ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଡମ୍ବାରୁ ଆସିବେ ଚାଷୀ,  ଷ୍ଟଲ୍‌ରେ ବିକିବେ ପରିବା
  • ଯୋଜନା ସଫଳ ହେଲେ ‘ରିଲାଏନ୍ସ ଫ୍ରେସ୍’ ସହ ହେବ ଡିଲ୍

କଟକ: ଐତିହାସିକ କଟକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ବିକ୍ରି ହେବ ପରିବା। ସେ ପୁଣି ତାଜା ସବୁଜ ପନିପରିବା। ସିଧାସଳଖ ଚାଷୀ ନିଜ ଉତ୍ପାଦନକୁ ବାଲିଯାତ୍ରା ଆଣି ବେପାର କରିବେ। ମେଳା ବୁଲିବାକୁ ଯାଇ ଲୋକେ ମଧ୍ୟ ସିଧାସଳଖ ଚାଷୀଙ୍କଠାରୁ ପରିବା କିଣି ପାରିବେ। ଏଭଳି ସୁଯୋଗ ସୃଷ୍ଟି କରିଛି ଓରମାସ।

ପ୍ରଥମଥର ପାଇଁ ବାଲିଯାତ୍ରାରେ ପନିପରିବା ବିକ୍ରି ପାଇଁ ଓରମାସ ପକ୍ଷରୁ ଚାଷୀଙ୍କୁ ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି।

ପ୍ରତିବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥାଏ ଜାତୀୟ ସ୍ତରୀୟ ପଲିଶ୍ରୀ ମେଳା ତଥା ଓରମାସ୍। ପ୍ରତିବର୍ଷ କିଛି ନୂଆ ଯୋଜନା ଓ ପ୍ରୟାସ କରାଯାଇଥାଏ। ଚଳିତବର୍ଷ ମଧ୍ୟ ଏଭଳି କିଛି ଅଭିନବ କାର୍ଯ୍ୟ କରି ଓରମାସ ଚର୍ଚ୍ଚାକୁ ଆସିଛି। ପ୍ରଥମଥର ବାଲିଯାତ୍ରାରେ ପରିବା ଚାଷୀଙ୍କୁ ସୁଯୋଗ ଦିଆଯାଇଛି।

ବଡମ୍ବାରୁ ୨ଜଣ ଚାଷୀ ବାଲିଯାତ୍ରାରେ ସାମିଲ ହେବେ। ପ୍ରତ୍ୟେକ ଦିନ ଅପରାହ୍ଣ ପ୍ରାୟ ୩ଟା ବେଳକୁ ସେମାନେ ନିଜ ପରିବା ସହ ଷ୍ଟଲ୍‌ରେ ବସିବେ। ଏଥିରେ ବିଭିନ୍ନ ପ୍ରକାରର ଘରୋଇ ପନିପରିବା ରହିବ। ଏନେଇ ଉକ୍ତ ୨ ପରିବା ଚାଷୀଙ୍କ ସହିତ ବିଭାଗ ତରଫରୁ କଥାବାର୍ତ୍ତା ଶେଷ ହୋଇଛି।

ପ୍ରତ୍ୟେକ ଦିନ ଉତ୍ପାଦନକାରୀ ଟିମ୍ ସଦସ୍ୟଙ୍କ ତରଫରୁ ବସ୍‌ରେ ପରିବା କଟକ ପଠାଯିବ। ଏଠାରେ ଥିବା ବ୍ୟବସାୟୀ ତାକୁ ସଂଗ୍ରହ କରି ବାଲିଯାତ୍ରାରେ ବିକ୍ରି କରିବେ। ଏନେଇ ଦୁଇଟି ଷ୍ଟଲ୍ କରାଯିବାକୁ ଯୋଜନା କରାଯାଇଥିବା ଓରମାସର ଡେପୁଟି ନିର୍ଦ୍ଦେଶକ ବିପିନ ରାଉତ ପ୍ରକାଶ କରିଛନ୍ତି।

ଏହି ଯୋଜନା ପରିବା ଚାଷୀଙ୍କୁ ମାର୍କେଟର ସୁଯୋଗ ଦେବେ। ଚାଷୀମାନେ ସିଧାସଳଖ ଗ୍ରାହକଙ୍କ ସହ ସମ୍ପର୍କରେ ଆସିପାରିବେ। ନିଜେ ବ୍ୟବସାୟ କରିବାକୁ ମାନସିକ ଭାବେ ପ୍ରସ୍ତୁତ ହୋଇପାରିବେ। ତା’ଛଡା ପରିବାର ଗୁଣବତ୍ତା ସଂକ୍ରାନ୍ତରେ ଲୋକଙ୍କ ଫିଡ୍‌ବ୍ୟାକ୍ ମଧ୍ୟ ସେମାନଙ୍କୁ ମିଳିପାରିବ। ଯାହାଫଳରେ ଉତ୍ପାଦନ ସମୟରେ ସେମାନେ ଏଦିଗରେ ସତର୍କତା ଅବଲମ୍ବନ କରିପାରିବେ।

ବାଲିଯାତ୍ରାରେ ପରିବା ବ୍ୟବସାୟ ଯୋଜନା ଯଦି ସଫଳ ହୁଏ ତେବେ ଆଗକୁ ଚାଷୀଙ୍କୁ ବଡ ମାର୍କେଟ୍ ଆଡକୁ ଅଣାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷକରି ରିଲାଏନ୍ସ ଫ୍ରେସ୍ ସହିତ ସେମାନଙ୍କୁ ଯୋଡାଯିବ। ଯାହାଫଳରେ ଚାଷୀମାନେ ସିଧାସଳଖ ରାଷ୍ଟ୍ରାୟତ କମ୍ପାନିମାନଙ୍କ ସହ ଚୁକ୍ତିରେ ରହିପାରିବେ।

ବାଲିଯାତ୍ରାରେ ଓରମାସରେ ଏଥର ୪୦୮ଟି ଷ୍ଟଲ ରହିବ। ମଣିପୁର, ଆସାମ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ କଶ୍ମୀର, ତେଲେଙ୍ଗାନା, ମଧ୍ୟପ୍ରଦେଶ ସମେତ ୨୦ଟି ରାଜ୍ୟରୁ ବ୍ୟବସାୟୀ ଏଥିରେ ଅଂଶଗ୍ରହଣ କରିବେ।

Comment