ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ ଛୋଟରାୟ।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତିସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ପିଲାଟି ବେଳୁ ସଙ୍ଗୀତ ପ୍ରତି ଦୁର୍ବଳତା

‘‘ମୋର ଜନ୍ମ ନିମାପଡ଼ାର ଏକ ଛୋଟ ଗାଁରେ। ପିଲାଟି ବେଳୁ ମୋ ମନରେ ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା। ବାପା ବି ମୋ ପ୍ରତିଭାକୁ ଚିହ୍ନି ପାରିଥିଲେ। ଖୁବ୍‌ ସାନ ବେଳୁ ସେ ମତେ ଗୀତ ଗାଇବାକୁ ପ୍ରେରଣା ଯୋଗାଇଥିଲେ। ମୁଁ ବି ଜାଣିନଥିଲି ଯେ ମୁଁ ଦିନେ ଗାୟିକା ହେବି କିନ୍ତୁ ଗୀତ ଗାଉଥିଲି’’, ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେବା ସମୟରେ ନିଜ ପିଲାବେଳ କଥାକୁ ମନେ ପକେଇ ଏମିତି କହିଛନ୍ତି ଶାନ୍ତିଲତା ବାରିକ ଛୋଟରାୟ।

ଶାନ୍ତିଲତାଙ୍କ କହିବା ଅନୁସାରେ ପିଲାବେଳୁ ତାଙ୍କ ବାପା ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚିହ୍ନେଇ ଦେଇଥିଲେ। ସେବେଠୁ ସେ କେବଳ ବଡ଼ ଠାକୁରଙ୍କ ପାଇଁ ଗାଇଲେ। ତାଙ୍କ ବାପା ତାଙ୍କୁ ଏକ ଜଗନ୍ନାଥ ଭଜନ ମଧ୍ୟ ଶିଖାଇଥିଲେ। ସେବେଠାରୁ ମହାପ୍ରଭୁଙ୍କ ପାଇଁ ଗୀତ ଗାଉ ଗାଉ ଆଧୁନିକ ଗୀତ କିମ୍ବା ଅନ୍ୟ କିଛି ଗୀତ ଗାଇବାକୁ ମନ ବଳେଇଲାନି।

‘‘ବୟସ ହୋଇନଥିଲା ବୋଲି ସଙ୍ଗୀତ ଗୁରୁ ଫେରେଇ ଦେଇଥିଲେ’’

‘‘ସେତେବେଳେ  ଓଡ଼ିଶାରେ ସଙ୍ଗୀତ ଭିତ୍ତିଭୂମି କିଛି ନଥିଲା। ଗୀତ ଗାଇଲେ ଲୋକେ ଖରାପ ବୋଲି କହୁଥିଲେ। ଝିଅମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ ଥିଲା। ମୋ ବାପା, ମା’ଙ୍କର ଯେହେତୁ ଆଗ୍ରହ ଥିଲା ସେଥିପାଇଁ ସେ ମତେ ଗୀତ ଗାଇବାରେ ବାରଣ କରିନଥିଲେ। ବହୁତ ଛୋଟ ଥିଲି ବାପା ମତେ ସଙ୍ଗୀତ ସୁଧାକାର ବାଳକୃଷ୍ଣ ଦାସଙ୍କ ପାଖଙ୍କୁ ସଙ୍ଗୀତ ଶିକ୍ଷା କରିବାକୁ ନେଇଯାଇଥିଲେ। କିନ୍ତୁ ବୟସ ହୋଇନଥିଲା ବୋଲି ସେ ମତେ ଫେରେଇ ଦେଇଥିଲେ। ସେଦିନ ବାପା ନିରାଶ ହୋଇପଡ଼ିଥିଲେ।  ତା’ପରେ ପାଠ ପଢ଼ିଲି। ଟିକେ ବଡ଼ ହେବା ପରେ ବାଳକୃଷ୍ଣ ଦାସଙ୍କ ପାଖରେ ଗୀତ ଶିଖିବାର ସୁଯୋଗ ପାଇଲି’’, କହନ୍ତି ଶାନ୍ତିଲତା ବାରିକ ଛୋଟରାୟ।

‘ହେ ଚକାନୟନ’ଶାନ୍ତିଲତାଙ୍କ କଣ୍ଠରେ ପ୍ରଥମ ଭଜନ ପାଲଟିଥିଲା କ୍ଲାସିକ୍‍

‘ହେ ଚକାନୟନ..’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ୧୯୭୮ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟି ଶ୍ରୋତାଙ୍କ ମହଲରେ ବେଶ ଆଦର ପାଇଛି। ଏହି ଗୀତଟିକୁ ଗାଇବା ବେଳେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ଶାନ୍ତିଲତା ବାରିକ।

