ଓଡ଼ିଶାଲାଇଭ ବ୍ୟୁରୋ

ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ସରପଞ୍ଚଙ୍କ ସ୍ଵାମୀଙ୍କୁ ଗିରଫ କରାଯାଇଛି। ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନରୁ ସଂପର୍କ ରହିଥିଲା। ତେବେ ମୃତ୍ୟୁର କାରଣ ପ୍ରେମ ସଂପର୍କ ବୋଲି କହିଛନ୍ତି ଯାଜପୁର ଏସପି।

କିଛିଦିନ ହେଲା ସେମାନଙ୍କ ପ୍ରେମ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ତେବେ ତାଙ୍କ ଶରୀରରେ କୌଣସି କ୍ଷତ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ରଶିରେ ଝୁଲିବା ଯୋଗୁଁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ଏସପି।

ଅକ୍ଟୋବର ୧୫ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଭତ୍ତା ବଣ୍ଟନ ପାଇଁ ପହଞ୍ଚି ଥିଲେ। ସେଠାରେ ସରପଞ୍ଚଙ୍କ ସ୍ଵାମୀ କିଛି ଲୋକଙ୍କ ସହ ଭତ୍ତା ବଣ୍ଟନ କରୁଥିଲେ। ଭତ୍ତା ବଣ୍ଟନ ଶେଷ ହେବା ପରେ ସ୍ମିତାରାଣୀ ଖାଇବା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥରୁମ୍‌ ଯାଇଥିଲେ।

ଫେରିବା ବିଳମ୍ଵ ହେବାରୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଖୋଜିବାକୁ ଯାଇଥିଲେ। ହେଲେ ସେଠାରୁ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରେ ସରପଞ୍ଚଙ୍କ ସ୍ଵାମୀ ପରିବାର ଲୋକଙ୍କୁ ଫୋନ କରି ଡାକି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ଘଟଣାର ତଦନ୍ତ ପାଇଁ ସ୍ମିତାରୀଣୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ ଏକ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିରେ ସରପଞ୍ଚଙ୍କ ସ୍ଵାମୀଙ୍କ ସମେତ ୫ଜଣଙ୍କୁ ଅଟକ ରଖିଥିଲା ପୋଲିସ।

Comment