ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାଲିଯାତ୍ରାରେ ଷ୍ଟଲ ବିକ୍ରି ହେଉନାହିଁ। ଏବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟଲ ଭଡ଼ା ଅତ୍ୟଧିକ ବଢ଼ାଇବା ସହ ବ୍ୟବସାୟୀମାନଙ୍କୁ ସ୍ପୋନ୍‌ସର୍‌ସିପ୍‌ ନେବା ପାଇଁ ବାଧ୍ୟ କରାଯାଉଛି। ଏହା ଫଳରେ ବ୍ୟବସାୟୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।

ରିପୋର୍ଟ ଅନୁସାରେ ଯଦି କୌଣସି ବ୍ୟବସାୟୀ ୨୦୦୦ ବର୍ଗ ଫୁଟ ଜାଗା ଭଡ଼ାରେ ନେବାକୁ ଚାହିଁବେ ତାଙ୍କୁ ଗ୍ରାଉଣ୍ଡ ରେଣ୍ଟ ବ୍ୟତୀତ ପ୍ରଯୋଜକ ହିସାବରେ ୩ ଲକ୍ଷ ଟଙ୍କା ଅଧିକ ଦେବାକୁ ହେବ। ଏହି ଚଢ଼ା ଦାମକୁ ଦେଖି ଛୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଓ କର୍ପୋରେଟ ଏଥର ବାଲିଯାତ୍ରାରେ ଭାଗ ନେବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ରେଣ୍ଟ ବର୍ଗ ଫୁଟ ପ୍ରତି ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯିଏ ଯେତେ ଅଧିକ ଯାଗା ନେବ ତାକୁ ସେହି ଅନୁଯାୟୀ ଅଧିକ ଭୂମି ଭଡ଼ା ଦେବାକୁ ହେବ। ଅଧିକ ସ୍ଥାନ ପାଇଁ ୫ ପ୍ରତିଶତ ଅଧିକ ଭଡ଼ା ଦେବାକୁ ପଡ଼ିବ। ତେବେ ସବୁଠାରୁ ବେଶୀ ମାଡ଼ ହୋଇଛି ସବୁ ବ୍ୟବସାୟୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ପ୍ରୟୋଜକ ଫି।

ଗୋଟିଏ ହିସାବ ଦେଖାଯାଉ। ଯଦି ଆପଣ ୬୦୦୦ ବର୍ଗ ଫୁଟ୍‌ ଜାଗା ନେଉଛନ୍ତି ଆପଣଙ୍କୁ ଗ୍ରାଉଣ୍ଡ ରେଣ୍ଟ ଓ ସ୍ପୋନ୍‌ସର୍‌ସିପ୍‌ ବାବଦକୁ ୧୩ ଲକ୍ଷ ୫୨ ହଜାର ୫୦୦ ଟଙ୍କା ଦେବାକୁ ହେବ। ଯଦି ୧୨୦୦୦ ବର୍ଗ ଫୁଟ ଜାଗା ନେବେ ମୋଟ୍‌ ଦେୟ ପରିମାଣ ହେବ ୩୭,୩୭,୫୦୦ ଟଙ୍କା। ତାହା ପୁଣି ମାତ୍ର ଆଠ ଦିନ ପାଇଁ।

କିଛି ବ୍ୟବସାୟୀ ଏହାକୁ ଶୋଷଣ ବୋଲି କହିବା ସହିତ ଯେତିକି ପଡ଼ିଆ ଭଡ଼ା ଦେବେ ସେଥିରେ କଟକରେ ଖଣ୍ଡିଏ ପ୍ଲଟ୍‌ କିଣି ହୋଇଯିବ ବୋଲି ମତ ପ୍ରକାଶ କରିଛନ୍ତି।

Comment