ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟି-୨୦ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ଅଧିନାୟକ ବିରାଟ କୋହଲି। ଭାରତୀୟ ଦଳ କିଭଳି ଭାବେ ନିଜକୁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ କରୁଛି ସେ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋହଲି।

୨୦୨୦ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବାକୁ ଯାଉଛି। ଏହାକୁ ନେଇ ବର୍ତ୍ତମାନଠାରୁ ଭାରତୀୟ ଖେଳାଳିମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି କୋହଲି।­

ସେ କହିଛନ୍ତି, “ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଟି-୨୦ ବିଶ୍ୱକପ ଜିତିବା ମୋ ପାଇଁ ଗର୍ବର ବିଷୟ ହେବ। ଏଥିପାଇଁ ବର୍ତ୍ତମାନଠାରୁ ଦଳର ସମସ୍ତ ଖେଳାଳି ନିଜକୁ ପ୍ରସ୍ତୁତ କରୁଛନ୍ତି। ସବୁ ସ୍ଥାନ ପାଇଁ ଦଳ ବର୍ତ୍ତମାନଠାରୁ ଉପଯୁକ୍ତ ଖେଳାଳି ଚୟନ କରୁଛି। ଯାହା ଦଳ ପାଇଁ ଆଗକୁ ବହୁତ ଉପଯୋଗୀ ହେବ।”

ଟି-୨୦ ବିଶ୍ୱକପ ହେବାକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ରହିଛି। ତେଣୁ ଭାରତୀୟ ଟିମ୍ ପାଖରେ ଦଳ ଗଠନ କରିବା ପାଇଁ ଯଥେଷ୍ଟ ସମୟ ଅଛି ବୋଲି ସେ କହିଛନ୍ତି।

ଏହାସହ ବିସିସିଆଇର ସଭାପତି ହେବାକୁ ଥିବା ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଗତ ୭ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ଥର ଟାଇଟଲ ଜିତିପାରିନି। ଅନ୍ୟ ଦଳ ଅପେକ୍ଷା ଭାରତୀୟ ଦଳ ମଜଭୁତ ଥିଲେ ମଧ୍ୟ ଦଳ ଚାମ୍ପିୟନ ନହେବା ଦୁଃଖର ବିଷୟ ବୋଲି ସେ କହିଛନ୍ତି।

ଗତ କିଛି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ସେମିଫାଇନାଲ ଓ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ଜିତିପାରିନାହିଁ। ତେଣୁ ଆଗାମୀ ଟି-୨୦ବିଶ୍ୱକପରେ ଭାରତ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

Comment