ଓଡ଼ିଶାଲାଇଭ ବ୍ୟୁରୋ

ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ମହିଳା ପିଇଓଙ୍କ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ସରପଞ୍ଚଙ୍କ ସ୍ଵାମୀ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୃତଦେହ ଉଦ୍ଧାର ହୋଇଥିବା ସରପଞ୍ଚଙ୍କ କାର୍ଯ୍ୟାଳୟରେ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

ମଙ୍ଗଳବାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଭତ୍ତା ବଣ୍ଟନ ପାଇଁ ପହଞ୍ଚି ଥିଲେ। ସେଠାରେ ସରପଞ୍ଚଙ୍କ ସ୍ଵାମୀ କିଛି ଲୋକଙ୍କ ସହ ଭତ୍ତା ବଣ୍ଟନ କରୁଥିଲେ। ଭତ୍ତା ବଣ୍ଟନ ଶେଷ ହେବା ପରେ ସ୍ମିତାରାଣୀ ଖାଇବା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥରୁମ୍‌ ଯାଇଥିଲେ।

ଫେରିବା ବିଳମ୍ଵ ହେବାରୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଖୋଜିବାକୁ ଯାଇଥିଲେ। ହେଲେ ସେଠାରୁ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରେ ସରପଞ୍ଚଙ୍କ ସ୍ଵାମୀ ପରିବାର ଲୋକଙ୍କୁ ଫୋନ କରି ଡାକି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ଘଟଣାର ତଦନ୍ତ ପାଇଁ ସ୍ମିତାରୀଣୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ ଏକ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିରେ ସରପଞ୍ଚଙ୍କ ସ୍ଵାମୀଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Comment