ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ରେ ପ୍ରଥମଥର ଲାଗି ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର ମହିଳା ସଂସ୍କରଣ। ଏହି ମହିଳା ପ୍ରିମିୟର ଲିଗ୍ ମାର୍ଚ୍ଚ ୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲିଗ୍ ପାଇଁ ବିସିସିଆଇ ପକ୍ଷରୁ ଫେବ୍ରୁଆରି ୧୩ ତାରିଖରେ ଖେଳାଳି ନିଲାମ ପ୍ରକ୍ରିୟା ଆୟୋଜିତ ହେବ। ନିଲାମ ପାଇଁ ୪୦୯ ଜଣ ମହିଳା କ୍ରିକେଟରଙ୍କୁ ତାଲିକାଭୁକ୍ତ କରାଯାଇଛି। ଏହି ଖେଳାଳିଙ୍କ ମଧ୍ୟରେ ସାତ ଜଣ ଓଡ଼ିଆ କ୍ରିକେଟର ରହିଛନ୍ତି। ବିସିସିଆଇ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି।

ମହିଳା ପ୍ରିମିୟର ଲିଗ୍ ନିଲାମରେ ସାମିଲ ହେବକୁ ଥିବା ସାତ ଜଣ ଓଡ଼ିଆ କ୍ରିକେଟର ହେଲେ ମାଧୁରୀ ମେହେତା, ରୋସନାରା ପରୱିନ, କାଜଲ ଜେନା, ଏସ.ବି ଲରେନ୍ସ,ସୁଜାତା ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି।

ମହିଳା ପ୍ରିମିୟର ଲିଗର ନିଲାମ କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବ। ଏଠାରେ ଫ୍ରଞ୍ଚାଇଜମାନେ ନିଜ ଦଳ ପାଇଁ ଖେଳାଳି ବଛିବେ। ନିଲାମରେ ତାଲିକାଭୁକ୍ତ ହୋଇଥିବା ୪୦୯ ଜଣ ମହିଳା କ୍ରିକେଟରଙ୍କ ମଧ୍ୟରେ ୧୬୨ ଜଣ ବିଦେଶୀ ଖେଳାଳି ରହିଛନ୍ତି। ନିଲାମରେ ଖେଳାଳିଙ୍କ ପାଇଁ ୧୦ ଲକ୍ଷ, ୨୦ ଲକ୍ଷ, ୪୦ ଲକ୍ଷ ଓ ୫୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ବା ବେସ ପ୍ରାଇସ୍ ରଖାଯାଇଛି।

୨୦୨୩ ମହିଳା ପ୍ରିମିୟର ଲିଗରେ ଅହମଦାବାଦ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଳୁରୁ ଓ ଲକ୍ଷ୍ନୌ ଭଳି ୫ଟି ଦଳ ଖେଳିବେ। ଲିଗରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ସମସ୍ତ ମ୍ୟାଚ ମୁମ୍ବାଇର ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Tags: #WomensPremierLeague #2023 #1stEdition #PlayerAuction #WomenCricketer #Odisha #BCCI #OCA #Mumbai

Comment