ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଟିଂରେ ଥାଏ ଯାଦୁ। ଥରେ ବ୍ୟାଟ ଚାଲିଲେ ମେସିନ ଭଳି ରନ୍‌ କରିଚାଲନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଇଣ୍ଡିଆନ୍‌ କ୍ରିକେଟ ଟିମ୍‌ କ୍ୟାପଟେନ ବିରାଟ କୋହଲି। ମାତ୍ର ୨୦ ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିବା ଏହି ଭାରତୀୟ କ୍ରିକେଟ ଷ୍ଟାର ଏହା ମଧ୍ୟରେ ଅନେକ ରେକର୍ଡର ମାଇଲ ଖୁଣ୍ଟ ଛିଡ଼ା କରି ସାରିଛନ୍ତି।

ବିରାଟଙ୍କ ଖେଳରେ କେବଳ କ୍ରିକେଟ ପ୍ରେମୀ ପାଗଳ ନୁହନ୍ତି। ବଲିଉଡ୍‌ରେ ମଧ୍ୟ ତାଙ୍କ ଖେଳର ଯାଦୁ ରହିଛି। କାରଣ ତାଙ୍କ ସ୍ତ୍ରୀ ହେଉଛନ୍ତି ବଲିଉଡ୍‌ର ଜଣେ ଆଗ ଧାଡ଼ିର ନାୟିକା ଅନୁଷ୍କା ଶର୍ମା। କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ, ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ମଧ୍ୟ ସେ ଭାରତକୁ ପ୍ରତିନିଧିତ୍ଵ କରି ବିଶ୍ଵବିଜେତା କରାଇଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ୨୩୯ ଦିନିକିଆ ମ୍ୟାଚ ଖେଳି ୧୧ହଜାର ୫୨୦ ରନ କରିଛନ୍ତି। ଯେଉଁଥିରେ ୪୩ ଶତକ ଓ ୫୪ ଅର୍ଦ୍ଧଶତକ ରହିଛି। ଏହାସହ ଟେଷ୍ଟରେ ୮୨ ମ୍ୟାଚ ଖେଳି ୭ହଜାର ୬୬ ରନ କରିଛନ୍ତି। ଯେଉଁଥିରେ ୨୬ ଶତକ, ୨୨ ଅର୍ଦ୍ଧଶତକ ଓ ୭ ଦ୍ଵିଶତକ ରହିଛି। ସେହିପରି ଟି-୨୦ରେ ୭୨ ମ୍ୟାଚ ଖେଳି ୫ ଶତକ ଓ ୩୬ ଅର୍ଦ୍ଧଶତକ କରିଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ଭାରତୀୟ କ୍ରିକେଟ ତାଙ୍କ କ୍ରିକେଟ କ୍ୟାରିୟରରେ ଆଜି ପର୍ଯ୍ୟନ୍ତ କରିଥିବା ରେକର୍ଡ।

ଗୋଟିଏ ବିଶ୍ଵକପରେ ୫ଥର ଅର୍ଦ୍ଧଶତକ

ଗତ ବିଶ୍ଵକପରେ ସେ ନୂଆ ରେକର୍ଡ କରି ବିଶ୍ଵକପରେ ଇତିହାସରେ ସୃଷ୍ଟି କରିଥିଲେ। ସେ ବିଶ୍ଵକପରେ ୫ଥର ୫୦ରୁ ଅଧିକ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୮୨, ପାକିସ୍ତାନ ବିପକ୍ଷରେ ୭୭, ଆଫଗାନିସ୍ତାନ ବିପକ୍ଷରେ ୬୭, ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୭୨ ଓ ଇଂଲଣ୍ଡ ବିପକ୍ଷରେ ୬୬ ରନ କରିଥିଲେ। ଏହାସହ ପ୍ରଥମ ଖେଳାଳି ଭାବେ ବିଶ୍ଵକପରେ ୫ ଥର ୫୦ ଉପରକୁ ସ୍କୋର କରିଥିଲେ।

ଦ୍ରୁତତମ ଶତକ

ଦ୍ରୁତତମ ଶତକ ହାସଲ କରିବାରେ ମଧ୍ୟ ସେ ରେକର୍ଡ କରିଛନ୍ତି। ସେ ୫୨ ବଲ୍‌ରେ ଶତକ ହାସଲ କରିଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଏହି ଶତକ ହାସଲ କରିଥିଲେ।

ଟେଷ୍ଟରେ ସର୍ବାଧିକ ଦ୍ଵିଶତକ

ଭାରତୀୟ କ୍ରିକେଟର ଭାବେ ଟେଷ୍ଟରେ ସେ ସର୍ବାଧିକ ଦ୍ଵିଶତକ କରିବାରେ ରେକର୍ଡ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ସେ ୭ଟି ଦ୍ଵିଶତକ ହାସଲ କରିବା ସହ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସେ ପ୍ରଥମ ଦ୍ଵିଶତକ ଓ୍ଵେଷ୍ଟଣ୍ଡିଜ ବିପକ୍ଷରେ କରିଥିଲେ। ପରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଲେଖାଏଁ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଦ୍ଵିଶତକ କରିଛନ୍ତି।

ଅଧିନାୟକ ଭାବେ ରେକର୍ଡ

  • ଭାରତୀୟ ଅଧିନାୟକ ହିସାବରେ ସର୍ବାଧିକ(୯) ଟେଷ୍ଟ ସିରିଜ ଜିତିଥିବା ଖେଳାଳି।
  • ଅଧିନାୟକ ହିସାବରେ ସର୍ବାଧିକ ଦ୍ଵିଶତକ
  • ପ୍ରଥମ ଅଧିନାୟକ ଭାବେ ଗୋଟିଏ ବର୍ଷରେ ୧୦ଟି ଶତକ କରିବାର ରେକର୍ଡ।
  • ପ୍ରଥମ ଅଧିନାୟକ ଭାବେ ତ୍ରୁତତମ ୧୦୦୦, ୨୦୦୦, ୩୦୦୦ ଓ ୪୦୦୦ ରନ୍‌ କରିବାରେ ରେକର୍ଡ।
  • ପ୍ରଥମ ଅଧିନାୟକ ଭାବେ ଗୋଟିଏ ସିରିଜର ୩ଟି ମ୍ୟାଚରେ ଶତକ ହାସଲ।
  • ଦିନିକିଆ ସିରିଜର ୩ଟି ମ୍ୟାଚରେ ଶତକ ହାସଲ କରିବାରେ ପ୍ରଥମ ଅଧିନାୟକ।
  • ଦ୍ରୁତତମ ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୯ହଜାର ରନ୍‌ ପୂରଣ କରିବାରେ ପ୍ରଥମ ଅଧିନାୟକ।
  • ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଶତକ।
  • ଭାରତୀୟ ଅଧିନାୟକ ଭାବେ ଟେଷ୍ଟରେ ସର୍ବାଧିକ ରନ୍‌।
  • ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ଶତକ।

Comment