ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଜି ୫ କୋଟି ଟଙ୍କା ଘୋଷଣା କରିବା ଅବସରରେ ଏହି ନିଷ୍ପତ୍ତି ନେଇଛନ୍ତି।

ପୁରୀ ସ୍ୱର୍ଗଦ୍ୱାରର ୧୪୫୨ ଏବଂ ୧୪୫୫ ନମ୍ବର ପ୍ଲଟରେ ନିର୍ମାଣ ହୋଇଥିଲା ବିଜୁ ବାବୁଙ୍କ ସମାଧି। ୧୯୯୭ ଏପ୍ରିଲ ୧୩ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପରେ ସ୍ୱର୍ଗଦ୍ୱାରରେ ବିଜୁଙ୍କର ଏକ ସମାଧି ନିର୍ମାଣ କରିବାକୁ ବିଜୁ ପ୍ରେମୀମାନେ ନିଷ୍ପତ୍ତି ନେଇଥିଲେ।

୧୯୯୯ରେ ଏନେଇ ଏକ ପ୍ରସ୍ତାବ ପୁରୀ ପୌର ପରିଷଦକୁ ଆସିଥିଲା। ୨୦୦୦ ମସିହାରେ ରାଜ୍ୟରେ ବିଜେଡି ସରକାର ଆସିବା ପରେ ସ୍ୱର୍ଗଦ୍ୱାରରେ ବିଜୁଙ୍କର ସମାଧି ନିର୍ମାଣ କରାଯାଇଥିଲା।

ଗତ କିଛି ବର୍ଷ ତଳେ ସ୍ୱର୍ଗଦ୍ୱାର ଚାରିପଟୁ ଜବରଦଖଲ ହଟାଇବା ପାଇଁ ପୁରୀ ପ୍ରଶାସନ ଉଦ୍ୟମ କରିଥିଲା। ସେତେବେଳେ ବିଜୁଙ୍କ ସମାଧି ହଟାଇବା କଥା ମଧ୍ୟ ଉଠିଥିଲା। ହେଲେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ବିଜୁଙ୍କ ସମାଧି ହଟାଇବା ନିଷ୍ପତ୍ତିକୁ ସେତେବେଳେ ବହୁ ବିଜୁ ଅନୁଗତ ବିରୋଧ କରିଥିଲେ। ଫଳରେ ବିଜୁ ବାବୁଙ୍କ ସମାଧିରେ ହାତ ମାରି ନଥିଲେ ସରକାର।

ଏବେ ପୁଣି ବିଜୁଙ୍କ ସମାଧି ଭାଙ୍ଗିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିବା ସହ ପ୍ରତିକ୍ରିୟା ଦେଇଛନ୍ତି।

‘‘ବିଜୁ ପଟ୍ଟନାୟକ କୋଟି କୋଟି ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି। ସବୁଦିନ ସେ ଓଡ଼ିଶାବାସୀଙ୍କ ହୃଦୟରେ ରହିବେ। ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କର ଯେଉଁ ସମାଧି ଥିଲା ସେହି ଜାଗା ସମଗ୍ର ରାଜ୍ୟବାସୀଙ୍କ ସେବାରେ ଲାଗିବ। ସାଧାରଣ ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ସମ୍ପୂର୍ଣ୍ଣ ସମର୍ପିତ ହେବ। ସ୍ୱର୍ଗଦ୍ୱାର ହେଉଛି ବିଶ୍ୱାସର ପବିତ୍ର ଭୂମି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment