ଓଡିଶାଲାଇଭ୍ ବ୍ୟୁରୋ
ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଦାର ଅଭ୍ୟାସ କରିଛି ଓଡ଼ିଶା ଦଳ। କଟକର ବାରବାଟୀ ଷ୍ଟାଡିୟମରେ ଦଳ ଜୋରଦାର ଅଭ୍ୟାସ ଜାରିରଖିଛି।
ଗୁଜୁରାଟର ସୁରଟରେ ନଭେମ୍ବର ୮ରୁ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା ସରିଛି। ଦଳର ଅଧିନାୟକ ଥିବା ଗୋବିନ୍ଦ ପୋଦ୍ଧାରଙ୍କ ସହ ଅନ୍ୟ ଖେଳାଳିମାନେ ଏଥିପାଇଁ ଝାଳବୁହା ପରିଶ୍ରମ କରୁଛନ୍ତି।
କୋଚ୍ ରଶ୍ମୀରଞ୍ଜନ ପରିଡାଙ୍କ ପ୍ରଶିକ୍ଷଣରେ ବିପ୍ଲବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପରଙ୍କ ଭଳି ଖେଳାଳି ଘଣ୍ଟା ଘଣ୍ଟା ନେଟ୍ ପ୍ରାକ୍ଟିସ୍ କରିଛନ୍ତି। ସେହିଭଳି ସୂର୍ଯ୍ୟକାନ୍ତ ପ୍ରଧାନ, ,ପପୁ ରାୟ, ଦେବବ୍ରତ ପ୍ରଧାନ ଆଦି ସମସ୍ତେ ନେଟରେ ଦୀର୍ଘ ସମୟ ଧରି ବୋଲିଂ ଅଭ୍ୟାସ କରିଛନ୍ତି।
ବୟସ ଜାଲିଆତି ବିବାଦରେ ବିସିସିଆଇ ଯୁବ ପେସ ବୋଲର ରାଜେଶ ମହାନ୍ତିଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପରେ ତାଙ୍କ ବଦଳରେ ଦଳରେ ପ୍ରୟାଗ ସିଂ ଠାକୁରଙ୍କୁ ସ୍ଥାନ ମିଳିଛି। ଦଳ ଏଥର ଟୁର୍ଣ୍ଣାମେଣ୍ଟରେ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତ ଖେଳାଳି ଓ କୋଚ୍ ଆଶା ରଖିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଦଳ ନଭେମ୍ବର ୫ରେ ସୁରଟ ଗସ୍ତ କରିବ।



















