ଓଡ଼ିଶାଲାଇଭ୍ ବ୍ୟୁରୋ 

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ବିଜୟ ହାସଲ କରିବା ପରେ ଏବେ ଟିମ୍ ଇଣ୍ଡିଆର ଲକ୍ଷ୍ୟ ଟେଷ୍ଟ ସିରିଜ୍ ଉପରେ। ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ଟି ହେବ ଡେ’ ଆଣ୍ଡ୍‌ ନାଇଟ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌କୁ ନେଇ ଭାରତୀୟ ଦଳରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଟିମକୁ ଚିନ୍ତାରେ ପକାଇଛି ଏହାର ଗୋଲାପୀ ବଲ।

ଆଇସିସି ନିୟମ ଅନୁଯାୟୀ, ଦିବାରାତ୍ର ଟେଷ୍ଟଗୁଡ଼ିକ କୋକାବୁରା କମ୍ପାନିର ଗୋଲାପୀ ବଲରେ ଖେଳାଯିବ। ଯାହା ଭାରତୀୟ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ଭାରତୀୟ ଦଳ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ଗୋଲାପୀ ବଲରେ ମ୍ୟାଚ୍ ଖେଳିନାହିଁ, ଯାହା ଟିମ୍ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି।

ଗୋଲାପୀ ବଲ୍‌କୁ ନେଇ ଟିମ୍‌ ଇଣ୍ଡିଆର ଚିତେଶ୍ୱର ପୂଜାରାଙ୍କ କହିଛନ୍ତି,”ଦିନରେ ଗୋଲାପୀ ବଲରେ ଖେଳିବା ଦଳ ପାଇଁ ଚିନ୍ତାଜନକ ନୁହେଁ। ତେବେ ସନ୍ଧ୍ୟା ସମୟରେ ଜଣେ ବ୍ୟାଟ୍ସମ୍ୟାନ ପାଇଁ ଗୋଲାପୀ ବଲରେ ଖେଳିବା ଅତ୍ୟନ୍ତ କଷ୍ଟକର ହେବ।”

ସେହିପରି ଆଜିଙ୍କ୍ୟା ରାହାଣେ ମଧ୍ୟ କହିଛନ୍ତି ଯେ, କୋଲକାତାରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଦଳ ଅଭ୍ୟାସରେ ଗୋଲାପୀ ବଲ ସହ ଖେଳୁଛି। ଯାହା ଦଳ ପାଇଁ ସହାୟକ ହେବ। ଏହାଦ୍ୱାରା ଗୋଲାପୀ ବଲ କେତେ ସ୍ୱିଙ୍ଗ୍ କରୁଛି ତାହା ଆମେ ଜାଣିପାରିବୁ।

ଭାରତ-ବାଂଲାଦେଶ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ନଭେମ୍ବର ୨୨ ତାରିଖରେ କୋଲକାତାରେ ଖେଳାଯିବ। ଏହି ଟେଷ୍ଟ୍ ମ୍ୟାଚକୁ ଦିବାରାତ୍ର କରିବା ପାଇଁ ବିସିସିଆଇ ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ ମଧ୍ୟରେ ଆଲୋଚନା ହୋଇସାରିଛି। କୋଲକାତାର ଇଡେନ ଗାର୍ଡେନ୍ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ କରିବ।

Comment