ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

 ଡ଼ିଆ ଓ ଓଡ଼ିଶା (୧)

ଆଗରୁ ଆମେ “କାଳ” କଥା କହିଥାଇଁ।  “କାଳ”ର ନିର୍ଣ୍ଣୟ ନାହିଁ, ବେପରୁଆ – କାହିଁକି କଣ ହୁଏ ତା’ ଆମେ ବୁଝି ପାରିବା ନାହିଁ। ଆମେ ସମସ୍ତେ “କାଳ”ର ଅଧୀନ, ସାରା ବିଶ୍ଵ ବ୍ରହ୍ମାଣ୍ଡ “କାଳ”ର ଅଧୀନ। ବିଶ୍ଵରେ ସୃଷ୍ଟି କରିବା “କାଳ”, ବିଶ୍ଵରେ ନଷ୍ଟ କରିବା ବି “କାଳ”।  ତେବେ ଯିଏ ସୃଷ୍ଟି କଲା, ସେ’ କାହିଁକି ନଷ୍ଟ କରିବ ? ଏ’ କଥା ବୁଝିବା କଷ୍ଟକର। ଆମେ ନିଜକୁ ସାନ୍ତ୍ଵନା ଦେବା ଯେ’ କୌଣସି ପଦାର୍ଥ ନଷ୍ଟ ହୁଏ ନାହିଁ, କେବଳ ରୂପାନ୍ତର ହୁଏ।

ଏ’ ପ୍ରକାର ରୂପାନ୍ତର କଳ୍ପନା ପୁରୁଣା ମଣିଷର ମନଗଢା ତତ୍ତ୍ଵ। ଏ’ ତତ୍ତ୍ଵ ମୌଳିକ। ସୃଷ୍ଟି ବା ବିନଷ୍ଟି ପଛରେ କିଛି କାରଣ ନାହିଁ, କେବଳ ରୂପର ପରିବର୍ତ୍ତନ ଅଛି। ଏ’ ରୂପ ପରିବର୍ତ୍ତନ “କାଳ” ଦ୍ଵାରା ନିୟନ୍ତ୍ରିତ ହେଉଛି। ରୂପାନ୍ତର କାହିଁକି ହେଉଛି – ତା ଆମେ କହିପାରିବା ନାହିଁ। କିନ୍ତୁ ବିଶ୍ଵର ସବୁ ପଦାର୍ଥର ବିଶେଷତ୍ଵ ଅଛି, ଚାହିଦା ଅଛି –  କେହି ବଡ ବା ସାନ ନୁହେଁ। ଗୁରୁତ୍ଵ ବା ଲଘୁତ୍ଵର କିଛି ଅର୍ଥ ନାହିଁ, ରୂପ ଯାହା ହେଲେ ବି ସୃଷ୍ଟି ଆଗରେ ସବୁ ସମାନ। ମଣିଷ ଓ ଘାସ ଭିତରେ କିଛି ପାର୍ଥକ୍ୟ ନାହିଁ , କେବଳ ରୂପାନ୍ତର।

ଏ’ ଦର୍ଶନର ଅର୍ଥ ହେଲା – ସବୁ ସୃଷ୍ଟି ପଛରେ ଗୋଟିଏ ଜୀବନଧାରା ବହିଚାଲିଛି, ଯଦିଓ ଆମେ କହିପାରିବା ଯେ’ ବିଭିନ୍ନ ସମୟରେ ବିଭିନ୍ନ ରୂପ ପଦାର୍ଥର ପ୍ରାଦୁର୍ଭାବ ହୋଇପାରେ। ସଂସାରରେ ସବୁ ସୃଷ୍ଟିର ଗୋଟିଏ ଗଣନା ଅଛି।  ସବୁ ସୃଷ୍ଟିର “ଆତ୍ମା” ଅଛି, ଯେ’ କି ସୃଷ୍ଟିର ଗତି ନିର୍ଣ୍ଣୟ କରୁଛି। ଆତ୍ମାର ମେଳାପ କାଳ ସାଙ୍ଗରେ।  କାଳର ଇଙ୍ଗିତରେ ଗୋଟିଏ ସଜୀବ ବସ୍ତୁରୁ ଆତ୍ମା ବାହାରି ନିର୍ଜୀବ ବସ୍ତୁକୁ ଜୀବନ ଦେଉଛି।  ଏ’ ପ୍ରକ୍ରିୟା ସୃଷ୍ଟିରେ ଲାଗି ରହିଛି।

କେହି ବଡ ସାନ ନ ହେଲେ ବି ସମସ୍ତଙ୍କର ଜୀବନକାଳ ଅମାପ। ବୟସ, ରୂପ, ବା ଗୁଣ ସାମୟିକ – ପ୍ରତ୍ୟେକ ପଦାର୍ଥ ଅନେକ ଜନ୍ମ ନେଇ ଗତି କରିଛନ୍ତି। ସେମାନଙ୍କର ଇତିହାସ ଅଛି। ଆତ୍ମାର ମୃତ୍ୟୁ ନାହିଁ, ବିନାଶ ନାହିଁ। କେବଳ ଶରୀରର କ୍ଷୟ ଅଛି। ଶରୀରଟା ଆତ୍ମାର ଖୋଳ ପରି। ଶରୀରର ବିନାଶ ହେଲେ ଆତ୍ମା ଶରୀରରୁ ବାହାରି ପୁଣି ନୂତନ ଶରୀରରେ ପ୍ରବେଶ କରେ ଏବଂ ନୂଆ ଶରୀରର ବିନାଶ ପର୍ଯ୍ୟନ୍ତ ସେଠାରେ ବାସ କରେ। ସଂସାର ଚକ୍ରରେ ଆତ୍ମା ଘୂରୁଥାଏ।

