ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାସିକ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ଗିର୍‌ମିଟିୟା ସଂପ୍ରଦାୟଙ୍କ ସମ୍ପର୍କରେ ଉପସ୍ଥାପନ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ଗୁରୁବାର ମାସିକ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ମରିସସ୍‌ରେ ‘ଓଡ଼ିଆ ବଂଶୋଦ୍ଭବ’ – ଗିର୍‌ମିଟିୟା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

ମାସିକ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ।

ଜାତୀୟ ଅଭିଲେଖାଗାରର ସହ ନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଦାସମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ମରିସସ୍‌ରେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ରହିଥିବା ଓଡ଼ିଆମାନଙ୍କର ସ୍ଥିତି, ବଂଶ ବିସ୍ତାର ଏବଂ ଓଡ଼ିଆ ସଂସ୍କୃତିକୁ ଉଜ୍ଜୀବୀତ କରି ରଖିଥିବା ୩୦୦ ପରିବାରଙ୍କ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

‘‘ଇଂରେଜ ଶାସନ ସମୟରେ ସୁଦୂର ଆଫ୍ରିକା ମହାଦେଶର ମରିସସ୍‌ ଦ୍ୱୀପକୁ ଭାରତରୁ ଅନେକ ଗୋତି ଶ୍ରମିକ ଚାଲାଣ ହୋଇଥିଲେ। ସେମାନଙ୍କୁ ଚୁକ୍ତି କରି ସେଠାକୁ ନିଆଯାଉଥିଲା। ଇଂରେଜ ସରକାରଙ୍କ ଦ୍ୱାରା ସେଠାରେ ତିଆରି ହୋଇଥିବା ଚିନି କଳରେ ସେମାନେ ଶ୍ରମିକ ଭାବେ କାମ କୁରଥିଲେ। ଏଥିରେ ଅନେକ ଓଡ଼ିଆ ଶ୍ରମିକ ମଧ୍ୟ ରହିଥିଲେ। ସେହି ଗୋତି ଶ୍ରମିକଙ୍କ ପରବର୍ତ୍ତୀ ପିଢ଼ି ଏବେ ବି ମରିସସ୍‌ରେ ରହିଛନ୍ତି। ଏମାନଙ୍କର ପୂର୍ବଜମାନେ ହେଉଛନ୍ତି ଓଡ଼ିଆ। ସେମାନେ ଦୀର୍ଘ ଦିନଧରି ମରିସସ୍‌ର ନାଗରିକ ହୋଇ ରହିଥିଲେ ମଧ୍ୟ ସେମାନଙ୍କର ମୂଳ ବଂଶଧର ହେଉଛନ୍ତି ଓଡ଼ିଆ’’, କହିଛନ୍ତି ଡକ୍ଟର ଲଲାଟେନ୍ଦୁ ଦାସମହାପାତ୍ର।

ମରିସସ୍‌ରେ ବର୍ତ୍ତମାନ ରହୁଥିବା କିଛି ଓଡ଼ିଆ ସେମାନଙ୍କ ପୂର୍ବଜମାନଙ୍କର ସ୍ଥାନକୁ ଦେଖିବା ପାଇଁ ଚାହୁଁଛନ୍ତି। ଏହାସହ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଜୀବନ ସହ ନିଜକୁ ଯୋଡ଼ିବାକୁ ଚାହୁଁଛନ୍ତି ବୋଲି ଏହି ସଂସ୍କୃତି ଚର୍ଚ୍ଚାରେ ଆଲୋଚନା ହୋଇଥିଲା।

“ମରିସସ୍‌ରେ ଥିବା ଗିର୍‌ମିଟିୟା ସମ୍ପ୍ରଦାୟର ସମସ୍ତ ‘ଓଡ଼ିଆ ବଂଶୋଦ୍ଭବ’ଙ୍କ ସହ ଓଡ଼ିଶା ସରକାର ସାଂସ୍କୃତିକ ଭାବ ଆଦାନପ୍ରଦାନ କରିବାକୁ ସମସ୍ତ ସୁବିଧା ଯୋଗାଇଦେବେ। ଏଥିସହ ସେଠାକାର ଓଡ଼ିଆ ଲୋକ ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବା ପାଇଁ ପ୍ରଥମେ ଓଡ଼ିଆ ଭାଷା ଶିଖିବା ଆବଶ୍ୟକ। ଓଡ଼ିଆ ଭାଷା ଶିଖିବା ପାଇଁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇଦିଆଯିବ’’, କହିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ମରିସସ୍‌ରେ ରହୁଥିବା ଏବଂ ସେଠାରେ ନୂତନ ଭାବେ ଗଠନ କରାଯାଇଥିବା ଓଡ଼ିଆ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକଙ୍କ ସହିତ ସ୍କାଇପ ମାଧ୍ୟମରେ ଆଲୋଚନା କରାଯାଇଥିଲା। ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ହୋତା, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ଐତିହାସିକ ନିବେଦିତା ମହାନ୍ତି, ବରିଷ୍ଠ ସାମ୍ବାଦିକ ଅସିତ ମହାନ୍ତି, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ସ୍କାଇପ ମାଧ୍ୟମରେ ଓଡ଼ିଆ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ରାମରୁପ ଜଗନ୍ନାଥଙ୍କ ସହିତ କଥା ହୋଇଥିଲେ।

ମରିସସ୍‌ର ଜୀବନଶୈଳୀ, ଚାଲିଚଳନ, ସଂସ୍କୃତି ପରମ୍ପରା ସମ୍ପର୍କରେ ପଚାରିବା ସହ ଓଡ଼ିଶା ସହ ତାଙ୍କର ସମ୍ପର୍କ ସମ୍ବନ୍ଧରେ କଥା ହୋଇଥିଲେ।

ଏହି ବାର୍ତ୍ତାଳାପରେ ରାମରୂପ କହିଥିଲେ ଯେ, ସେ ଓଡ଼ିଶା ଆସିବାକୁ ବହୁତ ବ୍ୟଗ୍ର ଅଛନ୍ତି। ଏହାସହ ଓଡ଼ିଶା ସରକାର ସେମାନଙ୍କୁ ଓଡ଼ିଶାର ନାଗରିକ ଭାବେ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ। ଏହାଫଳରେ ସେ ତାଙ୍କର ପୂର୍ବଜଙ୍କ ଜନ୍ମସ୍ଥାନ ଦେଖିବା ସହିତ ନିଜକୁ ଓଡ଼ିଆ ଭାଷା, ସଂସ୍କୃତି ଓ ଜୀବନୀ ସହ ଯୋଡ଼ି ପାରିବେ।

ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସୋଲେମାନ ଅଲ୍ଲୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comment