ସେଦିନ ଓଡ଼ିଆ ସଙ୍ଗୀତ ଜଗତର ପିତାମହ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଶାନ୍ତିଲତାଙ୍କୁ ଧରାଇ ଦେଇଥିଲେ ଏକ ଜଗନ୍ନାଥ ଭଜନ। ସେହି ଭଜନଟି ଥିଲା- ‘ହେ ଚକାନୟନ’। ଏହି ଗୀତର ଗୀତିକାର ଥିଲେ ନଗେନ୍ଦ୍ର ମହାପାତ୍ର। ଏହାର ସ୍ୱର ସଂଯୋଜନ କରିଥିଲେ ନିଜେ ବାଳକୃଷ୍ଣ। ଏହି ଗୀତଟିକୁ ଅତି ଆବେଗଭରା କଣ୍ଠରେ ଶାନ୍ତିଲତା ଗାଇ ଶୁଣାଇଥିଲେ। ଗୀତଟି ଶୁଣୁଶୁଣୁ ବାନ୍ଧି ହୋ‍ଇଯାଇଥିଲେ ଗୁରୁ ବାଳକୃଷ୍ଣ ଏବଂ ଶାନ୍ତିଲତାଙ୍କ ପରୀକ୍ଷା ନେଉଥିବା କଲିକତାର ଭି. ବାଲସାରାୟ। ବାଲସାରାୟ ସାହେବ ବାଳକୃଷ୍ଣଙ୍କୁ ତତକ୍ଷଣାତ୍‍ କହିଥିଲେ, “ଇଏତ ବଢ଼ିଆ ଗାଉଛି, ଆଉ ଏହାର କ’ଣ ଇଣ୍ଟରଭ୍ୟୁ ନେବା, ତା’ କଣ୍ଠରେ ଏହି ଗୀତଟି ରେକର୍ଡ କରାଯାଉ”।

ଏହି ପ୍ରସିଦ୍ଧ ଭଜନକୁ ଶାନ୍ତିଲତା ସର୍ବପ୍ରଥମେ ପୁରୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ଆୟୋଜିତ ଭଜନ ସମାରୋହରେ ପ୍ରଥମେ ଗାଇଥିଲେ। ତା’ର ଅନୁଭୂତି ବି ବେଶ୍ ମଜାଦାର ବୋଲି କହନ୍ତି ଶାନ୍ତିଲତା ବାରିକ ଛୋଟରାୟ।

“ଭଜନ ସମାରୋହକୁ ପରିଚାଳନା କରୁଥାନ୍ତି ସଙ୍ଗୀତ ଜଗତର ଦୁଇ ମହାରଥୀ ସଙ୍ଗୀତକାର ଡକ୍ଟର ଶାନ୍ତନୁ ମହାପାତ୍ର ଓ ପ୍ରଫୁଲ୍ଲ କର। ସନ୍ଧ୍ୟା ସାଢ଼େ ୫ଟା ବେଳୁ ମୁଁ ବସିଥାଏ ମଞ୍ଚରେ। ସେଠି ବାଳକୃଷ୍ଣ ସାର୍ ବି ଥାଆନ୍ତି। ରାତି ଏଗାରଟା ବାଜିଲା, କିନ୍ତୁ ମୋ’ ନାଁ ଡକାଗଲାନି କି ଭଜନ ଗାଇବାର ସୁଯୋଗ ମିଳିଲା ନାହିଁ। ବାଳକୃଷ୍ଣ ସାର୍ ରାତି ଏଗାରଟା ବେଳକୁ ମଞ୍ଚ ଛାଡ଼ି ଚାଲିଗଲେ। ଭୋକ, ଶୋକ ଭୁଲି ମୁଁ ଅପେକ୍ଷା କରିଥାଏ। ମୋ’ ସାଙ୍ଗରେ ଭଉଣୀ ଆରତୀ ଥାଏ। ସମୟ ଗଡ଼ି ଚାଲୁଥାଏ। ସେହି ସମୟରେ ମୋର ଜଣେ ସମ୍ପର୍କୀୟ ମୋତେ ଦେଖିଲେ। ସେ କହିଲେ ତୁ ତ ବଢ଼ିଆ ଗାଉଛୁ, ନିଶ୍ଚିତ ରୂପେ ଭଜନ ଗାଇବୁ”।

ଓଡ଼ିଶାଲାଇଭ୍‍ ସହ କଥାବାର୍ତ୍ତା ବେଳେ ଏହି ଅଜଣା ଅଧ୍ୟାୟକୁ ମନେ ପକାଇଥିଲେ ଗାୟିକା ଶାନ୍ତିଲତା। “ତାହା ଥିଲା ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ’’।ଶାନ୍ତିଲତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ଶାନ୍ତିଲତା ବାରିକଙ୍କ ଭଜନ ପରିବେଷଣର ଶୈଳୀ ରାଜ୍ୟ ସଙ୍ଗୀତ ଜଗତରେ ଅନ୍ୟତମ। ଯଦି ପୁରୁଷ ବର୍ଗରେ ଭଜନ ସମ୍ରାଟ ଭିକାରୀ ବଳ ଓ କଣ୍ଠଶିଳ୍ପୀ ସିକନ୍ଦର୍‌ ଆଲାମଙ୍କୁ ଗୋଟିଏ ପାଖରେ ରଖାଯାଏ, ତେବେ ମହିଳା ବର୍ଗରେ ଶାନ୍ତିଲତା ବାରିକଙ୍କ ନାମ ନିଶ୍ଚିତ ରହିବ। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୋଇଛି। ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ୍‌ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’ ଆୟୋଜିତ ହେଉଛି। ଏଥିରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗ ଦେଇ ସଙ୍ଗୀତ ପରିବେଷଣ କରିଥାନ୍ତି। କେବଳ ସେତିକି ନୁହେଁ, ଶାନ୍ତିଲତାଙ୍କର ଏକ ସଙ୍ଗୀତ ଶିକ୍ଷା ଅନୁଷ୍ଠାନ ମଧ୍ୟ ରହିଛି, ଯାହାର ନାଁ ‘ସ୍ୱରତୀର୍ଥ’। ଏଠାରେ ନୂଆ ପ୍ରତିଭାମାନେ ସଙ୍ଗୀତ ଶିକ୍ଷା କରି ନିଜ କ୍ୟାରିୟରକୁ ଏକ ନୂଆ ଦିଗ ଦେଇପାରୁଛନ୍ତି।

Comment