ଅଭିପ୍‌ସା ବରାଳ

ଗ୍ୟାଙ୍ଗଷ୍ଟର ହାଇଦର ପୂର୍ବରୁ ଓଡ଼ିଶାରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଦିନେ ସେହି ଅପରାଧୀମାନଙ୍କ ନାଁ ଶୁଣି ଅଞ୍ଚଳବାସୀ ଭୟରେ ଥରି ଉଠୁଥିଲେ। ଶେଷରେ ସେମାନଙ୍କର ବି ଅନ୍ତ ହୋଇଛି।

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିବା ଓଡ଼ିଶାରେ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅନେକ ଗ୍ୟାଙ୍ଗଷ୍ଟର ବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି। ପୋଲିସ କବଳରୁ ଖସି ପଳାଇବା ସମୟରେ କିମ୍ବା ପୋଲିସ ସହ ଗୁଳି ବିନିମୟବେଳେ ଅନେକ ଅପରାଧୀ ପ୍ରାଣ ହରାଇଛନ୍ତି। ଗତ ୧୬ବର୍ଷ ଭିତରେ ଅପରାଧୀ ତାଲିକାରେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ସଂଗ୍ରାମ ଓରଫ ଦିପୁ ସାହୁ, ରାଜେଶ ଓରଫ ରାଜୁ ସାହା, ଚଗଲା ମଲ୍ଲିକ, ଶ୍ରୀକାନ୍ତ ରଣା ଓରଫ ଟେରୁ, ଆଉ ଏବେ ସେକ୍ ହାଇଦର ଅଲ୍ଲୀ। ତେବେ ଏମାନେ ସମସ୍ତେ ଓଡ଼ିଶା ପୋଲିସର ଏନକାଉଣ୍ଟରରେ ନିହତ ହୋଇଛନ୍ତି।ସଂଗ୍ରାମ ସାହୁ

କଟକର କୁଖ୍ୟାତ ଅପରାଧୀମାନଙ୍କ ମଧ୍ୟରୁ ସଂଗ୍ରାମ ଓରଫ ଦିପୁ ସାହୁ ଥିଲା ଅନ୍ୟତମ। ସେ କଟକର ଶଗଡ଼ିଆ ସାହିର ବାସିନ୍ଦା ଥିଲା। ୨୦୦୫ ମସିହାରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା ଦିପୁ ସାହୁ।

ହତ୍ୟା, ଲୁଟ୍, ଟେଣ୍ଡର ଫିକ୍ସିଂ କରୁଥିବା ଦିପୁ ସେହି ସମୟରେ ଦାଦା ବଟି ଆଦାୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା। ତାକୁ ଧରିବା ପାଇଁ କଟକ ସିଟି ପୋଲିସ ଏବଂ ସିବିଆଇର ମିଳିତ ଉଦ୍ୟମରେ ଏକ ସ୍ପେଶାଲ ସ୍କ୍ଵାଡ୍ ଗଠନ କରାଯାଇଥିଲା। ସେହି ସମୟରେ କଟକ ଏସପି ଥିଲେ ବର୍ତ୍ତମାନର ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଦିପୁର ମୃତ୍ୟୁକୁ ନେଇ ପୋଲିସ ପ୍ରଶାସନକୁ ଅନେକ ସମାଲୋଚନାର ପାତ୍ର ହେବାକୁ ପଡ଼ିଥିଲା। କିନ୍ତୁ ଶେଷରେ ପୋଲିସ ଏହାକୁ ଏନକାଉଣ୍ଟର ହୋଇନଥିବା କହିଥିଲା। ଆତ୍ମରକ୍ଷା ଜନିତ ଗୁଳିଚାଳନା ଯୋଗୁଁ ଏଭଳି ହୋଇଥିବା କହିଥିଲେ ଏସପି ସୌମେନ୍ଦ୍ର ପ୍ରିୟଦର୍ଶୀ।ରାଜୁ ସାହା

ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ତାଲିକାରେ ସବୁଠୁ ଚର୍ଚ୍ଚାରେ ଥିଲା ରାଜେଶ ଓରଫ ରାଜୁ ସାହା। ୨୦୧୪ ଅକ୍ଟୋବରରେ ପୋଲିସ ଗୁଳିରେ ନିହତ ହୋଇଥିଲା ରାଜୁ। ସମ୍ବଲପୁର ଥାନାରେ ଏହି ଅପରାଧୀ ନାଁରେ ୫ଟି ଗୁଳିକାଣ୍ଡ ମାମଲା ରହିଥିଲା। ତେଣୁ ତାକୁ ଧରିବା ପାଇଁ ପୋଲିସ ତରଫରୁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ରାଜୁକୁ କାବୁ କରିବା ସମୟରେ ସେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୋଲିସ ରାଜୁ ଉପରକୁ ଗୁଳି କରିଥିଲା। ଶେଷରେ ପୋଲିସ ଗୁଳିରେ ନିହତ ହୋଇଥିଲା ରାଜୁ ସାହା। ପରବର୍ତ୍ତୀ ସମୟରେ ରାଜୁର ଘର ଲୋକ ତାକୁ ପୋଲିସ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ।ଚଗଲା ମଲ୍ଲିକ

