ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଅନେକ ସରକାରୀ, ଘରୋଇ ଓ ସମବାୟ ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥାକୁ ଦେଖି ବ୍ୟାଙ୍କରେ ଟଙ୍କା ଜମା ରଖିବା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ କିଛି ବ୍ୟାଙ୍କ ଦେବାଳିଆ ଅବସ୍ଥାକୁ ଆସିଯାଇଥିବାର ରିପୋର୍ଟ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଏ ବର୍ଷ ଜୁଲାଇ ମାସରେ ଅର୍ଥ ବିଭାଗ ପକ୍ଷରୁ ୧୭ଟି ରାଷ୍ଟ୍ରାୟତ୍ତ, ୮ଟି ଘରୋଇ ଓ ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ ଟଙ୍କା ଜମା ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଏହି ବ୍ୟାଙ୍କଗୁଡ଼ିକୁ ତାଲିକାଭୁକ୍ତ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ସରକାରଙ୍କ ବିଭିନ୍ନ ନିଗମ, ଉଦ୍ୟୋଗ, ସ୍ୱୟଂଚାଳିତ ଓ ସମବାୟ ସଂସ୍ଥା ଏହି ସବୁ ବ୍ୟାଙ୍କରେ ଆର୍ଥିକ କାରବାର କରିପାରିବେ ବୋଲି ସ୍ଥିର କରାଯାଇଥିଲା। ଏବେ ଏହି ନିଷ୍ପତ୍ତି ଉପରେ ସରକାର ଗୋଡ଼ ଲମ୍ବାଇବା ଆରମ୍ଭ କରିଛନ୍ତି।

କୌଣସି ନିର୍ଦ୍ଧିଷ୍ଟ ବ୍ୟାଙ୍କର ନାଁ ନନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଏକ ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମରେ ବିଭିନ୍ନ ବ୍ୟାଙ୍କର ଆର୍ଥିକ ଦୂରବସ୍ଥା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଆଖି ଆଗରେ ରଖି ଓଡ଼ିଶା ସରକାରଙ୍କ ସଂସ୍ଥାମାନେ ବ୍ୟାଙ୍କରେ ଟଙ୍କା ରଖିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର। ଯେଉଁ ବ୍ୟାଙ୍କରେ ଟଙ୍କା ରଖାଯିବ ତାହାର ଆର୍ଥିକ ଅବସ୍ଥା ତନଖି କରିବା ପାଇଁ ଏହି ଚିଠିରେ କୁହାଯାଇଛି। ଏସବୁ ଜମା ପାଇଁ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସଚିବ କହିଛନ୍ତି।

ବ୍ୟାଙ୍କରେ ଟଙ୍କା ଜମା ରଖିବା ପରିବର୍ତ୍ତେ ବିଭିନ୍ନ ସରକାରୀ ଯୋଜନାର ଖର୍ଚ୍ଚ ପାଇଁ ଇଣ୍ଟିଗ୍ରଟେଡ୍‌ ଫାଇନାନ୍‌ସିଆଲ ମ୍ୟାନଜମେଣ୍ଟ ସିଷ୍ଟମ ବା ଟ୍ରେଜେରିରୁ ସିଧା ସଳଖ ଅର୍ଥ କାରବାର କରିବା ଭଲ ବୋଲି ଏହି ଚିଠିରେ କୁହାଯାଇଛି।

Comment