ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ହିନ୍ଦୀ ଭାଷାଭାଷୀ ଲୋକମାନେ ଉତ୍ସାହ ଉଦ୍ଦୀପନାର ସହ ଛଟ୍‌ ପର୍ବ ପାଳନ କରିଛନ୍ତି। କଟକର ମହାନଦୀ ଓ କାଠଯୋଡ଼ି ଏବଂ ଭୁବନେଶ୍ୱରର କୁଆଖାଇ ନଦୀ ପଠାରେ ବହୁ ସଂଖ୍ୟାରେ ବ୍ରତଧାରୀ ଏକାଠି ହୋଇ ସୂର୍ଯ୍ୟ ପୂଜା କରିଥିଲେ।

ଛଟ୍‌ ପୂଜାରେ କ’ଣ ହୁଏ?

ଚାରି ଦିନ ଧରି ପାଳିତ ହୋଇଥାଏ ଛଟ୍ ପୂଜା। ପ୍ରଥମ ଦୁଇ ଦିନ ବ୍ରତଧାରୀମାନେ ଘରେ ପୂଜାର୍ଚ୍ଚନା କରିବା ସହିତ ପିଠା ଓ ପ୍ରସାଦ ପ୍ରସ୍ତୁତିରେ ଲାଗିପଡ଼ନ୍ତି। ତୃତୀୟ ଦିନରେ ବ୍ରତଧାରୀମାନେ ନିର୍ଜଳ ଉପବାସରେ ରହି ପରିବାରର ମହିଳାମାନଙ୍କ ସହ ମିଶି ଅଟା, ଚାଉଳ ଓ ଗୁଡ଼ରେ ପିଠା ତିଆରି କରିଥିଲେ। ଏଥି ସହିତ ବିଭିନ୍ନ ପ୍ରକାର ଫଳ ଓ ଆଖୁ ଗଛ ଆଣି ଭୋଗ ପସରା ସଜାଡ଼ିଥିଲେ। ଅପରାହ୍‌ଣରେ କଟକର ମହାନଦୀ ଓ କାଠଯୋଡ଼ି ଏବଂ ଭୁବନେଶ୍ୱର କୁଆଖାଇ ନଦୀ କୂଳରେ ପହଞ୍ଚିଥିଲେ ହଜାର ହଜାର ବ୍ରତଧାରୀ। ବ୍ରତଧାରୀମାନେ ନଦୀ କୂଳରେ ଏକାଠି ହେବା ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା।

‘‘ଏହି ପୂଜା ସୂର୍ଯ୍ୟପୂଜା ହୋଇଥିବାରୁ ଏହାକୁ ଅତ୍ୟନ୍ତ ନିଷ୍ଠାର ସହିତ କରାଯାଇଥାଏ। ସୂର୍ଯ୍ୟଦେବତାଙ୍କ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ଏବଂ ସମସ୍ତ ବିପଦରୁ ଉଦ୍ଧାର ମିଳିଥାଏ’’, କହିଛନ୍ତି କଟକର ଜଣେ ବ୍ରତଧାରୀ କମଲ ନାରାୟଣ ଝା।

ଛଟ୍ ପୂଜା ପାଇଁ ମହାନଦୀ ଓ କାଠଯୋଡ଼ି କୂଳରେ କଟକ ମହାନଗର ଛଟ୍‌ପୂଜା କମିଟି ତରଫରୁ ପୂଜା ପାଇଁ ପ୍ରସ୍ତୁତି କରାଯାଇଥିଲା। ନଦୀ କୂଳକୁ ସଫାସୁତୁରା ରଖିବା ସହିତ ମହିଳା ବ୍ରତଧାରୀମାନେ ଯେପରି ସହଜରେ ପୂଜା କରି ପାରିବେ ସେଥିପାଇଁ ସବୁ ପ୍ରକାର ସୁବିଧା କରାଯାଇଥିଲା।

ନଦୀ କୂଳରେ ସୂର୍ଯ୍ୟ ପୂଜା

ଶନିବାର ଅପରାହ୍‌ଣ ୪ଟାରୁ ମୁଣ୍ଡରେ ଭୋଗ ପସରା ଧରି ଶ୍ରଦ୍ଧାଳୁମାନେ ଜଣକ ପରେ ଜଣେ ନଦୀ କୂଳରେ ପହଞ୍ଚିଥିଲେ। କେହି କେହି ବାଜା ବଜାଇ ନଦୀ କୂଳକୁ ଯାଉଥିଲେ ତ ଆଉ କିଏ ବାଲିରେ ଶୋଇ ଶୋଇ ନଦୀ କୂଳରେ ପହଞ୍ଚିଥିଲେ। ପରେ ନଦୀ କୂଳରେ ବାଲି ଉପରେ ଚଦର ବିଛାଇ ଫଳ, ପିଠା, ଆଖୁଗଛ ସୂର୍ଯ୍ୟ ଦେବତାଙ୍କ ସାମନାରେ ରଖିଥିଲେ। ସେହିପରି ଭୁବନେଶ୍ୱରର କୁଆଖାଇ ନଦୀରେ ମଧ୍ୟ ହଜାର ହଜାର ବ୍ରତଧାରୀ ତୃତୀୟ ଦିନ ଅପରାହ୍‌ଣରେ ସୂର୍ଯ୍ୟ ପୂଜା ପାଇଁ ଏକାଠି ହୋଇଥିଲେ। କେବଳ ହିନ୍ଦୀ ଭାଷାଭାଷୀ ଲୋକ ନୁହନ୍ତି ଛଟ୍ ପୂଜା ବେଳେ ଓଡ଼ିଆ, ମାରୱାଡି ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କୁ ମଧ୍ୟ ପୂଜା କରୁଥିବାର ଲକ୍ଷ୍ୟ କରାଯାଇଥିଲା।

ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ନଦୀ କୂଳରେ ବ୍ରତଧାରୀଙ୍କ ଭିଡ଼ ଲାଗିଥିଲା। ବ୍ରତଧାରୀଙ୍କ ସହିତ ପରିବାର ସବୁ ସଦସ୍ୟ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ସହିତ ପରିବାରର ମଙ୍ଗଳ କାମନା କରିଥିଲେ। ବୟସ୍କ ମହିଳା ବ୍ରତଧାରୀଙ୍କ ସହିତ ପୂଜାରେ ଏକାଠି ବସିଥିଲେ ନବବିବାହିତା ମହିଳା।

‘‘ଛଟ୍‌ ହେଉଛି ଆମର ବଡ଼ ପର୍ବ। ଏହାକୁ ଆମେ ବିଧିବିଧାନ ଅନୁସାରେ କରିଥାଉ। ଏହି ପୂଜା ପରିବାରର ମଙ୍ଗଳ ପାଇଁ କରାଯାଇଥାଏ’’, କହିଛନ୍ତି ବ୍ରତଧାରୀ ପୂଜା ସିଂ।

ମହା ସୂର୍ଯ୍ୟ ଷଷ୍ଠୀ ବ୍ରତ ପୂଜା ଭାବେ ପରିଚିତ ଏହି ଛଟ୍ ପୂଜାର ଚତୁର୍ଥ ଦିନ ବିଳମ୍ବିତ ରାତିରୁ ନଦୀ କୂଳରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଭୋଗ ପସରା ଧରି ବ୍ରତଧାରୀମାନେ ନଦୀ କୂଳରେ ପହଞ୍ଚି ସୂର୍ଯ୍ୟୋଦୟକୁ ଅପେକ୍ଷା କରିଥିଲେ। ଭୋର ହେବା କ୍ଷଣି ସୂର୍ଯ୍ୟ ଦେବତା ଆକାଶରେ ଦୃଶ୍ୟମାନ ହେବା କ୍ଷଣି ବ୍ରତଧାରୀମାନେ ନଦୀରେ ବୁଡ଼ ପକାଇବା ସହିତ ଜଳ ଓ କ୍ଷୀର ଅର୍ପଣ କରି ସୂର୍ଯ୍ୟ ଦେବତାଙ୍କର ପୂଜାର୍ଚ୍ଚନା କରିଥିଲେ। ସୂର୍ଯ୍ୟ ସକଳ ଶକ୍ତିର ଦେବତା ହୋଇଥିବାରୁ ଛଟ୍ ପୂଜା କଲେ ତାଙ୍କ ଆଶୀର୍ବାଦରୁ ପରିବାରରେ ଶାନ୍ତି ଓ ସମୃଦ୍ଧି ବଢେ ବୋଲି ବ୍ରତଧାରୀ ନନ୍ଦିତା ଚକ୍ରବର୍ତ୍ତୀ କହିଥିଲେ।

ଛଟ୍ ପୂଜା ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି। ବିଦେଶରେ ମଧ୍ୟ ଯେଉଁ ସବୁ ସହରରେ ହିନ୍ଦୀ ଭାଷାଭାଷୀ ଲୋକମାନେ ବସବାସ କରୁଛନ୍ତି ସେଠାରେ ମଧ୍ୟ ଛଟ୍ ନିଷ୍ଠାର ସହ ପାଳନ କରିଛନ୍ତି ଶ୍ରଦ୍ଧାଳୁ।

କୌଣସି ମୂର୍ତ୍ତି କରାଯାଏ ନାହିଁ

ଛଟ୍ ପୂଜାରେ ଶ୍ରଦ୍ଧାଳୁମାନେ କେବଳ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିଥାନ୍ତି। ଏଥିରେ କୌଣସି ପ୍ରକାର ମୂର୍ତ୍ତି ପୂଜା କରାଯାଏନାହିଁ। ପୂଜା ବେଳେ ବ୍ରତଧାରୀମାନେ ନିର୍ଜଳ ଉପବାସ କରିଥାନ୍ତି। ଛଟ୍ ବ୍ରତ ସାଧାରଣତଃ ଅଧିକରୁ ଅଧିକ ମହିଳା ଭକ୍ତ କରୁଥିବା ବେଳେ ପୁରୁଷମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି। ଛଟ୍ ପୂଜା ଥରେ ଜଣେ ବ୍ରତଧାରୀ ଆରମ୍ଭ କଲେ ଏହାକୁ ପ୍ରତିବର୍ଷ ପାଳନ କରିଥାନ୍ତି।

ଛଟ୍ ପୂଜା ପାଇଁ ବ୍ରତଧାରୀ ନଦୀ କୂଳରେ ପୂଜାରେ ବସୁଥିବା ବେଳେ ପରିବାରର ପୁରୁଷ ସଦସ୍ୟମାନେ ତାଙ୍କୁ ସବୁ ପ୍ରକାର ସହଯୋଗ ଦେଇଥାନ୍ତି। ଏହି ପୂଜା କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବଢିଥାଏ ବୋଲି ଗୌତମ ରାୟ କହିଛନ୍ତି।

ଛଟ୍‌ ପୂଜାର ବୈଜ୍ଞାନିକ ଦିଗ

ଛଟ୍ ପୂଜା ନିଷ୍ଠାର ସହ ପାଳନ କରାଯିବାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କାଷ୍ଠା ଉପବାସ ରହି ଛଟ୍ ପୂଜା କଲେ ଚର୍ମ ଓ ଚକ୍ଷୁଜନିତ ରୋଗରୁ ମୁକ୍ତି ମିଳିଥାଏ।

Comment