ଓଡ଼ିଶାଲାଇଭ୍‌ ବ୍ୟୁରୋ

 ନିଜ ସୁମଧୁର କଣ୍ଠରେ ସଙ୍ଗୀତକୁ ସଜେଇ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଓଡ଼ିଶାର ଜଣେ ଆଗଧାଡ଼ିର ଗାୟିକା ହେଲେ ଅନ୍ତରା ଚକ୍ରବର୍ତ୍ତୀ। ଓଡ଼ିଶାଲାଇଭ୍‌ ସହ ସମ୍ପୂର୍ଣ୍ଣ ସାକ୍ଷାତକାରରେ ସାମିଲ ହୋଇ ନିଜ ସଙ୍ଗୀତ-ଜୀବନ-କାହାଣୀ କହିଛନ୍ତି ଅନ୍ତରା।

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ, ନିଜ ସୁମଧୁର କଣ୍ଠର ଯାଦୁରେ କୋଟି କୋଟି ଓଡ଼ିଆଙ୍କ ହୃଦୟକୁ ବାନ୍ଧି ରଖିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ୧୦୦ରୁ ଅଧିକ ଫିଲ୍ମ, ୧୦୦୦ରୁ ଅଧିକ ଆଲବମ୍‌ ,ଏବଂ ୨୫ରୁ ଅଧିକ ମେଗା ଧାରାବାହିକରେ କଣ୍ଠଦାନ ଦାନ କରି ସେ ଆଜି ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

 ଅନ୍ତରା କେବଳ ଓଡ଼ିଆ ଗୀତ ଗାଇବାରେ ନୁହେଁ, ବରଂ ହିନ୍ଦୀ, ବଙ୍ଗଳା, ମରାଠୀ, ଗୁଜୁରାଟୀ ଏବଂ ଭୋଜପୁରୀ ଗୀତ ଗାଇବାରେ ମଧ୍ୟ ଦକ୍ଷ। ଫିଲ୍ମ ହେଉ କି ଆଲବମ୍‌ ତାଙ୍କ କଣ୍ଠସ୍ୱର ସବୁଠି ଚମକେ। ପିଲା ବେଳୁ ସଙ୍ଗୀତକୁ ସାଧନା କରିଥିବା ଅନ୍ତରା କହନ୍ତି, ‘‘ସଙ୍ଗୀତ ପାଇଁ ମୋର ଜନ୍ମ। ମୋ ପରିବାରରେ ସମସ୍ତେ ସଙ୍ଗୀତକୁ ଭଲ ପାଆନ୍ତି। ମୋ ବାପା ମୋହିତ ଚକ୍ରବର୍ତ୍ତୀ ଜଣେ ଗୀତିକାର। ମଉସା ଗୁରୁକୃଷ୍ଣ ଗୋସ୍ୱାମୀ ଏବଂ ମାଉସୀ ଆରତୀ ଗୋସ୍ୱାମୀ ମଧ୍ୟ ସଙ୍ଗୀତଜ୍ଞ। ତେଣୁ ମୁଁ ଛୋଟ ବେଳୁ ସଙ୍ଗୀତ ଶୁଣି ଆସିଛି ଓ ଅନୁଭବ କରିଛି।’’

ଅନ୍ତରା ଚକ୍ରବର୍ତ୍ତୀ ଖୁବ୍‌ କମ ବୟସରୁ ଫିଲ୍ମରେ ଗୀତ ଗାଇଛନ୍ତି। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଜଗୁ ଅଟୋବାଲା’। ଏହି ଫିଲ୍ମରେ ସେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହଯୋଗରେ ‘ଭିଜା ଭିଜା କୁହୁଡ଼ି ତଳେ’ ଗୀତଟି ଗାଇଥିଲେ। ଏହି ଗୀତଟି ବେଶ୍‌ ସୁପରହିଟ୍‌ ହୋଇଥିଲା। ତେଣୁ ସଙ୍ଗୀତରେ କ୍ୟାରିୟର କରିବାକୁ ଅନ୍ତରାଙ୍କୁ ଏହା ପ୍ରେରଣା ଯୋଗାଇଥିଲା।

