ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ଏବେ ବି ସକ୍ରିୟ ଅଛି। ସତର୍କ ରହିବାକୁ ଲୋକଙ୍କୁ ଅପିଲ କଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

‘‘ଲକ୍‌ଡାଉନ୍‌ ନିୟମ କୋହଳ ହୋଇଥିବାରୁ ଲୋକେ ଭାବୁଛନ୍ତି କରୋନା ଭାଇରସ୍‌ ପଳାଇଲା। ହେଲେ ସେମାନେ ଜାଣିବା ଦରକାର ଯେ, ଭାଇରସ୍‌ ଏବେ ବି ସକ୍ରିୟ ରହିଛି। ରୋଗ ଭଲ ହୋଇନି। ଏଣୁ ଜାଣିଶୁଣି ନିଜକୁ ଏବଂ ପାଖ ଲୋକମାନଙ୍କୁ ବିପଦରେ ପକାନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ ଏବଂ ଲକ୍‌ଡାଉନ୍‌ ନିୟମକୁ ମାନନ୍ତୁ। ନହେଲେ ପୋଲିସ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ’’, କହିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଲକ୍‌ଡାଉନ୍‌ ୪.୦ରେ କଟକଣା କୋହଳ କରାଯାଇଛି। ହେଲେ କିଛି ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ବଜାରରେ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି। ପୋଲିସ ନଜରରେ ଏଭଳି ଲୋକ ପଡ଼ିଛନ୍ତି। ପୋଲିସ ସେମାନଙ୍କୁ ତାଗିଦ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି। ହେଲେ ଲୋକ ସୁଧୁରୁ ନାହାନ୍ତି।

‘‘ଲୋକେ ପାଖରେ ମାସ୍କ ରଖୁଛନ୍ତି। ହେଲେ ପିନ୍ଧୁ ନାହାନ୍ତି। ପୋଲିସକୁ ଦେଖିଲେ ହିଁ ମାସ୍କ ପିନ୍ଧୁଛନ୍ତି। ଏହାର ଗ୍ରହଣଯୋଗ୍ୟ ନୁହେଁ। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ। ନିଜେ ବିପଦରେ ପଡ଼ିବା ସହ ଅନ୍ୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଘରେ ମଧ୍ୟ ରହିବା ବେଳେ ସମସ୍ତେ ମାସ୍କ ପିନ୍ଧନ୍ତୁ। କଟକ, ଭୁବନେଶ୍ୱରରେ ୩୦ ଲକ୍ଷ ଲୋକ। ସବୁ ଛକରେ ଲୋକଙ୍କୁ ଜଗିବା ପୋଲିସ ପାଇଁ ସମ୍ଭବ ନୁହେଁ। ଏଣୁ ସମେସ୍ତ ସଚେତନ ରହନ୍ତୁ ଏବଂ ସହଯୋଗ କରନ୍ତୁ’’, କହିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍‌ ଜରିଆରେ ପ୍ରଚାର କରାଯିବ। ସବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯିବ। ଏହାପରେ ଯେଉଁମାନେ ଆଇନ ନମାନିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment