ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ବନ୍ଧନକୁ ଖୋଲିଦେଇ ଅଫେରା ରାଇଜକୁ ଚାଲିଗଲେ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ ଛୋଟରାୟ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି।

ଆସନ୍ତାକାଲି ମଙ୍ଗଳବାର ଦିନ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ପରିବାର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ଶାନ୍ତିଲତା ବାରିକ ଛୋଟରାୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ନିଜ ଜୀବନ କାଳ ଭିତରେ ସେ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ପ୍ରଶଂସା ସାଉଁଟିଛନ୍ତି।

ଶାନ୍ତିଲତା ବାରିକ ଛୋଟରାୟ କ୍ଯାନ୍ସର ରୋଗରେ ପୀଡ଼ିତ ହୋଇ ମୁମ୍ୱାଇସ୍ଥିତ ଟାଟା ମେମୋରିଆଲ୍‌ କ୍ଯାନ୍ସର ହସ୍ପିଟାଲ୍‌ରେ ଭର୍ତ୍ତି ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ।
ସୋମବାର ଦିନ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା।

ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।

Tags: #ShantilataBarikChhotaray #Death #RenownedOdiaSinger #Odisha

LEAVE A REPLY

Please enter your comment!
Please enter your name here