କଟକ ସ୍ଥିତ ନିଆଳି ଥାନା ରାଣୀଓଳା ଗାଁର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ଥିଲା ଚଗଲା ମଲ୍ଲିକ। ୨୦୦୬ ମସିହା ପରଠାରୁ ସେ କଟକରୁ ଫେରାର ହୋଇଯାଇଥିଲା। ୨୦୧୮ ଜୁଲାଇରେ ସେ ନୟାଗଡ଼ରୁ ଧରାପଡ଼ିଥିଲା। ସେହିଠାରେ ସେ ପୋଲିସର ଏନକାଉଣ୍ଟରରେ ମରିଥିଲା।

ବର୍ତ୍ତମାନର କୁଖ୍ୟାତ ଅପରାଧୀ ଟିଟୋ ଗ୍ୟାଙ୍ଗର ମୁଖ୍ୟ ସଦସ୍ୟ ଥିଲା ଚଗଲା ମଲ୍ଲିକ। ରଣପୁର ଶାଖା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ମାଷ୍ଟର ମାଇଣ୍ଡ ଥିଲା ଚଗଲା। ଏଥିସହିତ କେନ୍ଦ୍ରାପଡ଼ାଠାରୁ ଆରମ୍ଭ କରି ଜଗତସିଂହପୁର, କଟକ ସଦର, ଖୋର୍ଦ୍ଧା, ନୟାଗଡ଼ ଇତ୍ୟାଦି ଓଡ଼ିଶାର ବିଭିନ୍ନ ଥାନାରେ ତା’ ନାଁରେ ୪ଟି ହତ୍ୟାକାଣ୍ଡ ମାମଲା, ଦାଦାବଟି ଆଦାୟ, ଡକାୟତି, ବୋମା ମାଡ଼ ଆଦି ୫୦ରୁ ଊର୍ଦ୍ଧ୍ଵ ଅପରାଧିକ ମାମଲା ରହିଥିଲା।

ତେଣୁ ରଣପୁର ପୋଲିସ ଓ ନୟାଗଡ଼ ଟାଉନ ପୋଲିସର ମିଳିତ ସହଯୋଗରେ ଚଗଲାକୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଶେଷରେ ଚଗଲା ପୋଲିସ ଗୁଳିରେ ନିହତ ହୋଇଥିଲା।

ଶ୍ରୀକାନ୍ତ ରଣା

ଭୁବନେଶ୍ଵର ଭରତପୁରର କୁଖ୍ୟାତ ଅପରାଧୀ ଶ୍ରୀକାନ୍ତ ରଣା ଓରଫ ଟେରୁକୁ ବ୍ରହ୍ମପୁରରେ ଏନକାଉଣ୍ଟର କରିଥିଲା ପୋଲିସ। ୨୦୧୮ ମସିହା ମେ’ ମାସରେ ପୋଲିସ ଗୁଳିରେ ନିହତ ହୋଇଥିଲା ଶ୍ରୀକାନ୍ତ। ଏହି ଅପରାଧୀ ନାଁରେ ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଥିଲା।ସେକ୍ ହାଇଦର ଅଲ୍ଲୀ

ଜୁଲାଇ ୨୪ତାରିଖରେ ପୋଲିସର ଏନକାଉଣ୍ଟରରେ ନିହତ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର। ଅନେକ ଅପରାଧୀକ ମାମଲାରେ ସାମିଲ ଥିଲା ହାଇଦର। ସୁଲେମାନର ଭାଇ ଚୁନାର ହତ୍ୟା ଓ କେନ୍ଦୁଝରର ଖଣି ମାଲିକ ରଶ୍ମିରଞ୍ଜନ ମହାପାତ୍ରଙ୍କ ହତ୍ୟା ଘଟଣାରେ ହାଇଦର ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ହାଇଦରକୁ ଆଜୀବନ ଜେଲ ଦଣ୍ଡ ମିଳିଥିଲା। ତାକୁ ପ୍ରଥମେ ବାରିମୂଳ ସବ୍‌ଜେଲ୍‌ରେ ରଖାଯାଇଥିଲା ଓ ପରେ ସମ୍ବଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

କିଛି ଦିନ ତଳେ ଅସୁସ୍ଥତା କାରଣରୁ ହାଇଦରକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୧୦ରେ ସେ ସେଠାରୁ ଖସି ପଳାଇଥିଲା। ଏପ୍ରିଲ ୬ରେ ତେଲାଙ୍ଗାନାରୁ ତାକୁ ଧରାଯାଇଥିଲା। ତେବେ ପୁଣିଥରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବାବେଳେ, ବାଲେଶ୍ଵରର ସିମୁଳିଆଠାରେ ପୋଲିସକୁ ଚକମା ଦେଇ ଖସିଯାଉଥିଲା ହାଇଦର। ଏମିତି କି ପୋଲିସଠାରୁ ବନ୍ଧୁକ ଛଡ଼ାଇ ଗୁଳି କରିଥିବା ମଧ୍ୟ ଅଭିଯୋଗ ହେଉଛି। ପରେ ପୋଲିସର ପାଲଟା ଗୁଳିରେ ନିହତ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର।

Comment