ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଅପରେସନ ହାଇଦର’ ସଫଳ – ତେଲାଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିଲା କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌।

ଏପ୍ରିଲ ୧୦ରେ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯିବା ପରେ ପୋଲିସର ନିଦ ହଜିଯାଇଥିଲା। ହାଇଦରକୁ ଖୋଜିବା ପାଇଁ ଦିନ ରାତି ଏକ କରିଦେଇଥିଲା ପୋଲିସ। ଦୀର୍ଘ ୪ ଦିନ ପରେ ଶେଷରେ ‘ଅପରେସନ ହାଇଦର’ ସଫଳ ହୋଇଛି। ତେଲେଙ୍ଗାନାର ସାଙ୍ଗାରେଡି ଜିଲ୍ଲାରୁ ହାଇଦରକୁ ଧରିଛି ପୋଲିସ। ହାଇଦରକୁ ଧରିବା ପାଇଁ କେମିତି ଜାଲ ବିଛା ଯାଇଥିଲା ସେ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କେମିତି ହାଇଦର ପାଖରେ ପହଞ୍ଚିଲା ପୋଲିସ?

ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ମୁତାବକ, ଏପ୍ରିଲ ୧୦ ତାରିଖ ୪ଟାରୁ ୪ଟା ୩୦ ବେଳେ ପୋଲିସ ଆଖିରେ ଧୂଳି ଦେଇ ଏସ୍‌ସିବିରୁ ଚମ୍ପଟ ମାରିବାରେ ହାଇଦର ସଫଳ ହୋଇଥିଲା। ଏହି ଖବର ପାଇବା ପରେ କମିସନରେଟ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ। ହାଇଦରର ପୁରୁଣା ରେକର୍ଡ ଖୋଜି କଟକ ପୋଲିସ ଛାନିଭିନ ଆରମ୍ଭ କରିଥିଲା।

ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତେଲେଙ୍ଗାନାକୁ ସ୍ୱତନ୍ତ୍ର ଟିମ୍‌ ପଠାଯାଇଥିଲା। ଏହାସହିତ ହାଇଦରର ପୁରୁଣା କଣ୍ଟାକ୍ଟ ସବୁକୁ ଖୋଜା ଯାଇଥିଲା। ଏହାରି ଭିତରେ ଏପ୍ରିଲ ୧୧ ତାରିଖରେ ଜଣାପଡ଼ିଲା ଯେ, ହାଇଦର ତେଲେଙ୍ଗାନା ପଳାଇଛି। ଏହାପରେ ସବୁ ଟିମ୍‌ ତେଲେଙ୍ଗାନାରେ ପହଞ୍ଚିଥିଲେ। ବିଭିନ୍ନ ତଥ୍ୟକୁ ଭିତ୍ତି କରି ତଦନ୍ତ କରିବା ପରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ହାଇଦର ଏକ କାର୍‌ରେ ତେଲେଙ୍ଗାନା ଯାଇଛି। ଏହାପରେ ପୋଲିସ ଟିମ୍‌ ହାଇଦରକୁ ଖୋଜିବା ପାଇଁ ଛାନଭିନ ଆରମ୍ଭ କରିଥିଲେ। ହାଇଦରକୁ ଖୋଜିବାରେ ଟେକନିକାଲ ସର୍ଭେଲାନ୍ସ ସହାୟକ ହୋଇଥିଲା। ହାଇଦ୍ରାବାଦ ପୋଲିସର ଗୋଟିଏ ଟିମ୍‌ ମଧ୍ୟ ହାଇଦରକୁ ଖୋଜିବାରେ ସାହାଯ୍ୟ କରିଥିଲା। ଶେଷରେ ଏପ୍ରିଲ ୧୫ରେ ହାଇଦର ଏକ ବାଇକରେ ଯାଉଥିବାର ଖବର ମିଳିଥିଲା। ସେତିକିବେଳେ ହାଇଦରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଏହାପରେ ବିମାନ ଯୋଗେ ହାଇଦରକୁ ଓଡ଼ିଶା ଅଣାଯାଇଥିଲା।

ଏପ୍ରିଲ ୧୦ରୁ ଫେରାର ହୋଇଥିଲା ହାଇଦର

ସମ୍ବଲପୁର ଜେଲ୍‌ରେ ସଜା କାଟୁଥିବା ହାଇଦର ଅସୁସ୍ଥ ଥିବା କାରଣରୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲା। ପ୍ରାୟ ୧୨ଦିନ ଧରି ସେ ଚିକିତ୍ସା ହେଉଥିଲା। କିନ୍ତୁ ଏପ୍ରିଲ ୧୦, ସନ୍ଧ୍ୟା ସମୟରେ ଏସ୍‌ସିବି ସର୍ଜରୀ ବିଭାଗରର ୫ ନମ୍ବର କ୍ୟାବିନରୁ ଖସି ପଳାଇଥିଲା ହାଇଦର। ସବୁଦିନ ତାକୁ ଜଗିବା ପାଇଁ ୨ଜଣ ଲେଖାଏଁ ଗାର୍ଡ ନିୟୋଜିତ ହେଉଥିବାବେଳେ, ସେଦିନ ଜଣେ ଗାର୍ଡ ସେଠାରେ ଥିଲେ। ହଠାତ୍ ସେହି ୱାର୍ଡରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଦେଖିବାକୁ ପାଇଥିଲେ ଯେ, ବାହାରେ ଗାର୍ଡ ଅଚେତ ଅବସ୍ଥାରେ ପଡ଼ିଛନ୍ତି ଏବଂ ଭିତରେ ହାଇଦର ନାହିଁ। ଦେଖିବା ପରେ ସେ ସଙ୍ଗେସଙ୍ଗେ ଉପରିସ୍ଥ କର୍ମଚାରୀଙ୍କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ମାଲିକ୍ ସୁଲେମାନ୍‌ର ଭାଇ ସେକ୍ ଚୁନା ହତ୍ୟାକାଣ୍ଡ ଓ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ଅପହରଣ ପରେ ହତ୍ୟା କରିଥିବା ଘଟଣାରେ ହାଇଦର ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ହାଇଦରକୁ ଆଜୀବନ ଜେଲ ଦଣ୍ଡ ମିଳିଥିଲା। ତାକୁ ପ୍ରଥମେ ସେ ବାରିମୂଳ ସବ୍‌ଜେଲ୍‌ରେ ରଖାଯାଇଥିଲା। ପରେ ହାଇଦରକୁ ସମ୍ବଲପୁର ଜେଲ୍ ସ୍ଥାନାନ୍ତର କରାଯାଇଥିଲା।

Comment