ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବର୍ତ୍ତମାନ କେଶ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଚନ୍ଦା ଲୋକମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଥଟ୍ଟା ଉପହାସର ଶିକାର ହେଉଛନ୍ତି ତାକୁ ନେଇ ବଲିଉଡରେ ଫିଲ୍ମ ମଧ୍ୟ ନିର୍ମାଣ ହେଲାଣି। ଏଭଳି କେଶ ସମସ୍ୟାକୁ ନେଇ ବଲିଉଡରେ ‘ବାଲା’ ଓ ‘ଉଜଡା ଚମନ’ ଭଳି ଫିଲ୍ମ ନିର୍ମାଣ ହୋଇଛି। ଏହି ଫିଲ୍ମ ଆଗାମୀ ନଭେମ୍ବର ମାସରେ ରିଲିଜ ହେବାକୁ ଯାଉଛି। ତେବେ କେବଳ ବଲିଉଡ ନୁହେଁ ଖୁବଶୀଘ୍ର ଏମିତି ଏକ କାହାଣୀ ଓଲିଉଡରେ ଦର୍ଶକ ଦେଖିବାକୁ ପାଇବେ।

ଏହାର କାହାଣୀ ଜଣେ ଚନ୍ଦା ଲୋକର ଜୀବନ ଉପରେ ପର୍ଯ୍ୟବେସିତ ହୋଇଛି। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ ତା’ର ଆଗାମୀ ଫିଲ୍ମ ‘ବାଳ ଦ ରିଦିମ୍‌ ଅଫ୍‌ ଲାଇଫ୍’ର ପୋଷ୍ଟର ରିଲିଜ କରିଛି।

ଦଶହରା ପୂଜାରେ ‘ମିଷ୍ଟର ମଜନୁ’ ଭଳି ଫିଲ୍ମ କରି ଦର୍ଶକଙ୍କୁ ଖୁସି କରିଥିବା ତରଙ୍ଗ ସିନେ ପ୍ରଡକ୍ସନ, ଖୁବଶୀଘ୍ର ତା’ର ଆଗାମୀ ଫିଲ୍ମ ‘ବାଳ ଦ ରିଦିମ୍‌ ଅଫ୍‌ ଲାଇଫ୍’ ରିଲିଜ୍ କରିବାକୁ ଯାଉଛି। ଏହି ଫିଲ୍ମରେ ଦର୍ଶକ ଜଣେ ଚନ୍ଦା ବ୍ୟକ୍ତିର କାହାଣୀ ଦେଖିବାକୁ ପାଇବେ।

ଏହି ଫିଲ୍ମର ନିର୍ମାଣ ତରଙ୍ଗ ସିନେ ପ୍ରଡକ୍ସନ କରୁଥିବାବେଳେ, ଫିଲ୍ମର ନିର୍ଦ୍ଦେଶନା ଦେବେ ଅମରେଶ୍ ପତି। ଏହାସହ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳୁଛନ୍ତି ଅଭିଜିତ୍ ମଜୁମଦାର।

ଫିଲ୍ମକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେତେକ ଲୋକ ଫିଲ୍ମକୁ ନେଇ ନକରାତ୍ମକ ମନ୍ତବ୍ୟ ଦେଇଥିଲାବେଳେ ଆଉ କେତେ ଜଣ ଏଭଳି ଫିଲ୍ମ ପାଇଁ ପ୍ରଯୋଜନା ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ଫିଲ୍ମଟି ଖୁବଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Comment