ସବୁ ପଦାର୍ଥ ଯେ’ ସମାନ ଏବଂ ସମସ୍ତଙ୍କୁ ଆପଣା ପରି ସମ୍ମାନ ଦେବା ଏ ଦର୍ଶନର ମୂଳତତ୍ତ୍ଵ। ଏହା ହେଲା କୃଷକ ଦର୍ଶନ। କ୍ଷେତରେ ବିଭିନ୍ନ ଶସ୍ୟ ଫଳିପରେ – ସବୁ ଶସ୍ୟର ଉପାଦାନ ଅଛି, ସ୍ଵାସ୍ଥ୍ୟ ପ୍ରତି ଉପକାରିତା ଅଛି। ସଂସାରର ସବୁ ପଦାର୍ଥର ଅନ୍ୟ ସହ ସମନ୍ଵୟ ଅଛି,  କେହି ଏକାକୀ ଠିଆ ହୋଇନାହିଁ। ଗୋଟିଏ ପଦାର୍ଥର ଆକୃତି ଓ ଅନୁଭୂତି ଅନ୍ୟ ପଦାର୍ଥ ସହ ଜଡିତ। ଏ’ ସମନ୍ଵୟ ପଦାର୍ଥ ନିଜେ ନିଧାର୍ଯ୍ୟ କରୁନାହିଁ, “କାଳ” କରୁଛି।

ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ଆମେ ଦେଖିବା ଯେ’ ଏ’ ତତ୍ତ୍ଵରେ ଆତ୍ମାର ଗଣନା ବହୁ ଅଧିକ ହେଲେ ମଧ୍ୟ ସୀମିତ। ବିଶ୍ଵର ପରିମାପ ଅଛି – ଏହା ସୀମିତ ବସ୍ତୁକୁ ଗ୍ରହଣ କରିପାରିବ। ଏ’ ସୀମା କେଉଁଠି ତା’ ମାପିବାକୁ ହେବ, କିନ୍ତୁ ସୀମା ନାହିଁ ବୋଲି କହିହେବ ନାହିଁ। କାହିଁ କି ସୀମା ଅଛି ବୋଲି ମଧ୍ୟ ଆମେ ବିଚାର କରିପାରିବା ନାହିଁ।

ଆମେ କେବଳ ଏହା ହିଁ କହିପାରିବା ଯେ’ ଏ’ ବିଶ୍ଵ ବ୍ରହ୍ମାଣ୍ଡ ଗୋଟିଏ କ୍ଷେତ ପରି। ଗୋଟିଏ କ୍ଷେତରେ ଯେପରି ସୀମିତ ଶସ୍ୟ ଫଳିପାରିବେ, ସେପରି ଏ ବିଶ୍ଵରେ ସୀମିତ ପରିମାଣର ଆତ୍ମା ଚଳିପାରିବେ।  ପ୍ରାୟ ଦଶ ହଜାର ବର୍ଷ ତଳର ଏ’ ତତ୍ତ୍ଵ ନିହାତି ଅବୈଜ୍ଞାନିକ ନ ହୋଇପାରେ। ଏ’ ଦୃଷ୍ଟିକୋଣରୁ ଆଉ ଟିକିଏ ଆଗକୁ ଯାଇ ଜୈନ ମତାବଲମ୍ବୀମାନେ ଏ’ କ୍ଷେତର ସୃଷ୍ଟି ଚିରାଚରିତ ବୋଲି ଅନୁମାନ କଲେ।

ବସ୍ତୁର ଜନ୍ମ ଓ ମୃତ୍ୟୁ ବସ୍ତୁର କର୍ମ ଉପରେ ନିର୍ଭର କରେ ବୋଲି ସେମାନେ କହିଲେ। ମଣିଷ, ଜୀବ ଓ ଜନ୍ତୁ ସୁକର୍ମ କରିପାରନ୍ତି ବା କୁକର୍ମ କରିପାରନ୍ତି । କର୍ମ କରିବାର ସ୍ଵାଧୀନତା ସେମାନଙ୍କର ଅଛି। କର୍ମର ହିତାହିତ ନିରୂପଣରେ ବସ୍ତୁର ଗତି ନିର୍ଧାରଣ ହୋଇପାରେ।

ସଂସାରର କର୍ମବନ୍ଧନରେ ହିତାହିତ ନିରୂପଣ କରିବା ଅପେକ୍ଷା ଜୈନମାନେ କର୍ମ ନ କରିବାକୁ ଉପଦେଶ ଦେଲେ। କର୍ମ ହିଁ ବନ୍ଧନ ବୋଲି କହିଲେ। ଓଡିଆ ଚାଷୀ କର୍ମକୁ ବନ୍ଧନ ବୋଲି ସ୍ଵୀକାର କଲେ ନାହିଁ। ସୃଷ୍ଟିର ସଂରକ୍ଷଣ ହେଉଛି କର୍ମ। ଖାଦ୍ୟ ଉତ୍ପାଦନ ହେଉଛି କର୍ମ। ବଂଶ ରକ୍ଷଣ ହେଉଛି କର୍ମ। ତେଣୁ କର୍ମରୁ ନିଷ୍କୃତି ନାହିଁ। କର୍ମକୁ କିନ୍ତୁ ସଂସାରର ହିତରେ କରିବାକୁ ହେବ। କର୍ମର ଫଳାଫଳ ‘କାଳ’ର ଇଛା।

LEAVE A REPLY

Please enter your comment!
Please enter your name here