ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀରେ ହେବ ନାହିଁ ଆର୍ମି ଇଣ୍ଟରଭ୍ୟୁ। ଏନେଇ ରାଜ୍ୟ ସରକାର ଓ ୧୨୦ ବାଟାଲିଅନକୁ ଚିଠି ଲେଖିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଆଗକୁ ରାଜଧାନୀ ଭୁବନେଶ୍ୱରରେ କୌଣସି ପ୍ରକାରର ଆର୍ମି ଇଣ୍ଟରଭ୍ୟୁ ନକରିବାକୁ ସେ ଚିଠି ଲେଖିଛନ୍ତି। ରାଜଧାନୀରେ ଅନେକ ସମ୍ବେଦନଶୀଳ ସ୍ଥାନ ଥିବାରୁ ଏଠାରେ ଏଭଳି କୌଣସି ଇଣ୍ଟରଭ୍ୟୁ ନକରିବାକୁ ସେ କହିଛନ୍ତି।

ରାଜ୍ୟର ଗ୍ରାମାଞ୍ଚଳ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ ଏହି ଇଣ୍ଟରଭ୍ୟୁ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କଥାକୁ ନେଇ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରକୁ ଜଣାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ତିନି ଦିନ ତଳେ ଭୁବନେଶ୍ୱରରେ ଆର୍ମି ଇଣ୍ଟରଭ୍ୟୁ ଦେବା ପାଇଁ ଉତ୍ତରପ୍ରଦେଶ ଓ ବିହାରରୁ ପ୍ରାୟ ପାଞ୍ଚ ହଜାରରୁ ଅଧିକ ପିଲା ଆସିଥିଲେ। ରେଳଷ୍ଟେସନଠାରୁ ଆରମ୍ଭ କରି ପାର୍କ ଓ ବିଭିନ୍ନ ସର୍ବସାଧାରଣ ଅଞ୍ଚଳରେ ସେନା ପରୀକ୍ଷାର୍ଥୀମାନେ ଲୋକମାନଙ୍କୁ ଦୁଃବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା।

ମଙ୍ଗଳବାର ମଧ୍ୟ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଜବରଦସ୍ତି ଚଢ଼ି ତୁମୁଳକାଣ୍ଡ ଘଟାଇଥିଲେ। ଫଳରେ ଭୁବନେଶ୍ୱର ରେଳ ଷ୍ଟେସନରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Comment