ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ ପାଇବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ। ଶୁଣନ୍ତୁ ତାଙ୍କର ଲୋକପ୍ରିୟ ଭଜନ ‘ବାଲିରେଣୁ ମହାବନ୍ଧ ସୁଜନ ହେ’।

ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ୨୦୧୭-୧୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇବେ। ଭକ୍ତି ସଙ୍ଗୀତ କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ଦୀର୍ଘ ବର୍ଷର ଅନୁଭୂତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଶୁକ୍ରବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଶାନ୍ତିଲତାଙ୍କୁ ଏକାଡେମୀ ପୁରସ୍କାର ବାବଦରେ ୫୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମାମଣୀ ଦେବୀ ପାଇବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ।

ସେହିପରି ଶାନ୍ତିଲତାଙ୍କ ସହ ଆଉ ୧୫ ଜଣ କଳାକାରଙ୍କୁ ବିଭିନ୍ନ ବିଭାଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି। ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ।

ପିଲାଟି ଦିନରୁ ଶାନ୍ତିଲତା ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଗୁରୁ ମାର୍କଣ୍ଡେୟ ମହାପାତ୍ର ଏବଂ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖଙ୍କ ଆଶୀର୍ବାଦ ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଏକ ଲମ୍ବା ରାସ୍ତା ଯିବା ପାଇଁ ସମ୍ବଳ ଯୋଗାଇଥିଲା।

‘ହେ ଚକାନୟନ’ ଶାନ୍ତିଲତା ବାରିକଛୋଟରାୟଙ୍କ ସବୁଠାରୁ ଲୋକପ୍ରିୟ ଗୀତ ଯାହାକି ଏକ ସମୟରେ ଓଡ଼ିଶାର ଘରେ ଘରେ ପ୍ରତିଧ୍ୱନିତ ହୋଇଥିଲା। ସଂଯୋଗକ୍ରମେ ଏହି ଗୀତଟି ଥିଲା ଶାନ୍ତିଲତାଙ୍କ ସଙ୍ଗୀତ ଜୀବନର ପ୍ରଥମ ବିଧିବଦ୍ଧ ରେକର୍ଡିଂ ଏବଂ ତାହା ସୁପରଡୁପର ହିଟ୍ ହୋଇଥିଲା।

ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ ସ୍ୱର ଶାନ୍ତିଲତା ବାରିକ ଛୋଟରାୟଙ୍କ ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’ର ପଞ୍ଚମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଅକ୍ଟୋବର ୨୯ ତାରିଖ ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ଅବସରରେ ଶାନ୍ତିଲତାଙ୍କ ସହିତ ଅନ୍ୟ କେତେଜଣ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କର ବିଭିନ୍ନ କାଳଜୟୀ ଭକ୍ତିସଙ୍ଗୀତ ପରିବେଷଣ କରିବେ।

Comment