ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମାଇବା ପାଇଁ ଆସନ୍ତାକାଲିଠୁ ଲାଗୁ ହେବ ଅଡ୍‌-ଇଭେନ୍‌ ଫର୍ମୁଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୂର୍ବରୁ ଏନେଇ ଘୋଷଣା କରିଥିଲେ। ୪ ନଭେମ୍ବରରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍‌-ଇଭେନ୍‌ ନିୟମ ଅନୁଯାୟୀ ଗାଡ଼ି ଚଳାଚଳ ହେବ।

ଅଡ୍‌-ଇଭେନ ନିୟମ ଅନୁଯାୟୀ, ଆସନ୍ତା ନଭେମ୍ବର ୪, ୬, ୮, ୧୦, ୧୨ ଏବଂ ୧୪ ତାରିଖ ଦିନ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ। ସେହିପରି ନଭେମ୍ବର ୫, ୭, ୯, ୧୧, ୧୩ ଏବଂ ୧୫ ତାରିଖରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ।

ଜାଣନ୍ତୁ କାହାକୁ ମିଳିବ ଆଶ୍ୱସ୍ତି

ଏଥର ଅଡ୍‌-ଇଭେନ୍‌ ଫର୍ମୁଲାରେ ଦୁଇ ଚକିଆ ଯାନକୁ ଆଶ୍ୱସ୍ତି ମିଳିଛି। ସେହିପରି ବସ୍‌ ଏବଂ ବିଭିନ୍ନ ସରକାରୀ ଗାଡ଼ି ପାଇଁ ଅଡ୍‌-ଇଭେନ ନିୟମ ଛାଡ଼ କରାଯାଇଛି।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଚିଫ୍‌ ଜଷ୍ଟିସ୍‌, ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ରାଜ୍ୟସଭା ଏବଂ ଲୋକସଭା ନେତା, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଇଁ ଅଡ୍‌-ଇଭେନ୍‌ ଫର୍ମୁଲା ଛାଡ଼ କରାଯାଇଛି।

ସେହିପରି ସୁପ୍ରିମକୋର୍ଟ ବିଚାରପତି, ୟୁପିଏସ୍‌ସି ଅଧ୍ୟକ୍ଷ, ମୁଖ୍ୟ ନିର୍ବାଚନ ଅଧିକାରୀ, ଦିଲ୍ଲୀ ଉପରାଜ୍ୟପାଳ, ଦିଲ୍ଲୀ ହାଇକୋର୍ଟ ଜଜ୍‌, ଲୋକାୟୁକ୍ତ ଏବଂ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ଗାଡ଼ିମାନଙ୍କୁ ଛାଡ଼ କରାଯିବ।

ନିୟମ ଉଲଙ୍ଘନ କଲେ ଗଣିବେ ତଣ୍ଡ

ଅନ୍ୟପକ୍ଷରେ ଅଡ୍‌-ଇଭେନ୍‌ ନିୟମକୁ ଉଲଙ୍ଘନ କଲେ ୪ ହଜାର ଟଙ୍କାର ଜରିମାନା ଲଗାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ପୂର୍ବରୁ ଚାଲାଣ ବାବଦକୁ ୨ ହଜାର ଫାଇନ୍‌ ଲାଗୁ ଥିବା ବେଳେ ଏହା ଦୁଇ ଗୁଣା ହୋଇଯାଇଛି।

ଅଡ୍‌-ଇଭେନ ସ୍କିମ୍‌ କ’ଣ?

୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଅଡ-ଇଭେନ ସ୍କିମ ଆରମ୍ଭ କରିଥିଲେ। ଏହି ସ୍କିମ ମୂତାବିକ, ଧାର୍ଯ୍ୟ ଦିନରେ କେବଳ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବାକୁ ଥିବା ବେଳେ ଅନ୍ୟ ଧାର୍ଯ୍ୟ ଦିନରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ। ଆସନ୍ତାକାଲିଠୁ ଏହି ନିୟମ ଲାଗୁ ପୁଣିଥରେ ଲାଗୁ କରାଯାଉଛି।

Comment