‘‘ଆମେ କଟକର ଝାଞ୍ଜିର ମଙ୍ଗଳା ପାଖେ ରହୁ। ଥରେ ମା’ଙ୍କର ଏକ କାର୍ଯ୍ୟକ୍ରମରେ ମୁଁ ଗୀତ ଗାଉଥାଏ। ସେଠି ମୋ ଗୀତ ଶୁଣି ଅଭିଜିତ ମଜୁମଦାର ବାପାଙ୍କ ହାତରେ ମୋ ପାଖକୁ ଖବର ଦେଇଥିଲେ ତାଙ୍କ ସହ କଥା ହେବା ପାଇଁ। ମୁଁ ଯେତେବେଳେ ତାଙ୍କ ସହିତ କଥା ହୋଇଥିଲି ସେ ମତେ ଫିଲ୍ମର ଅଫର ଦେଇଥିଲେ। ମୁଁ ଏତେ ସାନ ହୋଇଥିବାରୁ ଫିଲ୍ମରେ ଗୀତ ଗାଇବା କଥାକୁ ନେଇ ପ୍ରଥମେ ଡରି ଯାଇଥିଲି। କିନ୍ତୁ ପରେ ପୁଣି ରାଜି ହୋଇଥିଲି’’, କହନ୍ତି ଅନ୍ତରା।

ଅନ୍ତରା ପ୍ରଥମେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦହାସଲ କରିଛନ୍ତି । ଶ୍ରେଷ୍ଠ ପଚ୍ଛଦପଟ ଗାୟିକା ଭାବେ ଅନ୍ତରା ୨ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତିା ୨୦୧୫ରେ ଇସ୍କ ତୁ ହି ତୁ, ୨୦୧୯ରେ ସାଥୀ ତୁ ଫେରି ଆ ଫିଲ୍ମ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା। କେବଳ ଓଡ଼ିଆ ନୁହେଁ ହିନ୍ଦୀ ଗୀତରେ ମଧ୍ୟ ସେ ନିଜ ଦକ୍ଷତା ଦେଖାଇଛନ୍ତି।

ମୁମ୍ବାଇରେ ପାଠ ପଢ଼ିଲା ବେଳେ ‘ଦ ପୁସ୍କର ଲଜ୍’, ପ୍ୟାରେ ଜରା ସମ୍ଭଲନା ଭଳି ଫିଲ୍ମରେ ଗାଇବାର ଚାନ୍ସ ମଧ୍ୟ ପାଇଛନ୍ତି ଅନ୍ତରା। ଆଗକୁ ସୁଯୋଗ ମିଳିଲେ ବଲିଉଡରେ ଆହୁରି ଗୀତ ଗାଇବେ ବୋଲି ଅନ୍ତରା କହନ୍ତି।

ଓଡ଼ିଶାରେ ବିଭିନ୍ନ ସଙ୍ଗୀତଭିତ୍ତିକ ରିଆଲିଟି ସୋ’ରେ ଜଜ୍‌ ଭାବେ ଅନେକ ପ୍ରତିଭାଙ୍କୁ ବାଛିଛନ୍ତି ଅନ୍ତରା। କିନ୍ତୁ ସେ ସଙ୍ଗୀତକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କୁ ପରାମର୍ଶ ଦେଇ କହନ୍ତି, ‘‘ସଙ୍ଗୀତକୁ କ୍ୟାରିୟର କରିବାକୁ ହେଲେ ସେତିକି ସାଧନା ଦରକାର। ଆଜିର ଦିନରେ ରିଆଲିଟି ସୋ’ ଏକ ଭଲ ପ୍ଲାଟଫର୍ମ। କିନ୍ତୁ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ନିର୍ଭର ନକରି ନିଜ ପାଇଁ ରାସ୍ତା ତିଆରି କରିବା ଦରକାର’’।

LEAVE A REPLY

Please enter your comment!
Please enter your name here