ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରାଯାଇଛି। ଏନେଇ ମୟୂରଭଞ୍ଜ ଏସପି ସ୍ମିଥ ପି ପରମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଦୁଇ ଲୁଟେରାଙ୍କ ସମେତ ସେମାନଙ୍କ ନିକଟରୁ ନିୟମିତ ଲୁଟ ସୁନା କିଣି ବ୍ୟବସାୟ କରୁଥିବା ଜଣେ ସ୍ୱର୍ଣ୍ଣ ଅଳଙ୍କାର ବିକ୍ରେତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଆଠଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ନଗଦ ଟଙ୍କା ଏବଂ ଗୋଟିଏ ଗାଡ଼ି ମଧ୍ୟ ଜବତ କରିଛି।

ଗତ ୫ ତାରିଖ ମଧ୍ୟାହ୍ନ ସମୟରେ ଉଦଳାର ନାଗପାଳ ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ପଲସର ବାଇକରେ ଆସି ଏହି ଲୁଟେରାମାନେ ସୁନା ହାର ଲୁଟି ନେଇଥିଲେ। ପରେ ଉଦଳା ପୋଲିସ ଘଟଣାର ତଦନ୍ତ କରି ଏହି ଦୁଇ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।

ଏ ସମ୍ପର୍କରେ ଉଦଳା ଥାନା ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିବା ସମୟରେ ବହୁ ମାମଲାର ସଫଳତା ମୟୂରଭଞ୍ଜ ପୋଲିସକୁ ମିଳିଥିଲା ବୋଲି ଏସ ପି ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତ ଲୁଟେରା ହେଲେ ବସ୍ତା ଥାନା ଅର୍ନ୍ତଗତ ହଳଦିପଦା ଅଞ୍ଚଳର ରବିନ୍ଦ୍ର ନାୟକ ଓ ଦୀପକ ଜେନା  ଏବଂ  ସେମାନଙ୍କ ନିକଟରୁ ଚୋରି ସୁନା କିଣୁଥିବା ବ୍ୟବସାୟୀ ମଧ୍ୟ ହେଲେ ବସ୍ତା ଥାନା  ଅର୍ନ୍ତଗତ ହଳଦିପଦା ଅଞ୍ଚଳର ଦୀପକ ଜୁଏଲାରୀର ମାଲିକ ଦୀପକ ରଣା।

Comment