ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟର ୫ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୧୪୨ଟି ହାଇସ୍କୁଲର ଲୋକାର୍ପଣ
  • ‘‘ହାଇସ୍କୁଲ ରୂପାନ୍ତରଣ ଆମ ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ’’– ମୁଖ୍ୟମନ୍ତ୍ରୀ
  • ‘‘ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ’’– ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୫ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୧୪୨ଟି ହାଇସ୍କୁଲର ଲୋକାର୍ପଣ ହୋଇଯାଇଛି।

ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ସଂପୃକ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ୫-ଟି ସଚିବ ପ୍ରଶଂସା କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ପାଇଁ ସୁନ୍ଦରଗଡ଼ ସହରର ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲାପାଳ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକମାନେ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ ସହ ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକା ଅଧୀନରେ ଥିବା ବିଭିନ୍ନ ରୂପାନ୍ତରିତ ହାଇସ୍କୁଲକୁ ମିଶାଇ ମୋଟ ୬୭ଟି ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ ହୋଇ ଯାଇଛି।  ‘‘ସ୍କୁଲରେ ତିଆରି ହୁଏ ଦେଶ ତଥା ଜାତିର ଭବିଷ୍ୟତ। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ ଏହି ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ’’, ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି କହିଥିଲେ ଯେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ। ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ। ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଆହ୍ୱାନକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ। ଏହା ହିଁ ହେଉଛି ସ୍କୁଲ ରୂପାନ୍ତରଣର ଲକ୍ଷ୍ୟ।”ହାଇସ୍କୁଲ ରୂପାନ୍ତରଣ ଓଡ଼ିଶା ସରକାରଙ୍କ ୫-ଟି ଅଭିଯାନର ଶ୍ରେଷ୍ଠ ଉଦାହରଣ ବୋଲି ସେ କହିଥିଲେ।ଲୋକସେବା ଭବନଠାରେ ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏବଂ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମର ସଂଚାଳନ କରି ରାଜ୍ୟ ସରକାରଙ୍କ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସ୍ୱପ୍ନର ରୂପାନ୍ତରଣରେ ବିଶେଷ ସହାୟକ ହେବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଅମୁଲ୍ୟ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆଜି ସରକାରୀ ହାଇସ୍କୁଲର ପରିବେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏହା ଅଧୀନରେ ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ପାଠାଗାର ଓ ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନାଗାର ଆଦି ସୃଷ୍ଟି କରାଯାଇଛି। ପାଠପଢ଼ା ସହିତ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ବିଶେଷ ସୁଯୋଗ ସୃଷ୍ଟି କରାଯାଉଛି। ଏହି ନୂତନ ତଥା ବ୍ୟାପକ ବ୍ୟବସ୍ଥା ସ୍କୁଲଗୁଡ଼ିକର ଶିକ୍ଷା ପରିବେଶରେ ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଗଢ଼ିବାରେ ବିଶେଷ ସହାୟକ ହୋଇପାରିବ।

ଏହି କାର୍ଯ୍ୟକ୍ରମ ଅବସରରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ କହିଥିଲେ ଯେ, ‘‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍ୱପ୍ନକୁ ବାସ୍ତବ ରୂପ ଦେଇ ପାରିବେ। ୫-ଟି ଅଭିଯାନ ଅଧୀନରେ ଆମ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ଚେହେରା ଆଜି ଯେଉଁଭଳି ଭାବେ ପରିବର୍ତ୍ତିତ ହୋଇଛି ତାହା ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ସମସ୍ତଙ୍କୁ ଆକର୍ଷିତ କରିବ।’’ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ସ୍ଥାନୀୟ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସିରିନ କୌଶର। ରାଜ୍ୟ ସରକାରଙ୍କ ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ। ଏହା ପିଲାମାନଙ୍କର ସ୍ୱପ୍ନକୁ ସାକାର କରିବା ସହ ଜୀବନର ରୂପାନ୍ତରଣରେ ବିଶେଷ ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ସିରିନ୍ କହିଥିଲେ ଯେ, ସେ ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି।ସୁନ୍ଦରଗଡ଼ଠାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ସ୍କୁଲ ପିଲାମାନଙ୍କ ଦ୍ୱାରା ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୨୫ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ଆଜି ରାଜ୍ୟର ୫ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଲୋକାର୍ପଣ ଉତ୍ସବ ୨୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

Comment