୍ଧର ବୁଣାକାରମାନେ ସେମାନଙ୍କ ସାମଗ୍ରୀକୁ ଏବେ ସାରା ଦେଶରେ ମାର୍କେଟିଂ କରିବା ଆରମ୍ଭ କରିଛନ୍ତି।

ତେଣୁ ଏ ସବୁ ପରେ ଏବେ ରାଜ୍ୟ ସରକାରଙ୍କ 5-T ବ୍ୟବସ୍ଥାରେ ମାଣିଆବନ୍ଧକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ପ୍ରଦାନ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା ଦେଇ ସରକାର ଏ ପଦକ୍ଷେପ ନେଉଥିବା ଜଣାପଡିଛି। ତେବେ କ୍ରାଫ୍ଟ ଭିଲେଜ୍ ମାନ୍ୟତା ମିଳିଯିବା ପରେ ଅନେକଗୁଡିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ବିଶେଷକରି ମାଣିଆବନ୍ଧର ବୁଣାକାରଙ୍କ ତାଲିକା ପ୍ରସ୍ତୁତି, ବୈଷୟିକ ଜ୍ଞାନକୌଶଳର ବିନିଯୋଗ, ଟୁରିଷ୍ଟ ପାର୍କ, ବଜାର ସୁବିଧା ଏବଂ ସବୁପରେ ବୁଣାକାରଙ୍କୁ ସହାୟତା ପ୍ରଦାନ କରାଯିବ। ଏ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। କିନ୍ତୁ ପୂର୍ବରୁ ମାଣିଆବନ୍ଧକୁ ନେଇ କରାଯାଇଥିବା ଯୋଜନା ଏବେ ସୁଦ୍ଧା କାର୍ଯ୍ୟକାରୀ କରାଯାଇନଥିବାରୁ କ୍ରାଫ୍ଟ ଭିଲେଜ୍ ମାନ୍ୟତା ଏଠାକାର ବୁଣାକାର ବିଶ୍ୱାସକୁ ନେଇପାରୁନାହାନ୍ତି।

ପୂର୍ବରୁ ହୋଇଥିବା ଯୋଜନା ମୁତାବକ, ଏଠାରେ ଏକ ମୁକ୍ତାକାଶ ଥିଏଟର୍ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ଏ ବାବଦରେ ୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ ଏ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏ ଯୋଜନା ରହିଗଲା ନାଲି ଫିତା ତଳେ।

ସରକାର ଏ ଦିଗରେ ଗୁରୁତ୍ୱ ଦେଉନଥିବା ବେଳେ ଏବେ କ୍ରାଫ୍ଟ ଭିଲେଜ ମାନ୍ୟତା ମିଳିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ।

ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ମାଣିଆବନ୍ଧକୁ ନେଇ ରାଜ୍ୟସ୍ତରରେ ଚର୍ଚ୍ଚା ଜୋର୍ ଧରିଥିଲା। ଇନକ୍ୟୁବେସନ୍ ଆଣ୍ଡ୍ ଡିଜାଇନ୍ ସେଣ୍ଟର୍(ଆଇଡିସି) ନାମକ ଏକ ସଂସ୍ଥା ମାଣିଆବନ୍ଧ ଆସି ବୁଣାକାରଙ୍କ ବିକାଶ ଦିଗରେ କାର୍ଯ୍ୟ କରିବ। ଟାଟା ଟ୍ରଷ୍ଟର ଏହି ସେଣ୍ଟର ଗତ ମାର୍ଚ୍ଚରେ ଉଦ୍‌ଘାଟିତ ହୋଇଛି। ଆସନ୍ତା ୫ବର୍ଷ ମଧ୍ୟରେ ସେଣ୍ଟର ମାଣିଆବନ୍ଧରୁ ୫୦ ଉଦ୍ୟୋଗେୀ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ବେସରକାରୀ ଭାଗିଦାରୀରେ ଆଜି ପର୍ଯ୍ୟନ୍ତ ମାଣିଆବନ୍ଧର ଯେତିକି ବିକାଶ ହୋଇଛି ତା’ତୁଳନାରେ ସରକାରୀ ପଦକ୍ଷେପ କିଛି ନୁହେଁ କହିଲେ ଚଳେ। ଏ ସ୍ଥିତିରେ ମାଣିଆବନ୍ଧ ଗାଁକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ରାଜ୍ୟ ସରକାରଙ୍କ ପାଇଁ ଚାଲେଞ୍ଜିଂ ହେବ।

Comment