ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ମ୍ୟାଚରେ କମେଣ୍ଟ୍ରି କରିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କୋଲକାତାରେ ହେବାକୁ ଥିବା ଡେ-ନାଇଟ୍ ଟେଷ୍ଟରେ ଧୋନି କମେଣ୍ଟ୍ରି କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ନଭେମ୍ବର ୨୨ ତାରିଖରେ କୋଲକାତାରେ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ ଖେଳାଯିବ। ଦୁଇ ଦେଶ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ହେବ ଯାହା କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଏହି ମ୍ୟାଚରେ ଭାରତୀୟ ଟେଷ୍ଟ ଦଳର ସମସ୍ତ ଅଧିନାୟକମାନଙ୍କୁ ନିମନ୍ତ୍ରଣ କରାଯିବ। ସେମାନେ ସମସ୍ତେ କମେଣ୍ଟ୍ରି ବକ୍ସରେ କମେଣ୍ଟ୍ରି କରିବେ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅନୁମତି ପ୍ରଦାନ କରିସାରିଛନ୍ତି। ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଇଂଲଣ୍ଡ ବିଶ୍ୱକପ୍ ପରେ ଧୋନିଙ୍କୁ ଆଉ ଭାରତୀୟ ଦଳରେ ଦେଖିବାକୁ ମିଳିନାହିଁ। ଗତ ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଏବଂ ବର୍ତ୍ତମାନର ବାଂଲାଦେଶ ବିପକ୍ଷ ଭାରତୀୟ ଦଳରେ ସେ ନାହାନ୍ତି। ଯେଉଁ କାରଣରୁ ତାଙ୍କର ଅବସରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କୋଲକାତା ଟେଷ୍ଟ୍‌ରେ ଧୋନି କମେଣ୍ଟ୍ରି କରିବା କଥା ଶୁଣିବା ପରେ ପୁଣିଥରେ ଏହି ଚର୍ଚ୍ଚା ଜୋର ଧରିଛି।

Comment