ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା। ବୁଲ୍‌ବୁଲ୍‌ ଏବେ ପାରାଦୀପଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡ଼କୁ ଏହା ଗତି କରୁଛି। ହେଲେ ବାତ୍ୟାର ପ୍ରଭାବରେ ୮ ଓ ୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଫଳରେ ଯାଜପୁର ଜିଲ୍ଲା ପ୍ରଶାସନ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି।

ବୁଲ୍‌ବୁଲ୍‌କୁ ଆଖି ଆଗରେ ରଖି ଗୁରୁବାର ପ୍ରଶାସନ ଦୁଇ ଦିନ (୮ ଓ ୯ ତାରିଖ) ଲାଗି ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନଓ୍ୱାଡ଼ି କେନ୍ଦ୍ର, ସ୍କୁଲ କଲେଜକୁ ବନ୍ଦ ରଖିବା ପାଇଁ ଘୋଷଣା କରିଥିଲେ।

ଅନ୍ୟପଟେ, ୯ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ଘୋଷଣା ହୋଇଛି।

ଆଇଏମ୍‌ଡିର ବୁଲେଟିନ୍‌ ଅନୁଯାୟୀ, ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ୮ ଓ ୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Comment